ଓଡ଼ିଶାଲାଇଭ୍ ବ୍ୟୁରୋ

  • ଲାଇସେନ୍ସ ଫି’ ନେବନି ପୋଲିସ, କେବଳ ଆଇ ବଣ୍ଡ୍ ଦାଖଲ
  • ଥାନା ସ୍ତରରେ ମୂର୍ତ୍ତି ଯିବା ରୁଟ୍ ପ୍ରସ୍ତୁତ କରିବ ପୋଲିସ
  • ଗୋଟିଏ ଦିନରେ ସରିବ ବିସର୍ଜନ
  • ୨୮ ତାରିଖରେ ସଦର ଥାନା ଅଞ୍ଚଳରେ ବିସର୍ଜନ ହେବ

କଟକ: ଚଳିତବର୍ଷ କଟକ ସହରରେ ପ୍ରସିଦ୍ଧ ଦଶହରା ଭସାଣି ଯାତ୍ରା ଅନୁଷ୍ଠିତ ହେବନି। ସରକାରୀ ନିୟମ ଓ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, କେବଳ ମୂର୍ତ୍ତି ବିସର୍ଜନ କରାଯିବ। ତେବେ ଏହି ମୂର୍ତ୍ତି ବିସର୍ଜନ ପାଇଁ ମଧ୍ୟ ପୋଲିସଠାରୁ ଲାଇସେନ୍ସ ନେବା ବାଧ୍ୟତାମୂଳକ। ଏହି ଲାଇସେନ୍ସ ଅନୁସାରେ ପୋଲିସ ଥାନା ସ୍ତରରେ ମୂର୍ତ୍ତି ଯିବାର ରୁଟ୍ ପ୍ରସ୍ତୁତ କରିବ। ଅନ୍ୟପଟେ ଲାଇସେନ୍ସ ପାଇଁ ପୋଲିସ ଏବର୍ଷ କୌଣସି ଫି’ ନେବନି। କେବଳ ଦରଖାସ୍ତ ସହିତ ଆଇ ବଣ୍ଡ୍ ଦାଖଲ କରାଯିବା ପରେ ପୋଲିସ ଲାଇସେନ୍ସ ଜାରି କରିବ।

ଚଳିତବର୍ଷ କଟକ ସହରରେ ଗୋଟିଏ ଦିନରେ ମୂର୍ତ୍ତି ବିସର୍ଜନ ଶେଷ ହେବ। ସଦର ଥାନା ଅଞ୍ଚଳରେ କିଛି ମଣ୍ଡପର ମୂର୍ତ୍ତିକୁ ୨୮ ତାରିଖ ଦିନ ବିସର୍ଜନ କରାଯିବ।କରୋନା କଟକଣା ଭିତରେ ଚଳିତବର୍ଷ କଟକରେ ଦଶହରା ପର୍ବ ଅନୁଷ୍ଠିତ ହେଉଛି। ପୂଜାଠାରୁ ବିସର୍ଜନ ପର୍ଯ୍ୟନ୍ତ ସବୁଥିରେ କଟକଣା ରହିଛି। ଏବର୍ଷ ଦଶହରାରେ ଛୋଟ ମୂର୍ତ୍ତି ଓ ଆବଦ୍ଧ ମଣ୍ଡପରେ ପୂଜା କରାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସରକାରୀ କଟକଣା ହେତୁ କଟକର ପ୍ରସିଦ୍ଧ ଦଶହରା ଭସାଣି ଏବର୍ଷ ଅନୁଷ୍ଠିତ ହେବନି।

ବିସର୍ଜନ ପାଇଁ ମୂର୍ତ୍ତି ଗଲା ବେଳେ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ପାରିବ ନାହିଁ। ବାଜା କିମ୍ବା ଲାଇଟ୍ ଯିବନି। ଦିନ ସମୟରେ ମୂର୍ତ୍ତିଗୁଡ଼ିକୁ ନେଇ ନିର୍ମାଣ କରାଯାଇଥିବା ୧୪ଟି ଅସ୍ଥାୟୀ ଜଳାଶୟରେ ବିସର୍ଜନ କରାଯିବ। ଏହି ବିସର୍ଜନ ପାଇଁ ମଧ୍ୟ ପୋଲିସଠାରୁ ଲାଇସେନ୍ସ ନେବାକୁ ପଡ଼ିବ।

ତେବେ ଲାଇସେନ୍ସ ପାଇଁ ପୂର୍ବଭଳି ଫି’ ଦେବାକୁ ହେବନି। କେବଳ ପୂଜା କମିଟିଗୁଡ଼ିକ ଏକ ଦରଖାସ୍ତ ସହିତ ୧୦୦ ଟଙ୍କାର ଷ୍ଟାମ୍ପ ପେପରରେ ଆଇ ବଣ୍ଡ୍ ଦାଖଲ କରିବେ। ନିଜ ନିଜ ଥାନାରେ ଏହାକୁ ଦାଖଲ କରାଯିବ। ଥାନାରୁ ଏହି ଦରଖାସ୍ତ ଡିସିପି ଅଫିସ ଆସିବା ପରେ ଲାଇସେନ୍ସ ଜାରି ହେବ। ତେବେ ଉକ୍ତ ଦିନ ଗୋଟିଏ ଥାନା ଅଞ୍ଚଳରେ କେତୋଟି ମୂର୍ତ୍ତି ବିସର୍ଜିତ ହେବ ତାହା ଜାଣିବା ପରେ ମୂର୍ତ୍ତି ଯିବାର ରୁଟ୍ ସ୍ଥିର କରାଯିବ।ସେହିପରି ପ୍ରତି ମଣ୍ଡପର ବିସର୍ଜନ କାର୍ଯ୍ୟକ୍ରମ ପାଇଁ ସୁରକ୍ଷାକର୍ମୀ ନିୟୋଜିତ ହେବେ। ଜଣେ ଅଫିସର ଓ କିଛି କନ୍‌ଷ୍ଟେବଳ ରହିବେ। ମୂର୍ତ୍ତିଗୁଡ଼ିକ କେବଳ ଅଟୋ କିମ୍ବା ଛୋଟ ଟ୍ରକ୍‌ରେ ଯାଇପାରିବ। ଚେଚିସ୍‌, ଟ୍ରଲି କିମ୍ବା କାନ୍ଧରେ ମୂର୍ତ୍ତି ଯାଇ ପାରିବ ନାହିଁ। ମୂର୍ତ୍ତି ସହିତ ସର୍ବାଧିକ ୭ ଜଣ ଲୋକ ବିସର୍ଜନ ସ୍ଥଳକୁ ଯାଇ ପାରିବେ। ବାଟରେ ମୂର୍ତ୍ତି ଗଲା ବେଳକୁ କେଉଁଠାରେ ଅଟକିବ ନାହିଁ। ମୂର୍ତ୍ତି ସହିତ କୌଣସି ବାଦ୍ୟ ଯନ୍ତ୍ର ଯିବନି। କେବଳ ମୂର୍ତ୍ତି ବିସର୍ଜନ ସମୟରେ ଗୋଟିଏ ଘଣ୍ଟ ବଜାଇ ପାରିବେ।

ଏକାଦଶୀ ତିଥି ବା ୨୭ ତାରିଖରେ ଏହି ବିସର୍ଜନ ପର୍ବ ଅନୁଷ୍ଠିତ ହେବ। ଯେଉଁମାନଙ୍କର ଦଶମୀ ତିଥି ବା ଦଶହରାରେ ମୂର୍ତ୍ତି ବିସର୍ଜନର ପରମ୍ପରା ରହିଛି ସେମାନଙ୍କୁ ସ୍ୱତନ୍ତ୍ର ଅନୁମତି ଦିଆଯିବ।  କଟକ ସଦର ଥାନା ଅଞ୍ଚଳର କିଛି ମୂର୍ତ୍ତି ପ୍ରତିବର୍ଷ କଟକ ସହରର ଭସାଣୀ ପରଦିନ ଅନୁଷ୍ଠିତ ହୁଏ। ତେଣୁ ଏବର୍ଷ ମଧ୍ୟ ୨୮ ତାରିଖ ଦିନ ସଦର ଥାନା ଅଧୀନ କିଛି ମୂର୍ତ୍ତିକୁ ବିସର୍ଜନ ପାଇଁ ଅନୁମତି ଦିଆଯିବ ବୋଲି ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comment