ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶ ମୁଜାଫରନଗରର ୨୨ ବର୍ଷୀୟ ଶ୍ରବଣ କୁମାର। କିନ୍ତୁ କାମ ତାଙ୍କର ମହାନ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗଙ୍ଗାରେ ବୁଡ଼ି ଯାଉଥିବା ଲୋକଙ୍କୁ ପାଣିରୁ ଉଦ୍ଧାର କରିବା ହେଲା ଶ୍ରବଣ କୁମାରଙ୍କ ମୁଖ୍ୟ କାମ। ଏଥିପାଇଁ ସେ ତାଙ୍କ ନିଜ ଜୀବନକୁ ବିପଦରେ ପକାଇବାକୁ ମଧ୍ୟ ପଛାନ୍ତି ନାହିଁ। ତେବେ ଏଯାଏଁ ପ୍ରାୟ ୧୦୦ ଜଣଙ୍କ ଜୀବନ ବଞ୍ଚାଇ ସାରିଲେଣି ଶ୍ରବଣ କୁମାର।

ଶ୍ରବଣ କୁମାର ଯେତେବେଳେ ମାତ୍ର ୧୨ ବର୍ଷ ବୟସର ହୋଇଥିଲେ, ସେତେବେଳେ ସେ ଡଙ୍ଗାରେ ବୁଡ଼ି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ସେବେଠାରୁ ସେ ଗତ ୧୦ ବର୍ଷ ଧରି ଏହି କାର୍ଯ୍ୟ କରିଆସୁଛନ୍ତି। ଏହି ୧୦ ବର୍ଷ ଭିତରେ ସେ ପ୍ରାୟ ୧୦୦ ଜଣଙ୍କ ଜୀବନ ବଞ୍ଚାଇଥିବା ଜଣାପଡ଼ିଛି। ନଦୀରେ ବୁଡ଼ି ଯାଉଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କରିବା ତାଙ୍କ ଜୀବନର ଏକମାତ୍ର ବ୍ରତ ବୋଲି ଶ୍ରବଣ କୁମାର କହନ୍ତି।

ନଦୀର କେଉଁ ବ୍ୟକ୍ତି ବୁଡ଼ି ଯାଉଛି ଏହା ଉପରେ ନଜର ରଖିବା ପାଇଁ ଶ୍ରବଣ ନଦୀ କୂଳରେ କାମ କରିବାକୁ ବାଛିଛନ୍ତି। ମୁଜାଫରନଗରର ପ୍ରସିଦ୍ଧ ଶୁକର୍ତ୍ତାଲ ଘାଟରେ ସେ ଏକ ସ୍ଥାନରେ ଫୁଲ ଏବଂ ଭୋଗ ବିକ୍ରି ଦୋକାନ ଖୋଲିଛନ୍ତି। ଯାହାଦ୍ୱାରା ସେ ନଦୀ ଉପରେ ନଜର ରଖିପାରିବେ।

ଶ୍ରବଣ କୁମାର ପାଠ ନପଢ଼ି ନଦୀ କୂଳରେ ଦୋକାନ କରି ପରିବାର ପୋଷୁଛନ୍ତି। ତାଙ୍କ ବାପା ଅସୁସ୍ଥ ଥିବାରୁ ତାଙ୍କ ଉପରେ ପରିବାରର ଦାୟିତ୍ୱ ରହିଛି। ଏହି ଦୋକାନରୁ ବେଶୀ କିଛି ଆୟ ହୁଏନି ତଥାପି କଷ୍ଟେ ମଷ୍ଟେ ପରିବାର ଚଳାଇ ନିଅନ୍ତି ଶ୍ରବଣ କୁମାର।

ଅଭାବ ଅନଟନ ଭିତରେ ସେ ଅନ୍ୟକୁ ବଞ୍ଚାଇବାକୁ ଯାଇ ଦୁଇ ଦୁଇ ଥର ନଦୀରେ ନିଜ ମୋବାଇଲ ହଜେଇ ସାରିଲେଣି। ଏମିତିକି ସେ ଦୋକାନ ଛାଡ଼ି କାହାକୁ ବଞ୍ଚେଇବାକୁ ଯାଇଥିଲା ବେଳେ ଲୋକେ ତାଙ୍କ ଫୁଲ, ପ୍ରସାଦ ମଧ୍ୟ ଚୋରାଇ ନିଅନ୍ତି। ଫଳରେ ଶ୍ରବଣଙ୍କୁ ବହୁ କ୍ଷତି ସହିବାକୁ ପଡ଼େ। ଏହାସତ୍ତ୍ୱେ ବି ସେ ଅନ୍ୟକୁ ସାହାଯ୍ୟ କରିବାକୁ କେବେ ପଛକୁ ହଟନ୍ତି ନାହିଁ। ଶ୍ରବଣଙ୍କ ଏହି ମହତ କାମ ଯୋଗୁଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି।

Comment