ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାରରେ ନିର୍ବାଚନୀ ପ୍ରଚାର ଜାରି ରଖିଛନ୍ତି ମୋଦୀ।

ବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଜାରି ରହିଛି। ଏହା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି। ଉଭୟ ଆରଜେଡି ଓ କଂଗ୍ରେସକୁ ଟାର୍ଗେଟ କରି ଆଜି ମୋଦୀ ଶବ୍ଦବାଣ ମାରିଥିବାବେଳେ, ବିହାରବାସୀ ଏହି ନିର୍ବାଚନରେ ବିକାଶର ସରକାର ବାଛିବେ ବୋଲି ମୋଦୀ କହିଛନ୍ତି।

ଏଥିସହିତ ମୋଦୀ ଆହୁରି ମଧ୍ୟ କହିଛନ୍ତି, “ପ୍ରଥମ ପର୍ଯ୍ୟାୟ ଭୋଟିଂ ପରେ ବିହାର ଜନତାଙ୍କ ମୁଡ୍ ଜଣାପଡ଼ିସାରିଛି। ବିହାରରେ ପୁଣିଥରେ ଏନଡିଏ ସରକାର ଗଠନ ହେବାକୁ ଯାଉଛି। ବିହାର ଲୋକମାନେ ଜଙ୍ଗଲରାଜ ଓ ଡବଲ ଯୁବରାଜଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥିସହିତ ରାଜ୍ୟରେ କେଉଁ ସରକାର ବିକାଶ କରିବ ସେକଥା ମଧ୍ୟ ଲୋକମାନେ ଭଲ ଭାବେ ଜାଣିଛନ୍ତି।”

କଂଗ୍ରେସକୁ ଟାର୍ଗେଟ

ଆଜି ନିର୍ବାଚନୀ ଭାଷଣରେ ମୋଦୀ କଂଗ୍ରେସକୁ ଭରପୁର ଟାର୍ଗେଟ କରିଛନ୍ତି। କଂଗ୍ରେସ ସବୁବେଳେ ଗରିବ ହଟେଇବ, କୃଷକଙ୍କ ଋଣ ଛାଡ୍ କରିବ ବୋଲି କହିଛି। ହେଲେ ଆଜି ପର୍ଯ୍ୟନ୍ତ କିଛି ବି କରିନି। ଲୋକସଭା ଓ ରାଜ୍ୟସଭାରେ ଆଜି କଂଗ୍ରେସ ସ୍ଥିତି ଶୋଚନୀୟ। ଦୁଇ ଗୃହରେ ଏବେ କଂଗ୍ରେସ ସାଂସଦଙ୍କ ସଂଖ୍ୟା ଶହେ ବି ନାହିଁ। କଂଗ୍ରେସକୁ ସାଧାରଣ ଲୋକମାନେ ବହିଷ୍କାର କରିଛନ୍ତି ବୋଲି ଆଜି ମୋଦୀ କହିଛନ୍ତି। ଏଥିସହ ଉତ୍ତରପ୍ରଦେଶ ଓ ବିହାରରେ କଂଗ୍ରେସ ଅନ୍ୟର ଧୋତି ଧରି ବଞ୍ଚିବାକୁ ଚେଷ୍ଟା କରୁଛି  ମୋଦୀ କହିଛନ୍ତି।

ପରିବାରବାଦ ହାରୁଛି

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ବିହାରରେ ପରିବାରବାଦ ହାରୁଛି ଏବଂ ବିକାଶ ଜିତୁଛି। ଆଜି ବିହାରରେ ଅହଂକାର ଓ ଘୋଟାଲା ହାରିବା ସହିତ ପରିଶ୍ରମ ଜିତୁଛି। ପୂର୍ବରୁ ବିହାରରେ ନିର୍ବାଚନ ଏକ ମଜାକ୍ ହୋଇ ରହିଥିଲା। ନିର୍ବାଚନମାନେ କେବଳ ହିଂସା, ହତ୍ୟା ଓ ବୁଥ୍ ହେରଫେରକୁ ବୁଝାଉଥିଲା। ହେଲେ ଏବେ ନିର୍ବାଚନମାନେ ବିକାଶ ବୋଲି ଲୋକମାନେ ବୁଝିସାରିଛନ୍ତି। ତେଣୁ ସେମାନେ ନିଜର ମତ ଅଧିକାର ସାବ୍ୟସ୍ତ କରି ବିହାରରେ ବିକାଶର ସରକାର ଗଢ଼ିବେ ବୋଲି ମୋଦୀ କହିଛନ୍ତି।ପକ୍କା ଘରର ପ୍ରତିଶ୍ରୁତି ଦେଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସରକାର ସମସ୍ତ ଲୋକଙ୍କ ପାଖରେ ଗ୍ୟାସ ସିଲିଣ୍ଡର ପହଞ୍ଚାଇବାକୁ ଚେଷ୍ଟା କରିଛି। ସବୁ ଲୋକଙ୍କୁ ଶୌଚାଳୟ ମଧ୍ୟ ଦିଆଯାଇଛି। ଏବେ ସମସ୍ତଙ୍କୁ ପକ୍କା ଘର ମିଳିବାର ସମୟ। ବିହାରରେ ପୁଣିଥରେ ଡବଲ ଇଞ୍ଜିନ୍ ସରକାର ଗଠନ ହେଲେ ବିକାଶ ଦ୍ରୁତ ଗତିରେ ଜାରି ରହିବ ବୋଲି ମୋଦୀ କହିଛନ୍ତି।

Comment