ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ସଦର ଥାନା ଯଦୁପୁର ଗାଁର ଜଣେ ନାବାଳିକାଙ୍କୁ ଅପହରଣ ଓ ହତ୍ୟା ଘଟଣାର ୩ ମାସ ପରେ ମଧ୍ୟ ପୋଲିସ ହାତ ଖାଲି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବାରେ ପୋଲିସ ବିଫଳ ହୋଇଛି। ଏଣୁ କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ କଂଗ୍ରେସ ପକ୍ଷରୁ ଶୁକ୍ରବାର ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଜୁଲାଇ ୧୪ ତାରିଖ ସନ୍ଧ୍ୟାରେ ଯଦୁପୁର ଗାଁ ଦାଣ୍ଡରୁ ଜଣେ ୫ ବର୍ଷୀୟ ନାବାଳିକାଙ୍କୁ କେହି ଅପହରଣ କରି ନେଇଥିଲା। ଏହାର ୮ ଦିନ ପରେ ଗାଁ ନିକଟରୁ ଏକ ବସ୍ତା ଭିତରୁ କିଛି ହାଡ଼, କଙ୍କାଳ ଜବତ ହୋଇଥିଲା। ତେବେ ଏହି ନିଷ୍ପାପ ଶିଶୁ କନ୍ୟାକୁ କିଏ ଓ କାହିଁକି ଅପହରଣ କରିନେଇ ହତ୍ୟା କଲା ତାହା ଏବେ ମଧ୍ୟ ରହସ୍ୟ ଘେରରେ ରହିଛି।

କଂଗ୍ରେସ ଏଥିପାଇଁ ସ୍ଥାନୀୟ ପୋଲିସର ଶୀଥିଳତାକୁ ଦାୟୀ କରିଛି। ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ପୋଲିସକୁ ପ୍ରଦାନ କରିବା ନେଇ ଡିଜିଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ଦାବି ପତ୍ର ପ୍ରଦାନ କରିଛି।ଏହି ବିକ୍ଷୋଭ ଆନ୍ଦୋଳନରେ ରଣଜିତ ଦାଶ, ହୁସେନ ଖାଁ, ମନୋଜ କୁମାର ସାହୁ, କମଳ ଚରଣ ସାହୁ, ଫକିର ମଲ୍ଳ ଓ ମଦନ ମୋହନ ବିଶୋଇ ଆଦି ୨୦ରୁ ଅଧିକ କର୍ମକର୍ତ୍ତା ସାମିଲ ହୋଇଥିଲେ।

Comment