ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ନିର୍ବାଚନରେ ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ ମାଗଣାରେ କୋଭିଡ୍ ଟିକା ବାଣ୍ଟିବାକୁ ପ୍ରତିଶ୍ରୁତି ଦେଇଛି। ଯାହାକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ନିର୍ବାଚନ ଜିତିବାକୁ ବିଜେପିର ଏହା ଶସ୍ତା ରାଜନୀତି ବୋଲି ବିରୋଧୀମାନେ କହୁଛନ୍ତି। ଏସବୁ ଭିତରେ ଆଜି କୋଭିଡ୍ ଟିକାକୁ ନେଇ ନିଜର ମତ ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ।

କେଜରିୱାଲ କହିଛନ୍ତି ଯେ, ଦେଶର ପ୍ରତ୍ୟେକ ନାଗରିକଙ୍କୁ ମାଗଣାରେ କୋଭିଡ୍ ଟିକା ମିଳିବା ଉଚିତ୍। କରୋନା ଭାଇରସକୁ ନେଇ ସମସ୍ତେ ଅସୁବିଧାରେ ଅଛନ୍ତି। ତେଣୁ ସରକାର କୋଭିଡ୍ ଟିକାକୁ ମାଗଣାରେ ବାଣ୍ଟିବା ଉଚିତ୍। ଏହା ପ୍ରତ୍ୟେକ ଭାରତୀୟଙ୍କ ଅଧିକାର ବୋଲି କେଜରିୱାଲ କହିଛନ୍ତି।କୋଭିଡ୍ ଟିକାକୁ ନେଇ ଲଗାତାର ଦ୍ୱିତୀୟ ଥର ପାଇଁ ମୁହଁ ଖୋଲିଛନ୍ତି କେଜରିୱାଲ। ଏହାପୂର୍ବରୁ ବିଜେପିକୁ ଟାର୍ଗେଟ କରି କେଜରିୱାଲ କହିଥିଲେ ଯେ, ଯେଉଁ ଭାରତୀୟ ବିଜେପିକୁ ଭୋଟ ଦେବନି ବୋଧହୁଏ ତାକୁ କରୋନା ଟିକା ମାଗଣାରେ ମିଳିବନି।

ବିଶ୍ୱରେ ଏଯାବତ କରୋନାକୁ ଭଲ କରିପାରୁଥିବା ଟିକା ଉଦ୍ଭାବନ ହୋଇନାହିଁ। ହେଲେ ଟିକା ଆସିବା ପରେ ଏହା ଭାରତରେ ଖୁବଶୀଘ୍ର ଉପଲବ୍ଧ  ହେବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇସାରିଛନ୍ତି। ହେଲେ ଏହା ଲୋକମାନଙ୍କୁ ମାଗଣାରେ ଦିଆଯିବ ନା ଏଥିପାଇଁ ଲୋକଙ୍କୁ ଟଙ୍କା ଦେବାକୁ ପଡ଼ିବ ତାକୁ ନେଇ ଏବେ ଆଲୋଚନା ଚାଲିଛି।

Comment