ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍ ଟିକାକୁ ନେଇ ସାରା ଦେଶରେ ଏବେ ରାଜନୀତି ଜୋର୍ ଧରିଛି। ଦେଶବାସୀଙ୍କୁ ମାଗଣାରେ କୋଭିଡ୍ ଟିକା ଦିଆଯିବ କି ନାହିଁ ତାକୁ ନେଇ ବିରୋଧୀମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଏସବୁ ମଧ୍ୟରେ ସୋମବାର କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ କୋଭିଡ୍ ଟିକାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି।

ସମଗ୍ର ଦେଶବାସୀଙ୍କୁ ମୋଦୀ ସରକାର ମାଗଣାରେ କୋଭିଡ୍ ଟିକା ବାଣ୍ଟିବେ। ପ୍ରତି ବ୍ୟକ୍ତିକୁ କରୋନା ଟିକା ଦେବା ପାଇଁ ୫୫୦ ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ଆବଶ୍ୟକ ହେବାକୁ ଥିବା ସମସ୍ତ ଟଙ୍କା କେନ୍ଦ୍ର ସରକାର ଯୋଗାଡ଼ କରିସାରିଛନ୍ତି। ବାଲେଶ୍ୱର ଉପନିର୍ବାଚନକୁ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଏହି କଥା କହିଛନ୍ତି।ଏହାପୂର୍ବରୁ ବିହାର ନିର୍ବାଚନରେ ବିଜେପି ତା’ର ନିର୍ବାଚନୀ ଇସ୍ତାହାରରେ ମାଗଣାରେ କୋଭିଡ୍ ଟିକା ବାଣ୍ଟିବାକୁ ପ୍ରତିଶ୍ରୁତି ଦେଇଥିଲା। ବିଜେପିର ଏହି ଇସ୍ତାହାର ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ବିରୋଧୀମାନେ ଏହାକୁ ଏକ ନିର୍ବାଚନୀ ଜୁମଲା କହିବା ସହିତ ଏହାକୁ ତୀବ୍ର ନିନ୍ଦା କରିଥିଲେ।

ଓଡ଼ିଶାରେ ମଧ୍ୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ବିଷୟକୁ ନେଇ ବିଜେପିକୁ ଟାର୍ଗେଟ କରିଥିଲେ। ଯଦି ବିହାର ନିର୍ବାଚନରେ ବିଜେପି ମାଗଣାରେ କରୋନା ଟିକା ଦେବାକୁ ପ୍ରତିଶ୍ରୁତି ଦେଇପାରୁଛି। ତେବେ ଓଡ଼ିଶା ଲୋକଙ୍କୁ ମାଗଣାରେ ଟିକା ଦେବାକୁ ବିଜେପି କାହିଁକି ପଛଘୁଞ୍ଚା ଦେଉଛି ବୋଲି ମନ୍ତ୍ରୀ କହିଥିଲେ। ସୋମବାର ଏନେଇ ଉତ୍ତର ରଖିବା ସହିତ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମାଗଣା କୋଭିଡ୍ ଟିକା ବିଷୟରେ ଖୁଲାସା କରିଥିଲେ।

Comment