ଓଡ଼ିଶାଲାଇଭ୍ ବ୍ୟୁରୋ

  • ଧବଳେଶ୍ଵର ପୀଠକୁ ଭକ୍ତଙ୍କ ପ୍ରବେଶ ନିଷେଧ
  • ନୀତିକାନ୍ତି ପୂର୍ବରୁ ସେବାୟତଙ୍କ ହେବ କୋଭିଡ୍ ପରୀକ୍ଷା

କଟକ: ଚଳିତବର୍ଷ ବିନା ଭକ୍ତରେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ବଡ଼ଓଷା ପର୍ବ ପାଳିତ ହେବ। ଏହି ସମୟରେ ଧବଳେଶ୍ଵର ଅଞ୍ଚଳରେ ୧୪୪ ଧାରା ଜାରି ହେବ। ଶୁକ୍ରବାର ବଡ଼ଓଷାକୁ ନେଇ ପ୍ରଶାସନିକ ସ୍ତରରେ ହୋଇଥିବା ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି।

କରୋନା ସ୍ଥିତିକୁ ଦେଖି ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପୂର୍ବରୁ କହିଥିଲେ। ଏନେଇ ସେବାୟତ ସଂଘ ତରଫରୁ ଆସନ୍ତୋଷ ପ୍ରକାଶ ପାଇଥିଲା। ଏସବୁକୁ ଦୃଷ୍ଟିରେ ରଖି ଗତକାଲି ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବଡ଼ଓଷା ପାଳନ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।ନିଷ୍ପତ୍ତି ମୁତାବକ, ୨୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ପଞ୍ଚକ ଓ ବଡ଼ଓଷା ପାଳନ କରାଯିବ। ପ୍ରଥମ ୩ ଦିନ ମହାପ୍ରଭୁଙ୍କର ବଡସିଂହାର ବେଶ, ଚତୁର୍ଥ ଓ ପଞ୍ଚମ ଦିନ ନାଗାର୍ଜୁନ ବେଶ ଓ ପୂର୍ଣ୍ଣମୀ ଦିନ ଯୋଗୀ ବେଶରେ ସଜେଇ ହେବେ ବାବା ଧବଳେଶ୍ୱର। ୨୮ ତାରିଖ ମନ୍ଦିରରେ ବଡ଼ଓଷା ହେବା ସହ ପୂଜକମାନଙ୍କ ଦ୍ଵାରା ୨୯ ତାରିଖରେ ଗଜ ଭୋଗ କରାଯିବ। ଗଜ ଭୋଗ ପ୍ରସ୍ତୁତି ପାଇଁ ଆବଶ୍ୟକ ଲୋକଙ୍କୁ ନେଇ କିପରି କାର୍ଯ୍ୟ କରାଯିବ ସେନେଇ ପୂଜକ ସମାଜ ଓ ଉପଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଅଧିକାରୀମାନେ ଆଲୋଚନା କରିଥିଲେ।

ଏହା ସହ ପଞ୍ଚକ ଓ ବଡ଼ଓଷାରେ ଭକ୍ତମାନେ ଯେପରି ଦର୍ଶନରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଏହାର ସିଧା ପ୍ରସାରଣ କରିବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଅବସରରେ ଧବଳେଶ୍ୱର ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବ। କୌଣସି ଭକ୍ତ ଯେପରି ପ୍ରବେଶ ନ କରନ୍ତି ସେଥିପାଇଁ ପାଇକରାପୁର ଗ୍ରାମ ସମ୍ମୁଖରେ ଥିବା ଧବଳେଶ୍ୱର ପୀଠର ପ୍ରବେଶ ପଥ ଓ ମଞ୍ଚେଶ୍ୱର ବ୍ରାହ୍ମଣ ଶାସନକୁ ଯାଇଥିବା ରାସ୍ତାରେ ପୋଲିସ ଫୋର୍ସ ମୁତୟନ କରାଯିବ।ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମନ୍ଦିରର ସଫେଇ କାର୍ଯ୍ୟ ସହ ୬ ଦିନ ବ୍ୟାପି ମନ୍ଦିରକୁ ସୁନ୍ଦର ଆଲୋକମାଳାରେ ସଜ୍ଜିତ କରାଯିବ। ଝୁଲା ପୋଲର ମରାମତି ସହ ଏହାର ତନଖି କାର୍ଯ୍ୟ, ଝୁଲା ପୋଲ ନିକଟରେ ଏକ ଆମ୍ୱୁଲାନ୍ସ ରଖିବା, ପାନୀୟ ଜଳର ବ୍ୟବସ୍ଥା, ରାସ୍ତା ମରାମତି, ସ୍ଥାୟୀ ଆଲୋକ ବ୍ୟବସ୍ଥା, ଆଇନ ଶୃଙ୍ଖଳା ଏବଂ ସେବାୟତମାନଙ୍କର ଥର୍ମାଲ ସ୍କ୍ରିନିଂ ଉପରେ ଗୁରୁତ୍ୱ ଦେବାକୁ ସ୍ଥିର କରାଯାଇଛି।

ଯେଉଁମାନେ ନୀତିକାର୍ଯ୍ୟ ସମ୍ପାଦନ କରିବେ ସେମାନଙ୍କର କୋଭିଡ୍ ପରୀକ୍ଷା କରାଯିବ। ଏହା ପରେ ସେମାନଙ୍କୁ ମନ୍ଦିରରେ ନୀତିକାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦେବୋତ୍ତର ବିଭାଗର ସହକାରୀ କମିସନର ଦେବାଶିଷ ଦାସ, ଅତିରିକ୍ତ ଏସ୍‌ପି ପି.କେ. ଜେନା, ଆଠଗଡ଼ ଏନ୍‌ଏସ୍‌ସି ଅଧିକାରୀ, ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ସାରଦା ପ୍ରସାଦ ମହାନ୍ତି, ପୂଜକ ସମିତିର ସଭାପତି ବିଷ୍ଣୁ ଚରଣ ପତ୍ରୀ ପ୍ରମୁଖ ଯୋଗେ ଦେଇଥିଲେ। ଶେଷରେ ଆଠଗଡ଼ ତହସିଲଦାର ତପନ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ।

Comment