ଓଡ଼ିଶାଲାଇଭ୍ ବ୍ୟୁରୋ

ୟଶରାଜ ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଫିଲ୍ମ ‘ପଠାନ୍‌’ର କଳାକାରମାନଙ୍କ ପାରିଶ୍ରମିକକୁ ନେଇ ଚର୍ଚ୍ଚା ହେଉଛି। ହାଇ ବଜେଟ୍‌ର ଏହି ଆକ୍ସନ-ଥ୍ରୀଲର ଫିଲ୍ମ ପାଇଁ ଦୀପିକା ପାଦୁକୋନ ୧୫ କୋଟି ଟଙ୍କା ପାରିଶ୍ରମିକ ନେଉଥିବା କୁହାଯାଉଛି। ଏହା ପୂର୍ବରୁ ଫିଲ୍ମର ଅନ୍ୟତମ ପ୍ରମୁଖ ଭୂମିକାରେ ଅଭିନୟ କରୁଥିବା ଜନ୍ ଆବ୍ରାହମ୍‌ଙ୍କ ପାରିଶ୍ରମିକକୁ ନେଇ ଚର୍ଚ୍ଚା ହେଉଥିଲା।

୨୦୧୮ ମସିହା ପରେ କିଙ୍ଗ୍ ଖାନ୍ ଶାହରୁଖ ଏହି ଫିଲ୍ମ ଜରିଆରେ ପୁଣି ଦର୍ଶକଙ୍କ ସାମ୍ନାକୁ ଫେରୁଛନ୍ତି। ‘ଜିରୋ’ ପରେ ଶାହରୁଖ ଓ ଦୀପିକା ପାଦୁକୋନ ପୁଣି ଥରେ ଏକାଠି ନଜର ଆସିବେ। ଏହି ଫିଲ୍ମରେ ଜନ୍ ଆବ୍ରାହମ୍‌ଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।

ଫିଲ୍ମ ‘ପଠାନ୍‌’ର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ। ଆଦିତ୍ୟ ଚୋପ୍ରା ଏହାର ପ୍ରଯୋଜନା କରୁଛନ୍ତି। ଏହା ଏକ ହାଇ ବଜେଟ୍ ଫିଲ୍ମ ବୋଲି କୁହାଯାଉଛି। ଏହି ଫିଲ୍ମ ପାଇଁ ଦୀପିକା ୧୪ରୁ ୧୫ କୋଟି ଟଙ୍କା ନେଇଥିବା ଶୁଣିବାକୁ ମିଳୁଛି।ଏହା ପୂର୍ବରୁ ଜନ୍ ଆବ୍ରାହମ୍‌ଙ୍କ ପାରିଶ୍ରମିକକୁ ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା। ଏହି ଫିଲ୍ମ ପାଇଁ ଜନ୍‌ଙ୍କୁ ୨୦ କୋଟି ଟଙ୍କା ମିଳିଥିବା କୁହାଯାଉଥିଲା। ଫିଲ୍ମ ‘ପଠାନ୍‌’ରେ ଜନ୍‌ ଖଳନାୟକ ଭୂମିକାରେ ନଜର ଆସିବେ।

କୁହାଯାଉଛି ଯେ, ‘ପଠାନ୍’ ହେଉଛି ବଲିଉଡର ସବୁଠୁ ବ୍ୟୟବହୁଳ ଆକ୍ସନ ଫିଲ୍ମ। ଏହି ଫିଲ୍ମ ପାଇଁ ପ୍ରଯୋଜକ ଆଦିତ୍ୟ ଚୋପ୍ରା ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ସବୁଠୁ ଖାସ୍ କଥା ହେଉଛି, ଏଥିରେ ଶାହରୁଖଙ୍କ ପାରିଶ୍ରମିକ ସାମିଲ ନାହିଁ। ଆଦିତ୍ୟ ଏହି ଫିଲ୍ମରେ ଅଭିନୟଠାରୁ ଆରମ୍ଭ କରି ଆକ୍ସନ ପର୍ଯ୍ୟନ୍ତ ସବୁକିଛି ଅନ୍ତର୍ଜାତୀୟ ସ୍ତରୀୟ ବନେଇବା ପାଇଁ ଚେଷ୍ଟା କରୁଛନ୍ତି।

Comment