ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଦିନେ ରାଜନୀତିରେ ନବୀନ ଥିବା ନବୀନ ପଟ୍ଟନାୟକ ଆଜି ବିରୋଧୀଙ୍କ ପାଇଁ ପାଲଟିଛନ୍ତି ଏକ ଅଭେଦ୍ୟ ଦୁର୍ଗ!

୭୫ ବର୍ଷ ବୟସରେ ପାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ପାଇଁ ନବୀନ ଏଥର ତାଙ୍କ ଜନ୍ମଦିନ ପାଳନ କରି ନାହାନ୍ତି। ଶୁଭେଚ୍ଛୁମାନେ ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ନବୀନ ନିବେଦନ କରିଛନ୍ତି। ରକ୍ତ ଓ ପ୍ଲାଜ୍‌ମା ଦାନ କରିବାକୁ ସେ ଲୋକଙ୍କୁ ଆହ୍ଵାନ ଦେଇଛନ୍ତି।

ବାଲୁକା କଳାରେ ମୁଖ୍ୟମନ୍ତ୍ରୀଙ୍କୁ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା

ରାଜନୀତିରେ ବୟସର କିଛି ମାପଦଣ୍ଡ ନଥାଏ। ଏହାକୁ ପ୍ରମାଣିତ କରିଛନ୍ତି ନବୀନ ପଟ୍ଟନାୟକ। ୫୦ ବର୍ଷ ବୟସ ପରେ ସେ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ। ତାହା ମଧ୍ୟ ଥିଲା ଆକସ୍ମିକ। ହେଲେ ଆଜି ନବୀନ ଦେଶର ଜଣେ ସଫଳ ରାଜନେତା ଭାବେ ପରିଚିତ। ତା’ ସାଙ୍ଗକୁ ଗତ ୨୦୦୦ ମସିହାରୁ ଲଗାତର ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହି ସେ ରାଜନୈତିକ ତରାଜୁରେ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

୨୦୦୦ ଏବଂ ୨୦୦୪ ମସିହାରେ ବିଜେପି ସହିତ ମେଣ୍ଟ କରି ନବୀନ ରାଜ୍ୟରେ ସରକାର ଗଢ଼ିଥିଲେ। ତେବେ ଗତ ଦୁଇଟି ନିର୍ବାଚନରେ ଏକକ ଭାବେ ଲଢ଼ି ବିଜୁ ଜନତା ଦଳକୁ ଏପର୍ଯ୍ୟନ୍ତ ରାଜ୍ୟର ଅପ୍ରତିଦ୍ଵନ୍ଦ୍ଵୀ ଦଳ ବୋଲି ପ୍ରମାଣିତ କରିଛନ୍ତି। ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇ ନବୀନ ଜନମତକୁ ନିଜ ସପକ୍ଷରେ ରଖିବା ସହିତ ବିରୋଧୀଙ୍କ ପାଇଁ ଆଜି ବି ଏକପ୍ରକାର ରାଜନୈତିକ ବିସ୍ମୟ ପାଲଟିଛନ୍ତି।

ଗତ ନିର୍ବାଚନଗୁଡ଼ିକରେ ଗୋଟିକ ପରେ ଗୋଟିକରେ ଅଧିକରୁ ଅଧିକ ଲୋକପ୍ରିୟତା ପ୍ରମାଣିତ କରିଛନ୍ତି ନବୀନ। ବିରୋଧୀଙ୍କ ସବୁପ୍ରକାର ଷ୍ଟ୍ରାଟେଜି ଏବଂ ପରିଶ୍ରମ ବିଜେଡିର ବିଜୟକୁ ଅଟକାଇ ପାରିନାହିଁ।

ଓଡ଼ିଶା ରାଜନୀତିରେ ନବୀନ

ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଯେତେବେଳେ ବିଜୁ ପରିବାରର ନେତାଙ୍କ ମଧ୍ୟରେ ନେତୃତ୍ୱକୁ ନେଇ ସଙ୍କଟ ଦେଖାଦେଇଥିଲା ସେତେବେଳେ ନବୀନ ହିଁ ରାହା ପାଲଟିଥିଲେ। ଓଡ଼ିଶାରେ ଜନତା ଦଳ ଭାଙ୍ଗି ସୃଷ୍ଟି ହେଲା ବିଜୁ ଜନତା ଦଳ। ବିଜୁ ବାବୁଙ୍କ ନାଁରେ ଗଠିତ ଏହି ରାଜନୈତିକ ଦଳର ନେତୃତ୍ୱ ନେଇ ନବୀନ ନୂଆଦିଲ୍ଲୀର ଭିନ୍ନ ଜୀବନଶୈଳୀ ଛାଡି ଓଡ଼ିଶାରେ ଆସି ପହଞ୍ଚିଥିଲେ।

୧୯୯୭ରୁ ୨୦୨୦। ଏହି ୨୩ ବର୍ଷ ଭିତରେ ନବୀନ ସଫଳତାର ସହ ଗୋଟିଏ ପରେ ଗୋଟିଏ ଗୋଟି ଚାଳନା କରି କ୍ଷମତା ଓ ଲୋକପ୍ରିୟତାର ଶୀର୍ଷରେ ରହିଛନ୍ତି। ଏହି ସମୟ ଭିତରେ ନବୀନ ବିଭିନ୍ନ ଆହ୍ଵାନର ମୁକାବିଲା କରିଥିଲେ ମଧ୍ୟ ସେ ସବୁକୁ ସଫଳତାର ସହ ଉଡାଇ ଦେଇଛନ୍ତି।

୧୯୯୭ ଏପ୍ରିଲ ୧୭ ତାରିଖରେ ବିଜୁ ବାବୁଙ୍କର ଦେହାନ୍ତ ହୋଇଥିଲା। ବିଜୁ ଜନତା ଦଳର ଅୟମାରମ୍ଭ ସହ ସେହିବର୍ଷ ଆସିକା ଲୋକସଭା ଆସନରୁ ସାଂସଦ ଭାବେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ ନବୀନ। ୧୯୯୮ରେ ବାଜପେୟୀଙ୍କ ନେତୃତ୍ଵରେ ଗଠିତ ଏନଡିଏ ସରକାରରେ ସେ ଖଣିମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ତେବେ ଲୋକସଭା ଛାଡି ବିଧାନସଭା ମଇଦାନକୁ ୨୦୦୦ ମସିହାରେ ଓହ୍ଲାଇଥିଲେ ନବୀନ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇଥିଲେ ନବୀନ। ୨୦୦୦ ମସିହା ମାର୍ଚ୍ଚ ୫ ତାରିଖ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନରେ ବିଜେପି-ବିଜେଡି ମେଣ୍ଟ ସରକାରର ନେତା ଭାବେ ସେ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିଲେ। ଏହାପରଠୁ ଆଉ କେବେ ପଛକୁ ଫେରି ନାହାନ୍ତି ନବୀନ।

୨୦୦୯ ନିର୍ବାଚନ ପୂର୍ବରୁ ନବୀନଙ୍କ ପାଇଁ ଆସିଥିଲା ଏକ ପରୀକ୍ଷା। କନ୍ଧମାଳ ସାମ୍ପ୍ରଦାୟିକ ଦଙ୍ଗା ବେଳେ ସାଥୀ ବିଜେପିର ଭୂମିକା ନେଇ ସେ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ଶେଷରେ ବିଜେପିର ହାତ ଛାଡ଼ିଥିଲେ ନବୀନ। ହେଲେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିଥିଲେ ବି ୨୦୦୯ ନିର୍ବାଚନରେ ନବୀନଙ୍କ ଲୋକପ୍ରିୟତାରେ କୌଣସି ପ୍ରଭାବ ପଡ଼ିନଥିଲା। ଯଥେଷ୍ଟ ସଂଖ୍ୟକ ଆସନ ପାଇ ବିଜେଡି ଏକକ ଭାବେ ସେଥର ସରକାର ଠିଆ କରାଇଥିଲା।

ସେହିପରି ୨୦୧୪ ନିର୍ବାଚନରେ ମଧ୍ୟ ବିଜେଡି ତା’ର ଜୟଯାତ୍ରା ବଜାୟ ରଖିବା ସହ ବିରୋଧୀ କଂଗ୍ରେସ ଏବଂ ବିଜେପିକୁ କ୍ଷମତାଠାରୁ ଯଥେଷ୍ଟ ଦୂରତାରେ ଠିଆ ହେବାକୁ ବାଧ୍ୟ କରିଥିଲା। ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ଭୋଟ ରାଜନୀତିର ମାପକୁ ବୁଝି ନବୀନଙ୍କ ଶିବିର ଏଯାଏଁ ଯେଉଁ ରାଜନୀତିକ ଷ୍ଟ୍ରାଟେଜି କରି ଆସିଛନ୍ତି ବିରୋଧୀଙ୍କ ପାଇଁ ତାହା ଲଗାତର ଭାବେ ଏକ ଅଭେଦ୍ୟ ବ୍ୟୂହ ସୃଷ୍ଟି କରିଛି!

ବିରୋଧୀଙ୍କୁ ସୁଯୋଗ ଦେଉ ନାହାନ୍ତି ନବୀନ

୨୨ ବର୍ଷର ଲମ୍ବା ରାଜନୀତିକ କ୍ୟାରିଅର ଭିତରେ ନବୀନ ବିରୋଧୀଙ୍କୁ ବାଟ ଛାଡୁ ନାହାନ୍ତି। ନିର୍ବାଚନ ପରେ ନିର୍ବାଚନ ଆସିଛି ଯାଇଛି, ହେଲେ ସଫଳ ରଣନୀତି ବଳରେ ନବୀନ ନିଜର ସ୍ଥିତି ସୁଦୃଢ଼ କରିପାରିଛନ୍ତି। ୨୦୧୯ ନିର୍ବାଚନରେ ବି ନବୀନ ବିରୋଧୀଙ୍କୁ ମାତ୍ ଦେଇଛନ୍ତି।

ସାରା ଦେଶରେ ବହୁଥିଲା ମୋଦୀ ଲହର। ଏହାକୁ ଆଧାର କରି ବିଜେପି ଲଢ଼ିଥିଲା ନିର୍ବାଚନ। ଓଡ଼ିଶାରୁ ନବୀନଙ୍କ ଶାସନର ଅନ୍ତ ଘଟାଇବା ପାଇଁ ବିଜେପି ୧୨୦ ମିଶନର ଲକ୍ଷ୍ୟ ରଖିଥିଲା। ପ୍ରତି ନିର୍ବାଚନମଣ୍ଡଳୀରେ ବିଜେଡିକୁ ଚେକ୍ ଦେବାକୁ ଉଦ୍ୟମ କରିଥିଲା ବିଜେପି। ହେଲେ ନବୀନଙ୍କ ଲୋକପ୍ରିୟତା ଆଗରେ ବିରୋଧୀ ବିଜେପିର ରଣନୀତି ଫିକା ପଡ଼ି ଯାଇଥିଲା। ବିଜେପି ୨୩ ଆସନରେ ସନ୍ତୁଷ୍ଟ ରହିଥିଲା। ନବୀନ ନିଜକୁ ଅପ୍ରତିଦ୍ଵନ୍ଦ୍ଵୀ ନେତା ଭାବେ ପୁଣି ପ୍ରମାଣିତ କରିଥିଲେ।

ନବୀନଙ୍କୁ ବୁଝିବା ମୁସ୍କିଲ!

୨୦୧୯ ନିର୍ବାଚନ ବେଳେ ବିଜେପି-ବିଜେଡି ଭିତରେ ଯେମିତି ଛକାପଞ୍ଝା ଚାଲିଥିଲା ନିର୍ବାଚନ ପରେ ତାହା ବଦଳି ଯାଇଛି। କେନ୍ଦ୍ରରେ ବିଜେଡି ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରି ଆସୁଛି। ଲୋକସଭା ବାଚସ୍ପତି ନିର୍ବାଚନ, ତିନି ତଲାକ୍ ବିଲ୍, ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗରେ ବିଜେଡିର ସମର୍ଥନ ଓଡ଼ିଶାରେ ବିଜେପିକୁ ଅଡୁଆରେ ପକାଇଥିଲା।

ଏପଟେ ରାଜ୍ୟସଭା ପାଇଁ ବିଜେପି ପ୍ରାର୍ଥୀ ଅଶ୍ଵିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ରାଜନୀତି ପଣ୍ଡିତଙ୍କ ବିସ୍ମିତ କରିଥିଲା। ଓଡ଼ିଶାରେ ବିଜେଡିକୁ ବିଭିନ୍ନ ପ୍ରସଙ୍ଗରେ ବିଜେପି ଘେରୁଥିବା ବେଳେ କେନ୍ଦ୍ରର ବିଜେପି ନେତା ନବୀନଙ୍କୁ ସଫଳତାର ସାର୍ଟିଫିକେଟ ଦେବା ରାଜନୀତି କରିଡରକୁ ହଲଚଲ୍ କରି ଦେଇଛି। ଏଣୁ ନବୀନ ପଟ୍ଟନାୟକ କେତେବେଳେ କ’ଣ କରୁଛନ୍ତି ତାହା ବୁଝିବା ମୁସ୍କିଲ ହୋଇଯାଇଛି।

୨୩ ବର୍ଷର ରାଜନୀତିକ କ୍ୟାରିଅର ଭିତରେ ନବୀନ ୧୯ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି। ଏହି ୧୯ ବର୍ଷର ଶାସନ କାଳରେ ନବୀନ କେବେ ପଛକୁ ଫେରି ନାହାନ୍ତି। ନିର୍ବାଚନ ପରେ ନିର୍ବାଚନ ଜିତି ସାରା ଦେଶରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ହାସଲ କରିଛନ୍ତି।

Comment