ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡର ଚର୍ଚ୍ଚିତ ଷ୍ଟାର୍‌ ଦମ୍ପତି ଅନୁଭବ-ବର୍ଷାଙ୍କ ବିବାଦ ଥମିନଥିଲା ବେଳେ ଆଜି ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବୋହୂ ବର୍ଷାଙ୍କ ନାଁରେ ଅନୁଭବଙ୍କ ମା ମଧୁସ୍ମିତା ମହାନ୍ତି କଟକ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି। ଅନୁଭବଙ୍କ ମା’ଙ୍କ ଅଭିଯୋଗ ଯେ ସେ ଯେଉଁ ଘରେ ରହୁଛନ୍ତି ତାହା ୬୦ ବର୍ଷ ତଳର ଘର। ଏବେ ଘର ମରାମତି ଆବଶ୍ୟକ କରୁଛି। ଏଥିପାଇଁ ୧୦ ଦିନ ସମୟ ଲାଗିବ। ଏହି ୧୦ ଦିନ ଘରର ସମସ୍ତ ସଦସ୍ୟ ଅନୁପସ୍ଥିତ ରହିବେ। କିନ୍ତୁ ବର୍ଷାଙ୍କୁ ତାଙ୍କ ବାପଘରକୁ ଯିବାକୁ କୁହାଗଲେ ବି ସେ ଯାଉନାହାନ୍ତି।

ଅନ୍ୟପଟେ ବର୍ଷା ଏହାକୁ ଚକ୍ରାନ୍ତ ବୋଲି କହିଛନ୍ତି। ଏଥିସହିତ ସେ ମଧ୍ୟ ଶାଶୂଙ୍କ ନାଁ ପାଲଟା ଅଭିଯୋଗର ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କୁ ଘର ବାହାର କରିଦେବା ପାଇଁ ଚକ୍ରାନ୍ତ କରାଯାଉଥିବା ବର୍ଷା ତାଙ୍କ ଅଭିଯୋଗରେ ଲେଖିଛନ୍ତି। ଏହାସହ ବର୍ଷା ପୋଲିସଠାରୁ ସୁରକ୍ଷା ମାଗିଛନ୍ତି।

ଅନ୍ୟପଟେ ଅନୁଭବ-ବର୍ଷାଙ୍କ ବିବାଦ ମାମଲାରେ ନଭେମ୍ବର ୧୫ରୁ ୩୦ ତାରିଖ ଭିତରେ ଆପୋସ ବୁଝାମଣା ପାଇଁ ଅକ୍ଟୋବର ୩୦ରେ ମଧ୍ୟସ୍ଥତା କମିଟି ପ୍ରସ୍ତାବ ଦେଇଥିଲେ। ଏହି ସମୟ ମଧ୍ୟରେ ଗୋଟିଏ ଦିନ ସ୍ଥିର ହେବ। ସେହିଦିନ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଭୟ ନିଜ ନିଜ ମତ ରଖିବେ। ଉଭୟଙ୍କ ମତକୁ ବିଚାର କରି ମଧ୍ୟସ୍ଥତା କମିଟି ତାଙ୍କ ନିଷ୍ପତ୍ତି ଶୁଣାଇବେ ବୋଲି ଜଣାପଡ଼ିଛି।

Comment