ଓଡ଼ିଶାଲାଇଭ୍ ବ୍ୟୁରୋ

ପଡୋଶୀଙ୍କ ଭୁକିଲା କୁକୁରକୁ ଢେଲା ମାରିବା ଭଳି ମାମୁଲି ଘଟଣାକୁ କେନ୍ଦ୍ର କରି ଶନିବାର ରାତିରେ କିଶନନଗର ଥାନା ବାଲିସୁକ୍ରି ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି । ଅଜା-ନାତି ଦୁଇ ଜଣଙ୍କ ସଂଘବଦ୍ଧ ଆକ୍ରମଣ ଓ କଟୁରି ଚୋଟରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତକଜଣଙ୍କ ହେଉଛନ୍ତି ସେହି ଗ୍ରାମର ଉମେଶ ଭୋଇ। ତେବେ ଦୁଇ ପରିବାର ଭିତରେ ପୂର୍ବରୁ ଜମିଜମା ବିବାଦଜନିତ ଶତ୍ରୁତା ମଧ୍ୟ ଲାଗି ରହିଥିବା ସୂଚନା ମିଳିଛି । କୁକୁରକୁ ଢେଲା ଫିଙ୍ଗିବା ଘଟଣା ପୂର୍ବ ବିବାଦକୁ ଉସୁକାଇ ଉତ୍ତେଜନା ବଢାଇବା ଯୋଗୁଁ ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି । ଖବର ପାଇ ପୋଲିସ ଏହି ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ।

ପୋଲିସଠାରୁ ମିଳିଥିବା ସୂଚନା ମୁତାବକ, ମୃତ ଉମେଶଙ୍କ ପରିବାର ସହ ତାଙ୍କ ପଡୋଶୀ କାର୍ତ୍ତିକ ଭୋଇଙ୍କ ପରିବାରର ଜମିଜମା ବିବାଦ ଲାଗି ରହିଥିଲା । ଏପରିକି ଉମେଶଙ୍କୁ କାର୍ତ୍ତିକଙ୍କ ପରିବାର ଲୋକେ ପୂର୍ବରୁ ବାରମ୍ବାର ହତ୍ୟା ଧମକ ବି ଦେଇଥିଲେ । ଏ ସଂପର୍କରେ ପ୍ରାୟ ମାସକ ତଳେ ଉମେଶ କିଶନନଗର ପୋଲିସକୁ ଜଣାଇଥିଲେ । ତେବେ ପୋଲିସ ଏ ମାମଲାରେ କିଛି ବି କାର୍ଯ୍ୟାନୁଷ୍ଠାନ ନକରି ଚୁପ୍ ବସିଯାଇଥିଲା । ଉମେଶଙ୍କୁ ସୁରକ୍ଷା ସୁଦ୍ଧା ଯୋଗାଇ ଦିଆଯାଇନଥିଲା । ଶନିବାର ରାତି ପ୍ରାୟ ୯ଟାରେ ଉମେଶ ବଜାରରୁ ନିଜ ଘରକୁ ଫେରୁଥିଲେ । ସେ ପଡୋଶୀ କାର୍ତ୍ତିକଙ୍କ ଘର ପାଖ ଦେଇ ଯାଉଥିବା ବେଳେ ତାଙ୍କୁ ଦେଖି କାର୍ତ୍ତିକଙ୍କ କୁକୁର ଭୁକିଥିଲା । ଉମେଶ ଭୁକିଲା କୁକୁରଙ୍କ ଉପରକୁ ଢେଲା ମାରିଥିଲେ ।

ପରେ ପରେ ଏହାକୁ ନେଇ କାର୍ତ୍ତିକଙ୍କ ପରିବାର ଏବଂ ଉମେଶଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିଲା । ବଚସା ବଢିଥିଲା ଓ ହଠାତ କାର୍ତ୍ତିକ ଏବଂ ତାଙ୍କ ନାତି ରାଜା ଓରଫ ଡାଙ୍ଗନ ଘର ଭିତରୁ କଟୁରି ଆଣି ଉମେଶଙ୍କ ମୁଣ୍ଡକୁ ହାଣି ଦେଇଥିଲେ । ଉମେଶ ତଳେ ପଡ଼ିଯାଇଥିଲେ । ଖବର ପାଇ ଉମେଶଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଉମେଶ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ତଳେ ପଡିରହିଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ରଘୁନାଥପୁର ଡାକ୍ତରଖାନାକୁ ନେଇଯାଇଥିଲେ ।

ତେବେ ସେଠାକାର ଡାକ୍ତର ରୋଗୀଙ୍କ ଗୁରୁତର ଅବସ୍ଥା ଦେଖି ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦେଇଥିଲେ । ଜଗତସିଂହପୁରରେ ଡାକ୍ତର ଉମେଶଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଜଗତସିଂହପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । ତେବେ ରବିବାର ସକାଳେ ମୃତ ଉମେଶଙ୍କ ଦୁଇ ପତ୍ନୀ ମିତା ଏବଂ ସରସ୍ୱତୀ ଭୋଇ ଏ ସଂପର୍କରେ କିଶନନଗର ଥାନାରେ କାର୍ତ୍ତିକ ଭୋଇ, ତାଙ୍କ ପତ୍ନୀ ବଇ ଭୋଇ ଏବଂ ସେମାନଙ୍କ ନାତି ରାଜାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ଏତଲା ଦେଇଛନ୍ତି । କାର୍ତ୍ତିକ ଏବଂ ରାଜା ଉମେଶଙ୍କୁ କଟୁରିରେ ହାଣି ହତ୍ୟା କରିଛନ୍ତି ବୋଲି ମିତା ଏବଂ ସରସ୍ୱତୀ ଏତଲାରେ ଉଲ୍ଲେଖ କରିଛନ୍ତି । ଏ ନେଇ କିଶନନଗର ଥାନାରେ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ଦଫା ୩୦୨(ହତ୍ୟା), ୩୪ (ମିଳିମିଶି ଅପରାଧ କରିବା) ଏବଂ  ଅସ୍ତ୍ରଶସ୍ତ୍ର ଆଇନର ୨୫ ଏବଂ ୨୭ ଧାରା ଅନୁଯାୟୀ ମାମଲା (୧୭୪/୨୦) ରୁଜୁ ହୋଇଛି ।

ଅଭିଯୋଗ ପାଇ କିଶନନଗର ଥାନା ଆଇଆଇସି ବାମଦେବ ସ୍ୱାଇଁ ଏବଂ ସାଲେପୁର ଏସ୍‌ଡିପିଓ ରଣଜିତ ପୃଷ୍ଟି ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ସହ ଯାଇ ତଦନ୍ତ କରିଛନ୍ତି । ପୋଲିସ ଆରମ୍ଭରେ ଏହି ମାମଲାରେ ତଦନ୍ତ ନକରି ଚୁପ୍ ବସିଯିବାରୁ ଏବଂ ଥାନାରେ ଜଣାଇବା ସତ୍ତ୍ଵେ ଉମେଶଙ୍କୁ ସୁରକ୍ଷା ନ ମିଳିବାରୁ ଏଭଳି ଅଘଟଣ ଘଟିଲା ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି ।

Comment