ଓଡ଼ିଶାଲାଇଭ୍ ବ୍ୟୁରୋ

ଶେଷ ହେଲା କଟକ ପ୍ରସିଦ୍ଧ ଦଶହରା। ବିନା ଭକ୍ତ, ଶୋଭାଯାତ୍ରାରେ ଜଗତଜନନୀ ମା’ଙ୍କୁ ଦିଆଗଲା ମେଲାଣି। କରୋନା କଟକଣା ମଧ୍ୟରେ ନିରାଡମ୍ଵର ଭାବେ କରାଗଲା ଭସାଣ ଉତ୍ସବ। ସହରର ପ୍ରାୟ ୧୬୦ଟି ପୂଜାମଣ୍ଡପରୁ ମା’ଙ୍କ ମୃଣ୍ମୟ ମୂର୍ତ୍ତିକୁ ଅଣାଯାଇ ୧୪ଟି ଅସ୍ଥାୟୀ ଜଳାଶୟରେ କରାଗଲା ବିର୍ସଜନ। ଶାନ୍ତି ଶୃଙ୍ଖଳା ସହ ଭସାଣ ଉତ୍ସବ ସମ୍ପର୍ଣ୍ଣ କରିଥିବାରୁ ସହରବାସୀ ଏବଂ ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲେ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ।

ମଙ୍ଗଳବାର ସକାଳ ୧୦ଟାରୁ ୧୨ଟା, ୧୨ଟାରୁ ୨ଟା, ୨ଟାରୁ ୪ଟା ଏବଂ ୪ଟାରୁ ୬ଟା ଏପରି ଚାରୋଟି ପର୍ଯ୍ୟାୟରେ କଟକ ସହରରେ ମା’ଦୁର୍ଗାଙ୍କୁ ମେଲାଣି ଦିଆଯାଇଛି। ପ୍ରତିଟି ପୂଜାକମିଟିର ସର୍ବାଧିକ ୭ଜଣ ସଦସ୍ୟଙ୍କ ଉପସ୍ଥିତିରେ ୧୪ଟି ଅସ୍ଥାୟୀ ଜଳାଶୟରେ ସହରର ୧୬୦ରୁ ଉର୍ଦ୍ଧ୍ଵ ପୂଜାମଣ୍ଡପରୁ ମା’ଦୁର୍ଗାଙ୍କ ମୂର୍ତ୍ତିକୁ ନିରାଡମ୍ଵର ଶୋଭାଯାତ୍ରାରେ ଅଣାଯାଇ ବିସର୍ଜନ କରାଯାଇଛି।କଟକ ସହରରେ ଦୁର୍ଗାପୂଜା ଯେମିତି ଧୁମ୍‌ଧାମ୍‌ରେ ପାଳନ ହୁଏ, ଭସାଣିକୁ ତାଠୁ ବେଶି ଜାକଜମକରେ ପାଳନ କରାଯାଏ। ଭସାଣି ଦିନ ବାଜା ବାଣର ଶବ୍ଦରେ ଦୁଲୁକି ଉଠେ ସହରର ରାସ୍ତାଗଳି। ଘରେ ଘରେ ଲାଗିଥାଏ କୁଣିଆଙ୍କ ଭିଡ଼। ଗୋଟିଏ ଗଳିରୁ ଆଉ ଗୋଟେ ଗଳିକୁ ଯିବାକୁ ବାଟ ମିଳେନି। ପୁରା ସହର ସଜେଇ ହୋଇଥାଏ ଭିନ୍ନ ଭିନ୍ନ ଆଲୋକ ମାଳାରେ। ଘୋଡ଼ାନାଚ, କଣ୍ଢେଇ ନାଚ, ଶିଙ୍ଘ, ତାଳମୁଳି, ଦଶାବତାର, ବ୍ୟାଣ୍ଡପାର୍ଟି, ଲାଇଟ୍ ଗେଟ୍‌ର ଲମ୍ଵା ଲମ୍ଵା ଶୋଭାଯାତ୍ରା ନେଇ ପଟୁଆରରେ ଆସିଥାନ୍ତି ସାହି ବଜାରର ପୂଜା କମିଟିମାନେ।ଦଶମୀ ତିଥି ଅପରାହ୍ଣରୁ ତା ପର ରାତି ଯାଏଁ ଗୋଟିକ ପରେ ଗୋଟିଏ କରି ମା’ଙ୍କୁ ବିସର୍ଜନ କରାଯାଇଥାଏ। କଟକ ଦେବୀଗଡ଼ାଠାରେ ମା’ଙ୍କୁ ଶେଷ ଦର୍ଶନ କରାବା ପାଇଁ ଲାଗିଥାଏ ଅସମ୍ଭାଳ ଭିଡ଼। ଶେଷରେ ମା’ଙ୍କୁ ମେଲାଣି ଦେଇ ଭାବ ବିହ୍ଵଳ ହୋଇପଡ଼ନ୍ତି ଶ୍ରଦ୍ଧାଳୁ।

କିନ୍ତୁ ଚଳିତ ବର୍ଷ ଏପରି ଦୃଶ୍ୟ ଦେଖିବାକୁ ମିଳିନାହିଁ। କରୋନା ପାଇଁ ଦଶହରାକୁ କଟକଣା ମଧ୍ୟରେ ଆୟୋଜନ କରାଯାଇଥିଲା। ଛୋଡ଼ ମୂର୍ତ୍ତି, ଆବଦ୍ଧ ମଣ୍ଡପରେ ପୂଜା, ସାଧାରଣ ଦର୍ଶନକୁ ବାରଣ କରାଯାଇ କେବଳ ବିଧି ରଖିବାକୁ ଦୁର୍ଗାପୂଜା ଆୟୋଜନ କରାଯାଇଛି।

Comment