ଓଡ଼ିଶାଲାଇଭ୍ ବ୍ୟୁରୋ

ଭଲ ଚାକିରିଟିଏ କରି ଆରାମଦାୟକ ଜୀବନ ବଞ୍ଚିବାକୁ ପ୍ରତ୍ୟେକ ମଣିଷ ସ୍ଵପ୍ନ ଦେଖନ୍ତି। ଏମିତିରେ ଯଦି ଜଣଙ୍କୁ କେବଳ ବିସ୍କୁଟ ଖାଇବା ପାଇଁ ଚାକିରି ଦିଆଯିବ ଏବଂ ଏଥିପାଇଁ ୪୦ ଲକ୍ଷ ଟଙ୍କା ଦରମା ମିଳିବ ତେବେ ସେ ଖୁସିରେ ନାଚି ଉଠିବେ ନିଶ୍ଚୟ। କଥାଟା ସ୍ଵପ୍ନ ପରି ଲାଗିଲେ ମଧ୍ୟ ସତ। ଏବେ ଏମିତି ଏକ ଚାକିରି ଅଫର୍ କରୁଛି ସ୍କଟ୍‌ଲ୍ୟାଣ୍ଡର ଏକ କମ୍ପାନି। କେବଳ ବିସ୍କୁଟ ଖାଇ ସ୍ଵାଦ ବତାଇବା ପାଇଁ ଏହି କମ୍ପାନି ତା’ର କର୍ମଚାରୀଙ୍କୁ ୪୦ ଲକ୍ଷ ଟଙ୍କା ଦରମା ଦେବ ବୋଲି ଘୋଷଣା କରିଛି।ସ୍କଟ୍‌ଲ୍ୟାଣ୍ଡର ବିସ୍କୁଟ ନିର୍ମାତା କମ୍ପାନି ‘ବର୍ଡର ବିସ୍କୁଟ’ ଏମିତି ଏକ ଚାକିରି ପାଇଁ ବିଜ୍ଞାପନ ଦେଇଛି। କମ୍ପାନି ଏବେ ‘ମାଷ୍ଟର ବିସ୍କୁଟର’ଙ୍କ ସନ୍ଧାନରେ ଅଛି। ଏହି ମାଷ୍ଟର ବିସ୍କୁଟର କମ୍ପାନିର ବିଭିନ୍ନ ବିସ୍କୁଟର ସ୍ଵାଦ ଚାଖିବେ। ତାହା ଭଲ ହୋଇଛି କି ନାହିଁ ଜଣାଇବେ। ଏହି ଚାକିରି ପାଇଁ କମ୍ପାନି ବର୍ଷକୁ ୪୦ ହଜାର ପାଉଣ୍ଡ ଅର୍ଥାତ୍ ୪୦ ଲକ୍ଷ ଟଙ୍କା ପ୍ୟାକେଜ୍ ଦେବ।

ତେବେ ଆବେଦନକାରୀଙ୍କ ମଧ୍ୟରେ କମ୍ପାନି କିଛି ବିଶେଷ ଦକ୍ଷତା ଖୋଜୁଛି। ଏହି ଚାକିରି ପାଇଁ ଆବେଦନ କରୁଥିବା ଆଶାୟୀ ବିସ୍କୁଟର ସ୍ଵାଦ ଓ ବିସ୍କୁଟ ଉତ୍ପାଦନ ବିଷୟରେ ବହୁତ ଭଲ ଭାବେ ଜାଣିଥିବା ଜରୁରୀ। ଏଥିସହ ସେ ନେତୃତ୍ଵ ନେବାରେ ପାରଙ୍ଗମ ଓ କଥାବାର୍ତ୍ତାରେ ମାହିର ହୋଇଥିବା ଦରକାର। କମ୍ପାନିର କହିବା କଥା ହେଉଛି, ଯେଉଁ ଆବେଦନକାରୀ ଗ୍ରାହକଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବା ପାଇଁ ଆକର୍ଷଣୀୟ ଉପାୟ ବତାଇବେ ତାଙ୍କୁ ଏହି ଚାକିରି ପାଇଁ ଅଗ୍ରାଧିକାର ଦିଆଯିବ।କମ୍ପାନିର ପରିଚାଳନା ନିର୍ଦ୍ଦେଶକ ପଲ୍ ପାର୍କିନ୍ସ କହିଛନ୍ତି ଯେ, ଏହି ଚାକିରି ଲାଗି ଆବେଦନ କରିବାକୁ କମ୍ପାନି ସାରା ଦେଶର ଲୋକଙ୍କୁ ଉତ୍ସାହିତ କରୁଛି। ସାକ୍ଷାତକାର ପାଇଁ କିଛି ଭଲ ଆବେଦନକାରୀଙ୍କୁ ନିମନ୍ତ୍ରଣ କରାଯାଇଛି। ତେବେ ଏହି ଚାକିରି ଫୁଲ୍‌ ଟାଇମ୍ ହେବ। ଏହା ବ୍ୟତୀତ କର୍ମଚାରୀଙ୍କୁ ବର୍ଷରେ ୩୫ ଦିନ ଛୁଟି ମିଳିବ ବୋଲି ପଲ୍ କହିଛନ୍ତି। ପଲ୍‌ଙ୍କ ମତରେ ଯେକୌଣସି ଲୋକ ପାଇଁ ଏହି ଚାକିରି ଏକ ଅବିଶ୍ଵସନୀୟ ସୁଯୋଗ। ଏହି ଚାକିରି କରି ଯେ କେହି ବି ନିଜ ସ୍ଵପ୍ନ ସାକାର କରିପାରିବ।

ସେହିପରି କମ୍ପାନିର ଉତ୍ପାଦ ମୁଖ୍ୟ ସୁଜି କାର୍ଲା କହିଛନ୍ତି ଯେ, ଗ୍ରାହକଙ୍କୁ ସର୍ବୋତ୍ତମ ସ୍ଵାଦ ଓ ଗୁଣବତ୍ତାସମ୍ପନ୍ନ ବିସ୍କୁଟ ଯୋଗାଇବା ପାଇଁ ଆମ କମ୍ପାନି ପ୍ରତିବଦ୍ଧ। ଏହି ପ୍ରତିବଦ୍ଧତାକୁ କାର୍ଯ୍ୟକାରୀ କରିବା ପାଇଁ ଆମେ ଏକ ନୂଆ ‘ମାଷ୍ଟର ବିସ୍କୁଟର’ଙ୍କ ସନ୍ଧାନରେ ଅଛୁ।

୨୦୧୯ରେ କ୍ୟାଡବରୀ ମଧ୍ୟ ଏମିତି ଏକ ଚାକିରି ପ୍ରଦାନ କରିଥିଲା। ସେତେବେଳେ କ୍ୟାଡବରୀ ଉତ୍ପାଦଗୁଡ଼ିକ ଦୋକାନକୁ ଆସିବା ପୂର୍ବରୁ ସେଗୁଡ଼ିକର ନମୁନା ସଂଗ୍ରହ କରିବାକୁ କମ୍ପାନି ୪ ଜଣ ଚକୋଲେଟ୍ ଟେଷ୍ଟରଙ୍କ ସନ୍ଧାନରେ ଥିଲା।

Comment