ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାର ୬ ଜଣ ଥାନା ଅଧିକାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଉ ୨ ଜଣଙ୍କୁ ଭୁବନେଶ୍ଵରର ଏକ ସରକାରୀ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ନିକଟରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୯ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଡାକ୍ତରଖାନାରେ ଚିକିତ୍ସା ସେବା ବ୍ୟାହତ ହୋଇଛି। ଏବେ ବିଭିନ୍ନ ଥାନାରେ ମଧ୍ୟ ସମାନ ସମସ୍ୟା ଉପୁଜିଛି।ସିଧାସଳଖ ଅଭିଯୁକ୍ତ ତଥା ଜନସାଧାରଣଙ୍କ ସଂସ୍ପର୍ଶରେ ଆସିବା ଆଦି କାରଣରୁ ଜିଲ୍ଲାର ୬ ଜଣ ପୋଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜିଲ୍ଲାର ୫ଟି ଥାନାର ଇନ୍ସପେକ୍ଟର ଅଛନ୍ତି। ଏଥିସହ ଆଉ ଜଣେ ଇନ୍ସପେକ୍ଟର ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ସେ ଅନ୍ୟ ଜିଲ୍ଲାକୁ ବଦଳି ହୋଇଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ଛାଡ଼ି ନଥିବା କେନ୍ଦ୍ରାପଡ଼ା ଏସ୍‌ପି ନୀତିଶେଖର ସୂଚନା ଦେଇଛନ୍ତି।

ଜମ୍ବୁ ସାମୁଦ୍ରିକ ଥାନା ଇନ୍ସପେକ୍ଟର ମହେଶ୍ଵର ସେଠୀ କରୋନା କବଳରୁ ଏବେ ମୁକ୍ତ ହୋଇଛନ୍ତି। ରାଜନଗର ଥାନା ଆଇଆଆଇସି ତପନ କୁମାର ନାୟକ ଗତକାଲି ଜିଲ୍ଲା ସରକାରୀ କୋଭିଡ୍ ହସ୍ପିଟାଲରୁ ଫେରି ହୋମ୍ ଆଇସୋଲେସନରେ ଅଛନ୍ତି। ସେହିପରି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀ ଓ ମହାକାଳପଡ଼ା ଥାନା ଆଇଆଇସି ମନୋରଞ୍ଜନ ଚୌଧୁରୀ ହୋମ୍ ଆଇସୋଲେସନରେ ରହିଛନ୍ତି।

ତନ୍ତିଆପାଳ ସାମୁଦ୍ରିକ ଥାନା ଆଇଆଇସି ଜ୍ୟୋତିରଞ୍ଜନ ସ୍ଵାଇଁଙ୍କୁ ଭୁବନେଶ୍ଵରର ଏକ ସରକାରୀ କୋଭିଡ୍ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି। ଜମ୍ବୁ ସାମୁଦ୍ରିକ ଥାନାରେ ଥିବା ଆଇଆଇସି ରାମକୁମାର ମୁର୍ମୁଙ୍କ କେନ୍ଦ୍ରାପଡ଼ା ଜିଲ୍ଲାରୁ ବଦଳି ହୋଇଥିଲେ ମଧ୍ୟ ସେ ମାର୍ଶାଘାଇ ଅଞ୍ଚଳରେ ସପରିବାର ରହୁଛନ୍ତି। ଶ୍ରୀ ମୁର୍ମୁ କରୋନା ପଜିଟିଭ୍ ହେବା ପରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ସରକାରୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ତାଙ୍କୁ ଭୁବନେଶ୍ଵରର ଏକ ସରକାରୀ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Comment