ଓଡ଼ିଶାଲାଇଭ୍ ବ୍ୟୁରୋ

କଟକରେ ଉଦଘାଟିତ ହେଲା ଆୟକର ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି) ବେଞ୍ଚ। ବୁଧବାର ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି। ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ଓ ନ୍ୟାୟ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ।

ଏହାର ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, “କଟକ ବେଞ୍ଚ ପୂର୍ବ ଭାରତ ଟିକସଦାତାଙ୍କୁ ସୁବିଧା ଦେଇପାରିବ। ବିଜୁ ବାବୁଙ୍କ ବିନା ଉଦ୍ୟମରେ କଟକରେ ଆଇଟିଏଟି ପ୍ରତିଷ୍ଠା ସମ୍ଭବ ହୋଇପାରି ନଥାନ୍ତା। ଆଇଟିଏଟି ପାଇଁ ଟ୍ୟାକ୍ସ ଟେରରିଜିମ ଏବେ ଟ୍ୟାକ୍ସ ଟ୍ରାନ୍ସପେରେନ୍ସିରେ ପରିଣତ ହୋଇଛି। ଆୟକର ସରଳୀକରଣ ହୋଇଛି, କରଦାତାଙ୍କୁ ସୁବିଧା ମିଳୁଛି।”ଆଇଟିଏଟି ନାମରେ ପରିଚିତ ଏହି ଆୟକର ଆପିଲେଟ ଟ୍ରିବ୍ୟୁନାଲ ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଧାନିକ ସଂସ୍ଥା ଅଟେ। ପ୍ରଥମ ଟ୍ରିବ୍ୟୁନାଲ ଭାବେ ୨୫ ଜାନୁଆରି, ୧୯୪୧ରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା ଏବଂ ଯାହାକି “ମୂଳ ଟ୍ରିବ୍ୟୁନାଲ” ଭାବେ ପରିଚିତ। ପ୍ରଥମେ ଦିଲ୍ଲୀ, ବମ୍ବେ ଓ କଲିକତାରେ ଏହାର ତିନୋଟି ବେଞ୍ଚ ପ୍ରତିଷ୍ଠା ହୋଇଥିଲା। ବର୍ତ୍ତମାନ ଭାରତର ୩୦ଟି ସହରରେ ଏହାର ୬୩ଟି ବେଞ୍ଚ ଏବଂ ଦୁଇଟି ସର୍କିଟ ବେଞ୍ଚ ରହିଛି। ଝାଡ଼ଖଣ୍ଡ ଏବଂ ଗୁଜରାଟ ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ ପି ପି ଭଟ୍ଟ ବର୍ତ୍ତମାନ ଏହାର ମୁଖ୍ୟ ଅଛନ୍ତି।

ଆଇଟିଏଟିର ଲକ୍ଷ୍ୟ ହେଉଛି “ନିରପେକ୍ଷ ସୁଲଭ ସତ୍ଵର ନ୍ୟାୟ”, ଯାହାର ଅର୍ଥ ନିରପେକ୍ଷ, ସହଜ ଓ ଦ୍ରୁତ ନ୍ୟାୟ। ୭୯ ବର୍ଷର ଗୌରବପୂର୍ଣ୍ଣ ଯାତ୍ରା ମଧ୍ୟରେ ଆଇଟିଏଟି ଆବେଦନକାରୀଙ୍କୁ ତୁରନ୍ତ ଓ ବାଧାମୁକ୍ତ ନ୍ୟାୟ ଦେବାରେ ସମସ୍ତ ପ୍ରକାରର ପ୍ରୟାସ କରିଛି।

 

Comment