ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କରୋନା କଟକଣା କୋହଳ ହେବା ପରେ ରେଳ ମନ୍ତ୍ରାଳୟ ପକ୍ଷରୁ ଅନେକ ଯାତ୍ରୀବାହୀ ରେଳ ଚଳାଚଳ ଆରମ୍ଭ ହୋଇଛି। ଏହି କ୍ରମରେ ରେଳ ଯାତ୍ରୀମାନଙ୍କ ଦୈନନ୍ଦିନ ରେଳଯାତ୍ରାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ୱାଲଟର ଡିଭିଜନ ଓ ସମ୍ବଲପୁର ଡିଭିଜନ ମଧ୍ୟରେ ପୁଣି ରେଳ ସେବା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାୟଗଡ଼ା ରେଳ ଡିଭିଜନ ଦେଇ ଉଭୟପଟୁ ଦୁଇଟି ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରିବା ନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ଦୁଇଟି ଟ୍ରେନ୍ ଆସନ୍ତା ୧୫ ତାରିଖରୁ ଚଳାଚଳ କରିବ। ଟ୍ରେନ୍ ନମ୍ବର ୦୮୫୦୮ ବିଶାଖାପାଟଣା-ରାୟଗଡ଼ା ସ୍ୱତନ୍ତ୍ର ଟ୍ରେନ୍ ଭୋର ୪ଟା ୫୦ମିନିଟରେ ବିଶାଖାପାଟଣା ଛାଡ଼ି ସକାଳ ୯ଟାରେ ରାୟଗଡ଼ାରେ ପହଞ୍ଚିବ। ସେହିପରି ୦୮୫୦୭ ନମ୍ବରଯୁକ୍ତ ଟ୍ରେନ୍‌ଟି ରାୟଗଡ଼ା ଷ୍ଟେସନରୁ ଭୋର ୫ଟା ୧୫ମିନିଟରେ ଛାଡ଼ି ବିଶାଖାପାଟଣାରେ ସକାଳ ୯ଟା ୧୫ମିନିଟରେ ପହଞ୍ଚିବ।

ବିଶାଖାପାଟଣା–ରାୟଗଡ଼ା ରେଳ ଷ୍ଟେସନ ମଧ୍ୟରେ ସିହ୍ମାଚଳମ, କୋତାବାଲସା, ବିଜୟନଗରମ୍, ଗଜପତିନଗରମ୍, ବୋବିଲି, ପାର୍ବତୀପୁରମ୍ ଟାଉନ ଆଦି ରେଳ ଷ୍ଟେସନଗୁଡିକରେ ବିରତି ରହିଛି। ସେହିପରି ଏହି ଟ୍ରେନ୍‌ରେ ୧୦ଟି ଦ୍ୱିତୀୟ ଶ୍ରେଣୀ ଏବଂ ଦୁଇଟି ଲଗେଜ୍ କୋଚ୍ ରହିଛି।ଅନ୍ୟପଟେ ରାୟଗଡ଼ାରୁ ସମ୍ବଲପୁର ମଧ୍ୟରେ ଯାତ୍ରୀମାନଙ୍କ ସୁବିଧା ପାଇଁ ଟ୍ରେନ୍ ନମ୍ବର ୦୮୩୦୧ ସ୍ୱତନ୍ତ୍ର ଏକ୍ସପ୍ରେସ ବ୍ୟବସ୍ଥା କରାଯାଇଛି। ଟ୍ରେନ୍‌ଟି ସକାଳ ୬ଟା ୫ମିନିଟରେ ସମ୍ବଲପୁର ଛାଡ଼ି ମଧ୍ୟାହ୍ନ ୧୨ଟା ୪୦ମିନିଟରେ ରାୟଗଡ଼ାରେ ପହଞ୍ଚିବ। ଟ୍ରେନ୍‌ ନମ୍ବର ୦୮୩୦୨ ରାୟଗଡ଼ା ଷ୍ଟେସନରୁ ଅପରାହ୍ନ ୨ଟା ୦୫ମିନିଟରେ ବାହାରି ସମ୍ବଲପୁରରେ ରାତି ୮ଟା ୨୦ମିନିଟରେ ପହଞ୍ଚିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବଲପୁର-ରାୟଗଡ଼ା ରେଳ ଷ୍ଟେସନ ମଧ୍ୟରେ ଏହି ଏକ୍ସପ୍ରେସ ଚଳାଚଳ କରିବା ସମୟରେ ୧୭ଟି ଷ୍ଟେସନରେ ବିରତି ରହିବ। ସେହିପରି ଏହି ଟ୍ରେନ୍‌ରେ ଗୋଟିଏ ସ୍ଳିପର ଶ୍ରେଣୀ କୋଚ୍ ସହ ୬ଟି ଦ୍ୱିତୀୟ ଶ୍ରେଣୀ ଏବଂ ଦୁଇଟି ଲଗେଜ୍ କୋଚ୍ ରଖାଯାଇଛି। ତେବେ ସମସ୍ତ ରେଳଯାତ୍ରୀ କୋଭିଡ-୧୯ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ଅନୁସରଣ କରି ରେଳଯାତ୍ରା କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comment