ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଉପ-ନିର୍ବାଚନୀ ପରୀକ୍ଷାରେ ପଛରେ ପଡ଼ିଯାଇଛନ୍ତି ସ୍ଵାଧୀନ ପ୍ରାର୍ଥୀ ବେଣୁ ମଉସା।

ଏଥର ବାଲେଶ୍ଵର ଉପ-ନିର୍ବାଚନରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ସ୍ଵାଧୀନ ପ୍ରାର୍ଥୀ ବେଣୁଧର ବାରିକ ଓରଫ୍ ବେଣୁ ମଉସା। ବୟସ ୮୦କୁ ବୃତ୍ତିରେ ବାରିକ। କିନ୍ତୁ ନିର୍ବାଚନ ଲଢ଼ିବାରେ ଯୁବ ପ୍ରାର୍ଥୀଙ୍କୁ ବି ପଛରେ ପକାଇଦେବା ଭଳି ଦମ୍ଭ। ଏଥିସହ ବେଣୁ ମଉସାଙ୍କ ହାଇ ପ୍ରୋଫାଇଲ୍ ନିର୍ବାଚନୀ ପ୍ରଚାର ସାରା ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କିନ୍ତୁ ନିର୍ବାଚନ ପରୀକ୍ଷାରେ ମଉସାଙ୍କୁ ମିଳିନି ଆଶାନୁରୂପକ ମାର୍କ।

ବାଲେଶ୍ଵରବାସୀଙ୍କ ଆସ୍ଥା ଜିତିବାରେ ବେଶ୍ ପଛରେ ରହିଯାଇଛନ୍ତି ବେଣୁ ମଉସା। ମଉସାଙ୍କ ହାଇ ପ୍ରୋଫାଇଲ ପ୍ରଚାରର ସରାଗ ଦେଖିବାକୁ ମିଳୁନାହିଁ ନିର୍ବାଚନୀ ଫଳାଫଳରେ। ୨୪ ରାଉଣ୍ଡ ଭୋଟ ଗଣନା ସୁଦ୍ଧା ସ୍ଵାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କୁ ମିଳିଛି ୧୨୦୬ ଖଣ୍ଡ ଭୋଟ।ଗୋଟିଏ ସ୍କୁଲର ସବୁ ପାସ୍ କରନ୍ତିନି

ବାଲେଶ୍ଵର ଉପ-ନିର୍ବାଚନୀ ଫଳାଫଳରେ ପଛରେ ପଡ଼ି ବି ତାହାକୁ ସ୍ଵୀକାର କରିଛନ୍ତି ସ୍ଵାଧୀନ ପ୍ରାର୍ଥୀ ବେଣୁଧର ବାରିକ। “ମୁଁ କାହାକୁ ମାଉଁସ ଭାତ ଦେଇଛି ନା ମଦ ଦେଇଛି ଯେ ମୋ ଛାତି ଧଡ଼ ଧଡ଼ ହେବ। ଗୋଟିଏ ସ୍କୁଲ୍‌ର ସବୁ ପିଲା ପାସ୍ କରନ୍ତିନି। ତେଣୁ ଯାହା ହେବ ତାକୁ ଗ୍ରହଣ କରିବାକୁ ପଡ଼ିବ। ଶେଷ ନିଃଶ୍ଵାସ ଯାଏ ନିର୍ବାଚନ ଲଢ଼ିବି”, କହିଛନ୍ତି ବେଣୁ ମଉସା।   ହାଇ ପ୍ରୋଫାଇଲ ପ୍ରଚାର

ଏଥର ବାଲେଶ୍ଵର ଉପ-ନିର୍ବାଚନରେ ବିଜେଡି, ବିଜେପି ଏବଂ କଂଗ୍ରେସ ଦଳର ନିର୍ବାଚନୀ ପ୍ରଚାରଠାରୁ ସ୍ଵାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କର ପ୍ରଚାର ଥିଲା ବେଶ୍ ନିଆରା। ଶଙ୍ଖ, ପଦ୍ଣ, ହାତ ଆଗରେ ସବୁଆଡ଼େ ଦିଶୁଥିଲା ବେଣୁ ମଉସାଙ୍କ କେଟିଲି ଚିହ୍ନ। ପାରମ୍ପରିକ ଓଡ଼ିଆର ବେଶଭୂଷା ଧୋତୀ, ପଞ୍ଜାବୀ ସହ ଖାଲି ପାଦରେ ବେଣୁ ମଉସା କରିଥିଲେ ପ୍ରଚାର। ବୟସର ଅପରାହ୍ଣରେ ନିର୍ବାଚନ ଲଢ଼ିବାର ଏପରି ଜୋସ୍ ଦେଖି ତାଙ୍କ ପାଇଁ ପ୍ରଚାର କରିବାକୁ ଆଗେଇ ଆସିଥିଲେ ଓଡ଼ିଆ ଯାତ୍ରା ଜଗତର ଚର୍ଚ୍ଚିତ ନାୟିକା ରାନୀ ପଣ୍ଡା ଏବଂ ଆଲବମ୍ ହିରୋଇନ ରାନୀ ପ୍ରିୟଦର୍ଶିନୀ ସାହୁ।ଦାମୀ ଗାଡ଼ିରେ ବେଣୁ ମଉସା  

ପାଦରେ ଚାଲି ଚାଲି ପ୍ରଚାର କରୁଥିବା ବେଣୁ ମଉସାଙ୍କୁ ପ୍ରଥମେ ସାଇକେଲଟିଏ ଭେଟି ଦେଇଥିଲେ ଅଭିନେତ୍ରୀ ରାନୀ ପଣ୍ଡା। ନୂଆ ସାଇକେଲ ଆଗରେ କେଟିଲି ଚିହ୍ନର ପ୍ଲା-କାର୍ଡ ଲଗାଇ ବାଲେଶ୍ଵର ସଦରର ଗଳିକନ୍ଦିରେ ନିଜ ପାଇଁ ପ୍ରଚାର କରିଥିଲେ ବେଣୁ ମଉସା। ତେବେ କେବଳ ଏତିକିରେ ସରିନଥିଲା ମଉସାଙ୍କ ପ୍ରଚାର ସାଇକେଲ ପରେ ରଥ, ଖୋଲା ଜିପ୍ ଆଉ ଏହାପରେ ଦାମୀ ଦାମୀ କାର୍‌ରେ ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲେ ସ୍ଵାଧୀନ ପ୍ରାର୍ଥୀ ବେଣୁଧର ବାରିକ। ମଉସାଙ୍କୁ ସମର୍ଥନ ଜଣାଇବା ପାଇଁ ଆଗେଇ ଆସିଥିଲେ କିନ୍ନର ସମାଜ। ଗୋଟିଏ ମଣିଷରୁ ଆରମ୍ଭ ହୋଇଥିବା ପ୍ରଚାର କ୍ରମେ ଶତକ ଛୁଇଁଥିଲା।ନିର୍ବାଚନୀ ଗୀତରେ ମଉସାଙ୍କ ପ୍ରଚାର

ବେଣୁ ମଉସାଙ୍କ କ୍ରେଜ୍ ଏପରି ବଢ଼ିଯାଇଥିଲା ଯେ ତାଙ୍କ ପ୍ରଚାର ପାଇଁ ପ୍ରସ୍ତୁତ ହୋଇଥିଲା ନିର୍ବାଚନୀ ଗୀତ। ଓଡ଼ିଶାର ଜଣେ ଆଗଧାଡ଼ିର ସଂଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍‌ଦାର ସ୍ଵାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ନିର୍ମାଣ କରିଥିଲେ ନିର୍ବାଚନୀ ପ୍ରଚାର ଗୀତ। ଏହାପରେ ବେଣୁ ମଉସାଙ୍କ ଦାମୀ ଗାଡିରେ ପ୍ରଚାର ସାଙ୍ଗରେ ମିଦାନ କମ୍ପିଥିଲା ନିର୍ବାଚନୀ ଗୀତରେ।ମଉସାଙ୍କ ପାଇଁ ଦୀପଦାନ

ଓଡ଼ିଆ ଆଲବମ୍ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ସାହୁ ବେଣୁ ମଉସାଙ୍କ ପାଇଁ ବାଲେଶ୍ଵର ସଦରରେ ପ୍ରଚାର କରିଥିଲେ। ଏପରିକି ଭୋଟ ଗଣନାର ପୂର୍ବଦିନ ପୁରୀ ଶ୍ରୀକ୍ଷେତ୍ରକୁ ଯାଇ ମଉସାଙ୍କ ବିଜୟ ମନାସି ପତିତପାବନ ଆଗରେ ଦୀପଦାନ କରିଥିଲେ।ସୋସିଆଲ ମିଡିଆରେ ମଉସାଙ୍କ କ୍ରେଜ୍

କେବଳ ବାଲେଶ୍ଵର ସଦରରେ ବେଣୁ ମଉସାଙ୍କ ପ୍ରଚାର ସୀମିତ ରହିଯାଇ ନଥିଲା। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଣୁ ମଉସାଙ୍କ ପାଇଁ ଖୋଲାଯାଇଥିଲା ଶହ ଶହ ପେଜ୍। ଫେସବୁକ୍, ହ୍ଵାଟ୍‌ସଆପ୍, ଇନ୍‌ଷ୍ଟାଗ୍ରାମ ଆଦିରେ ବେଣୁ ମଉସାଙ୍କ ପାଇଁ ହୋଇଥିଲା ହଜାର ହଜାର ପୋଷ୍ଟ।

Comment