ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ୍ ସୋସିଆଲ ମିଡିଆ ବିଜ୍ଞାପନ ପାଇଁ ମାସକରେ ଖର୍ଚ୍ଚ କଲେଣି ୪୭୬ କୋଟି ଟଙ୍କା।

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ୍। ଏହି ଦୁଇ ପ୍ରାର୍ଥୀ ଆମେରିକୀୟ ମତଦାତାଙ୍କୁ ନିଜ ସପକ୍ଷକୁ ଆଣିବା ଓ ସେମାନଙ୍କୁ ନିଜ ସହ ସମ୍ପୃକ୍ତି କରାଇବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ସେଥିପାଇଁ ଉଭୟ ବିଜ୍ଞାପନ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି।

ଜାଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼ିବ ଯେ ଏହି ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ ଗତ ଜୁନ୍ ୧ରୁ ସେପ୍ଟେମ୍ବର ୧୩ ଭିତରେ ସାମାଜିକ ଗଣମାଧ୍ୟମରେ ବିଜ୍ଞାପନ ବାବଦକୁ ୪୭୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। କେବଳ ଗତ ମାସକ ମଧ୍ୟରେ ସେମାନଙ୍କ ବିଜ୍ଞାପନ ବାବଦୀୟ ଖର୍ଚ୍ଚ ୧୯୭ କୋଟି ଟଙ୍କା ରହିଛି। ସିରାକସ ବିଶ୍ୱବିଦ୍ୟାଳୟର ଇଲୁମିନେଟିଂ ୨୦୨୦ ପ୍ରୋଜେକ୍ଟ ଏହି ରିପୋର୍ଟ ଦେଇଛି। ସାମାଜିକ ଗଣମାଧ୍ୟମରୁ ଫେସବୁକ୍ ଓ ଇନଷ୍ଟାଗ୍ରାମ୍‌ରେ ବେଶୀ ବିଜ୍ଞାପନ ଖର୍ଚ୍ଚ ଦିଆଯାଇଛି।

ବିଜ୍ଞାପନର ୯୫ ପ୍ରତିଶତ ପାଇଛନ୍ତି ସୋସିଆଲ ମିଡିଆ, ଟିଭି

୨୦୧୬ରେ ହୋଇଥିବା ରାଷ୍ଟପ୍ରତି ନିର୍ବାଚନରେ ମଧ୍ୟ ପ୍ରାର୍ଥୀ ଥିବା ଡୋନାଲ୍ଡ ଟ୍ରମ୍ପ ଓ ହିଲାରୀ କ୍ଲିଣ୍ଟନ ସମାନ ପରିମାଣର ଅର୍ଥ ବିଜ୍ଞାପନ ପାଇଁ ଖର୍ଚ୍ଚ କରିଥିଲେ। ୨୦୨୦ ନିର୍ବାଚନରେ ସାମାଜିକ ଗଣମାଧ୍ୟମ ବିଜ୍ଞାପନ ବାବଦକୁ ଯେଉଁ ୪୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ସେଥିରୁ ଟ୍ରମ୍ପ ୨୯୦ କୋଟି ଓ ବାଇଡେନ ୧୮୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ଅଗଷ୍ଟ ୧୦ରୁ ସେପ୍ଟେମ୍ବର ୪ ଭିତରେ ଉଭୟ ଟିଭି ବିଜ୍ଞାପନ ପାଇଁ ୪୪୦ କୋଟି ଟଙ୍କା ସାରିଲେଣି। ପ୍ରିଣ୍ଟ, ରେଡିଓ ଓ ବିଲବୋର୍ଡକୁ ଖୁବ୍ କମ୍ ପରିମାଣର ବିଜ୍ଞାପନ ମିଳିଛି। ବିଜ୍ଞାପନ ବାବଦକୁ ଯେତିକି ଖର୍ଚ୍ଚ ହୋଇଛି, ତାହାର ୫ ପ୍ରତିଶତ ଏମାନଙ୍କୁ ଦିଆଯାଇଛି।

ଟ୍ରମ୍ପଙ୍କ ବିଜ୍ଞାପନରେ ପୁରୁଷ, ବାଇଡେନଙ୍କ ବିଜ୍ଞାପନରେ ମହିଳାଙ୍କୁ ପ୍ରାଥମିକତା

ଟ୍ରମ୍ପ ମୁଖ୍ୟତଃ ଫ୍ଲୋରିଡ଼ା, ଟେକ୍ସାସ, କାଲିଫର୍ଣ୍ଣିଆ, ପେନସିଲଭାନିଆ ଏବଂ ଓହିଓ ରାଜ୍ୟରେ ବିଜ୍ଞାପନ ଖର୍ଚ୍ଚ ବେଶୀ କରିଛନ୍ତି। ସେହିପରି ବାଇଡେନ କାଲିଫର୍ଣ୍ଣିଆ, ନ୍ୟୁୟର୍କ, ଫ୍ଲୋରିଡ଼ା, ଟେକ୍ସାସ ଓ ପେନସିଲଭାନିଆରେ ନିଜ ବିଜ୍ଞାପନ ଖର୍ଚ୍ଚ ସାରିଛନ୍ତି। ଟ୍ରମ୍ପଙ୍କ ବିଜ୍ଞାପନ ପୁରୁଷଙ୍କ ଉପରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ବାଇଡେନ ମହିଳାଙ୍କୁ ନିଜ ବିଜ୍ଞାପନରେ ଗୁରୁତ୍ୱ ଦେଇଛନ୍ତି।

Comment