ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଉପ ନିର୍ବାଚନ ଜିତିବାକୁ ତିନି ଦଳର ଜୋରଦାର୍ କସରତ।

ବାଲେଶ୍ୱର ଉପନିର୍ବାଚନ ପାଇଁ ମତଦାନ ତାରିଖ ଯେତେ ପାଖେଇ ଆସୁଛି, ନିର୍ବାଚନମଣ୍ଡଳୀ ସେତେ ସ୍ଥାନୀୟ ପ୍ରାର୍ଥୀଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ସବୁ ଦଳର ରାଜ୍ୟସ୍ତରୀୟ ନେତାଙ୍କ ନିୟନ୍ତ୍ରଣକୁ ଚାଲିଆସିଲାଣି ସହର ଓ ଗ୍ରାମାଞ୍ଚଳ। ସ୍ଥାନୀୟ ନେତା ଖାଲି ସାମ୍ନାରେ ଠିଆ ହେଉଛନ୍ତି, ହେଲେ ଅସଲ ଲଢ଼େଇ ଲଢୁଛନ୍ତି ରାଜ୍ୟସ୍ତରୀୟ ନେତା। ଖାଲି ନେତା ନୁହେଁ, ବାହାରୁ ମଧ୍ୟ ଶହଶହ କର୍ମୀ, ଯୁବ, ଛାତ୍ର, ମହିଳା, କୃଷକ ମୋର୍ଚ୍ଚାର ନେତାମାନେ ମଧ୍ୟ ଆସି ଡେରା ପକାଇଛନ୍ତି।ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପ୍ରଚାର ପାଇଁ ପ୍ରାୟ ସବୁ ମନ୍ତ୍ରୀ ଓ ବରିଷ୍ଠ ନେତା ଆସି ଏଠି ଡେରା ପକାଇଛନ୍ତି। ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ସବୁଠି ଏମାନଙ୍କୁ ଦେଖିବାକୁ ମିଳୁଛି। କେଉଁଠି ମନ୍ତ୍ରୀ ପେପର ବାଣ୍ଟୁଛନ୍ତି ତ ଆଉ କେଉଁଠି ଚା ପିଇବା ବେଳେ ପହଞ୍ଚିଯାଉଛନ୍ତି ବରିଷ୍ଠ ନେତା। ସବୁଦିନ ଏକାଧିକ ମିଶ୍ରଣ ପର୍ବ ଚାଲିଛି। ବିଜେଡି ଛାଡ଼ିଯାଇଥିବା ନେତାଙ୍କର ଘର ବାହୁଡ଼ା ହେଉଛି। ବିଜେଡି ପ୍ରଚାର ପାଇଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କ୍ୟାପଟେନ  ଦିବ୍ୟଶଙ୍କର ମିଶ୍ର, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ସମୀର ଦାଶ, ସୁଦାମ ମାର୍ଣ୍ଡି, ନବକିଶୋର ଦାସଙ୍କ ଭଳି ମନ୍ତ୍ରୀଙ୍କ ସମେତ ରୋହିତ ପୂଜାରୀ, ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ପ୍ରମିଳା ମଲ୍ଲିକ, ପୂର୍ବତନ ବିଧାୟକ ତଥା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଯୁବ ନେତା ଚିନ୍ମୟ ସାହୁଙ୍କ ସମେତ ବହୁ ନେତା ଆସି ୱାର୍ଡ ୱାର୍ଡ ବୁଲି ପ୍ରଚାର କରୁଛନ୍ତି। ନେତାଙ୍କ ମଧ୍ୟରେ ୱାର୍ଡ ଭାଗ କରିଦିଆଯାଇଛି। ପ୍ରତିଟି ଭୋଟ ଉପରେ ନଜର ରଖିଛି ବିଜେଡି।ଗତ ନିର୍ବାଚନରେ ବିଜେପି ଜିତିଥିବା ବେଳେ ସ୍ୱାଭାବିକ ଭାବେ ଦଳର ପଲ୍ଲା ଭାରି ରହିବା କଥା। କିନ୍ତୁ ଯେତିକି ଆଶା କରାଯାଉଥିଲା, ବିଜେପି ପାଇଁ ସ୍ଥିତି ସେତିକି ସହଜ ନୁହେଁ। ଏଥର ତ୍ରିମୁଖୀ ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି। ତେବେ ବିଜେପି-ବିଜେଡି ମଧ୍ୟରେ ଡାଇରେକ୍ଟ ଫାଇଟ ହେବାର ବେଶୀ ସମ୍ଭାବନା ରହିଛି।ବିଜେଡିର ଶକ୍ତି ବୃଦ୍ଧିକୁ ଲକ୍ଷ୍ୟ ରଖି, ବିଜେପିର ରାଜ୍ୟସ୍ତରୀୟ ନେତା ମଧ୍ୟ ଏଠାକୁ ପ୍ରଚାର ପାଇଁ ଆସିଛନ୍ତି। ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ନିଜେ ପ୍ରଚାରର ମଙ୍ଗ ଧରିଛନ୍ତି। ତାଙ୍କ ପରାମର୍ଶ କ୍ରମେ ବିଭିନ୍ନ ରାଜ୍ୟସ୍ତରୀୟ ନେତା ଆସି ପ୍ରଚାର କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଟଙ୍କଧର ତ୍ରିପାଠୀ, ଠାକୁର ରଣଜିତ ଦାସଙ୍କ ଭଳି ବହୁ ନେତା ଆସି ଏଠାରେ ଡେରା ପକାଇଥିବା ବେଳେ, ଆଗକୁ ମଧ୍ୟ ଆହୁରି ନେତା ଆସି ପହଞ୍ଚିବେ। ସାଂସଦ ତଥା ଜାତୀୟ ମୁଖପାତ୍ର ଅପରାଜିତା  ଷଡ଼ଙ୍ଗୀ, ସମ୍ବିତ ପାତ୍ର ମଧ୍ୟ ପ୍ରଚାରକୁ ଆସିବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସି ପ୍ରଚାରର ମଙ୍ଗ ଧରିବେ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି।

କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ମମତା କୁଣ୍ଡୁ। ତାଙ୍କ ପାଇଁ ମଧ୍ୟ ରାଜ୍ୟସ୍ତରୀୟ ନେତା ପ୍ରଚାର ଆରମ୍ଭ କରିଛନ୍ତି। ବାଲେଶ୍ୱର ଲୋକସଭା ଆସନ ପାଇଁ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ନବଜ୍ୟୋତି ପଟ୍ଟନାୟକ ପ୍ରଚାର ଓ ସଂଗଠନର ଦାୟିତ୍ୱ ନେଇଥିଲେ ମଧ୍ୟ ତାଙ୍କୁ ପ୍ରଚାରରେ ସହଯୋଗ କରୁଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି। ଏ କ୍ଷେତ୍ରରେ ପଛରେ ପଡ଼ିଯାଇଛି କଂଗ୍ରେସ। ତଥାପି କଡ଼ା ଟକ୍କର ଦେବା ପାଇଁ ପ୍ରାର୍ଥୀ ଓ ନେତା ଚେଷ୍ଟା ଚଳାଇଛନ୍ତି।ରାଜ୍ୟସ୍ତରୀୟ ନେତା ଓ ମନ୍ତ୍ରୀଙ୍କ ପ୍ରଚାରରେ କିନ୍ତୁ ଚାପରେ ରହୁଛନ୍ତି ଭୋଟର। ସେପଟେ ପ୍ରାର୍ଥୀମାନେ ମଧ୍ୟ କେବଳ ତାଙ୍କ ସହିତ ପ୍ରଚାରକୁ ଯାଉଛନ୍ତି।ହେଲେ ସବୁ କିଛି ନିୟନ୍ତ୍ରଣ ହେଉଛି ଏ ରାଜ୍ୟସ୍ତରୀୟ ନେତାଙ୍କ ଦ୍ୱାରା।

ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ସ୍ୱର୍ଗତ ମଦନମୋହନ ଦତ୍ତ ୭୪,୮୧୫ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଜୀବନପ୍ରଦୀବ ଦାଶ ୬୧,୪୦୯ ଖଣ୍ଡ ଭୋଟ ପାଇଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀ ମାତ୍ର ୧୯,୭୦୪  ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ତେଣୁ ଏଥର କେଉଁ ପ୍ରାର୍ଥୀ କେତେ ଭୋଟ ପାଉଛନ୍ତି ତାକୁ ହିଁ ସମସ୍ତଙ୍କ ଅପେକ୍ଷା।

Comment