ଓଡ଼ିଶାଲାଇଭ୍ ବ୍ୟୁରୋ

ଜୋ ବାଇଡେନ୍ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି।

ଆମେରିକା ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଜୋ ବାଇଡେନ୍। ଡେମୋକ୍ରାଟିକ୍ ଦଳରୁ ପ୍ରାର୍ଥୀ ହୋଇଥିବା ଜୋ ରିପବ୍ଲିକାନ୍ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ହ୍ଵାଇଟ୍ ହାଉସ ଦଖଲ କରିଛନ୍ତି। ଏହି ନିର୍ବାଚନରେ ଜୋ ବାଇଡେନ୍‌ଙ୍କୁ ୨୯୦ଟି ଇଲେକ୍ଟ୍ରୋରାଲ ଭୋଟ ମିଳିଥିବା ବେଳେ ଟ୍ରମ୍ପଙ୍କୁ ୨୧୪ଟି ଭୋଟ ମିଳିଛି। ଅନ୍ୟପଟେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ଆମେରିକାର ପ୍ରଥମ ମହିଳା ତଥା ପ୍ରଥମ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି।

ଦୀର୍ଘ ୪ ଦିନର ଭୋଟ ଗଣତି ପରେ ଏହି ଫଳାଫଳ ସ୍ପଷ୍ଟ ହୋଇଛି। ଗଣତି ଅନୁସାରେ ବାଇଡେନ୍‌ଙ୍କୁ ୫୦.୬ ପ୍ରତିଶତ ଭୋଟ ମିଳିଥିବା ବେଳେ ଟ୍ରମ୍ପଙ୍କୁ ୪୭.୭ ପ୍ରତିଶତ ଭୋଟ ମିଳିଛି। ଗତକାଲି ପେନସିଲଭାନିଆରେ ବିଜୟୀ ହେବା ପରେ ଜୋ ବାଇଡେନ୍ ରାଷ୍ଟ୍ରପତି ହୋଇଛନ୍ତି। ଏଠାରେ ବାଇଡେନ୍‌ଙ୍କୁ ୪୯.୬ ପ୍ରତିଶତ ଭୋଟ ମିଳିଥିବା ବେଳେ ଟ୍ରମ୍ପଙ୍କୁ ମିଳିଛି ୪୯.୧ ପ୍ରତିଶତ ଭୋଟ।ଜୋ ବାଇଡେନ୍‌ଙ୍କ ଜନ୍ମ ୧୯୪୨ ମସିହା ନଭେମ୍ବର ୨୦ ତାରିଖରେ ହୋଇଥିଲା। ଆମେରିକାର ବିଭିନ୍ନ ସହରରେ ନିଜର ପିଲାଦିନ ବିତାଇବା ପରେ ବାଇଡେନ୍ ଆଇନ ପାଠ ପଢ଼ିବା ପାଇଁ ଦିଲାୱାରେ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ। ସେଠାରେ ସେ ୧୯୬୮ ମସିହାରେ ସଫଳତାର ସହ ଆଇନ୍ ପାଠ ଶେଷ କରି ଡିଗ୍ରୀ ହାସଲ କରିଥିଲେ।

ବାଇଡେନ୍‌ଙ୍କ ରାଜନୈତିକ ଜୀବନ ୧୯୭୦ ମସିହାରୁ ଆରମ୍ଭ ହୋଇଥିଲା। ପ୍ରଥମ କରି ସେ ସେହିବର୍ଷ ‘ନ୍ୟୁ କାସେଲ କଣ୍ଟ୍ରି କାଉନସିଲ୍’କୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୧୯୭୨ ମସିହାରେ ପ୍ରଥମ କରି ଆମେରିକାର ସିନେଟକୁ ନିର୍ବାଚିତ ହୋଇଥିଲେ। ସିନେଟରେ ବାଇଡେନ୍ ଦୀର୍ଘ ବର୍ଷ ଧରି ବୈଦେଶିକ ବ୍ୟାପାର କମିଟିରେ ରହିବା ସହିତ ଏହି କମିଟିର ସଭାପତି ମଧ୍ୟ ହୋଇଥିଲେ। ଏହାସହ ସେ ଆମେରିକା ସିନେଟର ବିଭିନ୍ନ କମିଟିରେ ମଧ୍ୟ ବାଇଡେନ୍ ସଦସ୍ୟ ରହିଆସିଥିଲେ।

ଡ୍ରେମୋକ୍ରାଟିକ୍ ଦଳର ଏହି ନେତା ଜଣକ ସିନେଟକୁ ଛଅ ଥର ପାଇଁ ନିର୍ବାଚିତ ହୋଇଥିଲେ। ଏହାପରେ ତାଙ୍କୁ ୨୦୦୮ ମସିହାରେ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଥିଲା। ବାରାକ୍ ଓବାମାଙ୍କ ନେତୃତ୍ୱରେ ସେହିଥର ଡ୍ରେମୋକ୍ରାଟିକ୍ ଦଳ ବିଜୟୀ ହେବା ସହ ଆମେରିକାର ୪୭ ତମ ଉପରାଷ୍ଟ୍ରପତି ହୋଇଥିଲେ ଜୋ ବାଇଡେନ୍। ଏହାପରେ ୨୦୧୨ ମସିହାରେ ଉଭୟ ଓବାମା ଓ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିଲେ।ଏହାପରେ ୨୦୧୬ ମସିହାରେ ଡେମୋକ୍ରାଟିକ୍ ଦଳ ଟ୍ରମ୍ପଙ୍କ ବିରୋଧରେ ହେନେରି କ୍ଲିଣ୍ଟନଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ଦୁର୍ଭାଗ୍ୟବଶତଃ ହେନେରି କ୍ଲିଣ୍ଟନ ଟ୍ରମ୍ପଙ୍କଠାରୁ ହାରିଯାଇଥିଲେ। ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବା ସହିତ ୨୦୨୦ ପର୍ଯ୍ୟନ୍ତ ଶାସନ ଭାର ସମ୍ଭାଳିଛନ୍ତି।

୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ଦଳ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରାର୍ଥୀ କରିଥିଲା। ଟ୍ରମ୍ପଙ୍କୁ ଟକ୍କର ଦେବା ପାଇଁ ଡେମୋକ୍ରାଟିକ୍ ଦଳ ନିଜର ସବୁଠୁ ଟାଣୁଆ ନେତା ଜୋ ବାଇଡେନ୍‌ଙ୍କୁ ପ୍ରାର୍ଥୀ କରିଥିଲା। ଏହାପରେ ଗତକାଲି ବାଇଡେନ୍ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି।

Comment