ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: କଟକ ସହରରେ ୪୬.୩୯ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ତିଆରି ହେଲାଣି। ତେବେ ବୟସ୍କଙ୍କ ଅପେକ୍ଷା ଯୁବଗୋଷ୍ଠୀଙ୍କ ମଧ୍ୟରେ ସବୁଠୁ ବେଶୀ ଆଣ୍ଟିବଡି ବିକଶିତ ହୋଇଛି। ଆର୍‌ଏମ୍‌ଆର୍‌ସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି।

ସହରରେ ୫ଟି ଟିମ୍ ଦ୍ଵାରା ଗତ ୨ ତାରିଖରୁ ୫ ତାରିଖ ମଧ୍ୟରେ ହୋଇଥିବା ଏହି ସର୍ଭେରେ ୨,୩୬୨ ଜଣଙ୍କୁ ସାମିଲ୍ କରାଯାଇଥିଲା। ସେଥିରୁ ୫୪ ଜଣ ସହମତି ପ୍ରକାଶ ନ କରିବାରୁ ୨,୩୦୮ଜଣଙ୍କ ନମୁନା ସଂଗ୍ରହ ପାଇଁ ଶିବିର ହୋଇଥିଲା। ତେବେ ଶିବିରରୁ ସମୁଦାୟ ୨,୨୭୪ଟି ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା।ଏଥିରେ ୧,୪୮୯ଜଣ ପୁରୁଷ ଓ ୭୮୫ଜଣ ମହିଳାଙ୍କୁ ସାମିଲ୍ କରାଯାଇଥିଲା। ତାହାମଧ୍ୟରେ ସାଧାରଣ ଲୋକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ, ପୋଲିସ, ମ୍ୟୁନିସିପାଲ୍ କର୍ମଚାରୀ, ବ୍ୟାଙ୍କ ଯୋଗାଯୋଗବିଭାଗ କର୍ମଚାରୀଙ୍କ ସମେତ ସାମ୍ବାଦିକମାନେ ରକ୍ତ ନମୁନା ଦେଇଥିଲେ।

ଉକ୍ତ ଲୋକଙ୍କ ମଧ୍ୟରେ ସର୍ବାଧିକ ୪୦ରୁ ୫୯ ବର୍ଷ ବୟସର ଲୋକଙ୍କଠାରୁ ନମୁନା ସଂଗ୍ରହ ହୋଇଥିଲା। ସର୍ଭେ ରିପୋର୍ଟ ଅନୁସାରେ, ୧୮ରୁ ୩୯ ବୟସ ବର୍ଗରେ ୮୦୭ଟି, ୪୦ରୁ ୫୯ ବର୍ଷ ବୟସ ବର୍ଗରେ ୧,୧୫୫ଟି ଓ ୬୦ରୁ ଉର୍ଦ୍ଧ୍ୱ ବର୍ଷ ବୟସ ବର୍ଗରେ ୩୧୨ଟି ନମୁନା ନେଇ ପରୀକ୍ଷା ହୋଇଥିଲା। ସେଥିରୁ ୧୮ରୁ ୧୯ବର୍ଷ ବୟସ ବର୍ଗର ବ୍ୟକ୍ତିଙ୍କ ଶରୀରରେ ସର୍ବାଧିକ ୬୧.୨୯ ପ୍ରତିଶତ କରୋନା ଆଣ୍ଟିବଡି ବିକଶିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।୫୫ ପ୍ରତିଶତ ଲୋକଙ୍କ ଟ୍ରାଭେଲ୍ ହିଷ୍ଟ୍ରି ରହିଛି

ସର୍ଭେରେ ସଂଗ୍ରହ ହୋଇଥିବା ନମୁନା ମଧ୍ୟରୁ ୫୪.୮୦ ତଥା ୫୫ ପ୍ରତିଶତ ଲୋକଙ୍କ ଟ୍ରାଭେଲ୍ ହିଷ୍ଟ୍ରି ରହିଛି। ଏହାର ଅର୍ଥ ଉକ୍ତ ବ୍ୟକ୍ତି ଗତ ମାସକ ମଧ୍ୟରେ ଜିଲ୍ଲା ବାହାରକୁ ଗସ୍ତ କରିଛନ୍ତି। ସେହିଭଳି ୪୫.୬୮ ପ୍ରତିଶତ ଲୋକଙ୍କ କୌଣସି ଗସ୍ତ ବିବରଣୀ ନାହିଁ। ତେବେ ରିପୋର୍ଟ ଅନୁସାରେ, ୨,୨୭୪ଜଣଙ୍କ ମଧ୍ୟରୁ ୧୭୭ଜଣଙ୍କ ଗସ୍ତ ବିବରଣୀ ରହିଛି। ସେଥିରେ ପୁଣି ୯୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୮୦ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।

ୱାର୍ଡ ଅନୁସାରେ କରୋନା ପ୍ରାଦୂର୍ଭାବ

ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେରେ ୨୫ଟି ୱାର୍ଡକୁ ତଳନାତ୍ମକ ଭାବେ ନିଆଯାଇଥିଲା। ୨୫ଟି ୱାର୍ଡରୁ ୧,୬୩୪ଟି ନମୁନା ସଂଗ୍ରହ କରାଯାଇଥିଲା। ତେବେ ଏହି ଗୋଷ୍ଠୀ ସର୍ଭେର ରିପୋର୍ଟ ସର୍ବନିମ୍ନ ୨୨.୭୩ ପ୍ରତିଶତରୁ ଆରମ୍ଭ କରି ସର୍ବାଧିକ ୬୭.୯୦ ପ୍ରତିଶତ ରହିଛି। ପ୍ରତ୍ୟେକ ୱାର୍ଡରୁ ପ୍ରାୟ ୬୦ ଲେଖାଏଁ ନମୁନା ସଂଗ୍ରହ ହୋଇଥିବାବେଳେ ସମସ୍ତଙ୍କର ସଂକ୍ରମଣ ହାର ପ୍ରାୟ ଭିନ୍ନ ରହିଛି।ଅନେକ ୱାର୍ଡବସିନ୍ଦାଙ୍କ ମଧ୍ୟରେ କରୋନା ଆଣ୍ଟିବଡି ସର୍ବାଧିକ ଥିଲାବେଳେ ଅନେକ ୱାର୍ଡରେ କମ୍ ରହିଛି। ସେରୋ ସର୍ଭେ ରିପୋର୍ଟ ଅନୁଯାୟୀ, କଟକ ସହରର ୧୬ ନମ୍ବର ଓ୍ଵାର୍ଡରେ ସର୍ବନିମ୍ନ ୨୨.୭୩ ପ୍ରତିଶତ ଓ ୪୭ ନମ୍ବର ଓ୍ଵାର୍ଡରେ ସର୍ବାଧିକ ୬୭.୯୦ ପ୍ରତିଶତ ଆଣ୍ଟିବଡି ପ୍ରସ୍ତୁତ ହୋଇଛି।

Comment