ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ତେବେ ଏହି ସମୟରେ କେଉଁ ପ୍ରମୁଖ ନେତାଙ୍କ ପଲା ଭାରି ରହିଛି ଏବଂ କିଏ ପଛରେ ରହିଛନ୍ତି ଜାଣନ୍ତୁ ଏହି ରିପୋର୍ଟରେ…

ବିହାର ନିର୍ବାଚନ ପାଇଁ ଏବେ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଏନ୍‌ଡିଏ ମହାମେଣ୍ଟଠାରୁ ଆଗରେ ରହିଛି। ଏନ୍‌ଡିଏ ୧୨୨ଟି ଆସନରେ ଆଗୁଆ ରହିଥିବା ବେଳେ ମହାମେଣ୍ଟ ୧୧୪ଟି ଆସନରେ ଆଗୁଆ ଅଛି। ସେହିପରି ହେବିଓ୍ଵେଟ୍ ପ୍ରାର୍ଥୀଙ୍କ ଭିତରେ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳୁଛି।

କିଏ କେଉଁ ଆସନରେ ଆଗୁଆ ଅଛନ୍ତି?

ତେଜସ୍ଵୀ ଯାଦବ

ଲାଲୁ ଯାଦବଙ୍କ ସାନ ପୁଅ ତଥା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ଵୀ ଯାଦବ ବର୍ତ୍ତମାନ ରାଘୋପୁର ଆସନରେ ୯ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ତାଙ୍କୁ ବର୍ତ୍ତମାନ ସୁଦ୍ଧା ୪୫,୫୭୩ ଖଣ୍ଡ ଭୋଟ ମିଳିଛି। ତାଙ୍କ ପଛକୁ ଥିବା ବିଜେପି ପ୍ରାର୍ଥୀ ସତୀଶ କୁମାରଙ୍କ ଖାତାକୁ ୩୬,୨୫୬ ଭୋଟ ଯାଇଛି।

ଶ୍ରେୟସୀ ସିଂହ

କମନଓ୍ଵେଲ୍‌ଥ ଗେମ୍ସରେ ସୁଟିଂରେ ସ୍ଵର୍ଣ୍ଣ ପଦକ ଜିତିଥିବା ଶ୍ରେୟସୀ ସିଂ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ସେ ଜମୁଇ ଆସନରୁ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ଖାତାକୁ ଯାଇଛି ୪୮,୮୩୪ ଖଣ୍ଡ ଭୋଟ। ଏବେ ସେ ୨୫ ହଜାରରୁ ଊର୍ଦ୍ଧ୍ଵ ଭୋଟରେ ଆର୍‌ଜେଡିର ବିଜୟ ପ୍ରକାଶଙ୍କଠାରୁ ଆଗୁଆ ଅଛନ୍ତି।

ଅନନ୍ତ ସିଂହ

ମୋକାମା ଆସନରୁ ଲଢ଼ୁଥିବା ଆର୍‌ଜେଡି ପ୍ରାର୍ଥୀ ଅନନ୍ତ କୁମାର ସିଂଙ୍କ ସପକ୍ଷରେ ବର୍ତ୍ତମାନ ସୁଦ୍ଧା ୫୪,୬୧୯ଟି ଭୋଟ ଯାଇଛି। ବର୍ତ୍ତମାନ ସେ ଜନତା ଦଳର ରାଜୀବ ଲୋଚନ ନାରାୟଣ ସିଂଙ୍କଠାରୁ ୨୮ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି।

ତେଜ ପ୍ରତାପ ଯାଦବ

ଲାଲୁ ଯାଦବଙ୍କ ବଡ଼ ପୁଅ ତଥା ଆର୍‌ଜେଡି ପ୍ରାର୍ଥୀ ତେଜ ପ୍ରତାପ ଯାଦବଙ୍କୁ ବର୍ତ୍ତମାନ ସୁଦ୍ଧା ୬୦,୧୨୩ ଖଣ୍ଡ ଭୋଟ ମିଳିଛି। ବର୍ତ୍ତମାନ ସେ ହାସନପୁର ଆସନରେ ୧୪,୦୦୦ରୁ ଅଧିକ ଭୋଟରେ ବିଜେପିର ରାଜ କୁମାର ରାୟଙ୍କଠାରୁ ଆଗୁଆ ଅଛନ୍ତି।

ନୀତିଶ କୁମାର

ବିହାରର ପରିହାର ଆସନରୁ ପ୍ରାର୍ଥୀ ହୋଇଥିବା ନୀତିଶ କୁମାରଙ୍କୁ ଏଯାବତ୍ ୩୪୬ଟି ଭୋଟ ମିଳିଛି। ଏହି ଆସନରେ ବିଜେପିର ଗାୟତ୍ରୀ ଦେବୀ ୧,୭୦୦ରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ଗାୟତ୍ରୀଙ୍କୁ ୭୩,୪୨୦ଟି ଭୋଟ ମିଳିଛି। ତାଙ୍କ ପଛକୁ ଆର୍‌ଜେଡିର ରିତୁ କୁମାର ଅଛନ୍ତି।

ଜିତନରାମ ମାଞ୍ଝି

ହିନ୍ଦୁସ୍ତାନୀ ଆବାମ୍ ମୋର୍ଚ୍ଚାରୁ ପ୍ରାର୍ଥୀ ହୋଇଥିବା ଜିତନରାମ ମାଞ୍ଝି ଇମାମଗଞ୍ଜ ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ତାଙ୍କୁ ୫୬,୯୮୦ଟି ଭୋଟ ମିଳିଛି। ସେ ୧୦ ହଜାରରୁ ଅଧିକ ଭୋଟରେ ଆର୍‌ଜେଡି ପ୍ରାର୍ଥୀ ଉଦୟ ନାରାୟଣ ଚୌଧୁରୀଙ୍କଠାରୁ ଆଗରେ ଅଛନ୍ତି।

ଲଭ୍ ସିହ୍ନା

ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ତଥା କଂଗ୍ରେସ ପ୍ରାର୍ଥୀ ଲଭ୍ ସିହ୍ନା ବାଙ୍କିପୁର ଆସନରୁ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ତାଙ୍କୁ ୧୨,୭୦୨ ଖଣ୍ଡ ଭୋଟ ମିଳିଛି। ତେବେ ସେ ବିଜେପି ପ୍ରାର୍ଥୀ ନୀତିନ ନବୀନଙ୍କଠାରୁ ୧୪ ହଜାରରୁ ଊର୍ଦ୍ଧ୍ଵ ଭୋଟ ବ୍ୟବଧାନରେ ପଛୁଆ ଅଛନ୍ତି।

ନନ୍ଦକିଶୋର ଯାଦବ

ବିଜେପି ପ୍ରାର୍ଥୀ ନନ୍ଦକିଶୋର ଯାଦବ ପାଟନା ସାହିବରୁ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ତାଙ୍କୁ ୫୪,୭୧୯ଟି ଭୋଟ ମିଳିଛି। ସେ କଂଗ୍ରେସର ପ୍ରବୀଣ ସିଂଙ୍କଠାରୁ ୯ ହଜାରରୁ ଊର୍ଦ୍ଧ୍ଵ ଭୋଟରେ ଆଗୁଆ ଅଛନ୍ତି।

ପୁଷ୍ପମ୍ ପ୍ରିୟା

ପ୍ଲୁରାଲ୍ସ ପାର୍ଟିରୁ ପ୍ରାର୍ଥୀ ହୋଇଥିବା ପୁଷ୍ପମ୍ ପ୍ରିୟା ବିସ୍ଫି ଆସନରୁ ଲଢ଼ୁଛନ୍ତି। ତେବେ ଏହି ଆସନରେ ତାଙ୍କୁ ୭୭୩ଟି ଭୋଟ ମିଳିଛି। ବିଜେପି ପ୍ରାର୍ଥୀ ହରିଭୂଷଣ ଠାକୁର ୪୮,୪୭୧ ଭୋଟରେ ଆଗୁଆ ଥିବା ବେଳେ ତାଙ୍କ ପଛକୁ ଆର୍‌ଜେଡିର ଫୈୟାଦ ଅହମ୍ମଦ ଅଛନ୍ତି।

ଲଳିତ ଯାଦବ

ଦରଭଙ୍ଗା ଗ୍ରାମୀଣ ଆସନରୁ ପ୍ରତିଦ୍ଵନ୍ଦ୍ଵିତା କରୁଥିବା ଆର୍‌ଜେଡି ପ୍ରାର୍ଥୀ ଲଳିତ ଯାଦବ ନିର୍ବାଚନ ଜିତି ଯାଇଛନ୍ତି। ସେ ମୋଟ ୬୪,୯୨୯ ଖଣ୍ଡ ଭୋଟ୍ ପାଇଛନ୍ତି। ପ୍ରାୟ ୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜନତା ଦଳର ଫରାଜ ଖାନ୍ ଲଳିତଙ୍କଠାରୁ ପଛରେ ରହିଯାଇଛନ୍ତି।

ପପ୍ପୁ ଯାଦବ

ପ୍ରାଉଟିଷ୍ଟ ସର୍ବ ସମାଜ ପ୍ରାର୍ଥୀ ପପ୍ପୁ ଯାଦବ ନିର୍ମଳି ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ତାଙ୍କୁ ବର୍ତ୍ତମାନ ସୁଦ୍ଧା ୪୮୫ ଖଣ୍ଡ ଭୋଟ ମିଳିଛି। ଏହି ଆସନରେ ଜନତା ଦଳ ପ୍ରାର୍ଥୀ ଅନିରୁଦ୍ଧ ପ୍ରସାଦ ଯାଦବ ୫୯,୨୯୪ ଖଣ୍ଡ ଭୋଟ ସହ ଆଗୁଆ ଥିବା ବେଳେ ତାଙ୍କ ପଛକୁ ଆର୍‌ଜେଡି ପ୍ରାର୍ଥୀ ଯଦୁବଂଶ କୁମାର ଯାଦବ ଅଛନ୍ତି।

ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିନାହିଁ। ସନ୍ଧ୍ୟା ୬ଟା ସୁଦ୍ଧା ବିହାରରେ ଏଭଳି ସ୍ଥିତି ରହିଛି।

Comment