ଓଡ଼ିଶାଲାଇଭ୍ ବ୍ୟୁରୋ

  • ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସୈନିକ ସ୍କୁଲରେ ନାମଲେଖା ସୁଯୋଗ
  • ପ୍ରବେଶିକା ପରୀକ୍ଷା ପାଇଁ ଡିସେମ୍ବର ୩ ସୁଦ୍ଧା କରନ୍ତୁ ଆବେଦନ
  • ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ନାମ ଲେଖାଇବାକୁ ମିଳିବ ସୁଯୋଗ
  • ଜାନୁଆରି ୧୦ରେ ହେବ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା
  • ୧୯୬୨ରୁ ଭୁବନେଶ୍ୱରରେ ଚାଲୁଛି ସୈନିକ ସ୍କୁଲ

୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସୈନିକ ସ୍କୁଲରେ ଆରମ୍ଭ ହୋଇଛି ନାମଲେଖା ପ୍ରକ୍ରିୟା। ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ପ୍ରବେଶିକା ପରୀକ୍ଷା ଦେଇ ଏହି ଶିକ୍ଷାନୁଷ୍ଠାନରେ ନାମ ଲେଖାଇପାରିବେ। ପ୍ରବେଶିକା ପରୀକ୍ଷା ଦେବା ପାଇଁ ଆବେଦନର ଶେଷ ତାରିଖ ଡିସେମ୍ବର ୩ ରହିଛି।୧୯୬୨ ମସିହାରୁ ଭୁବନେଶ୍ୱରରେ ଚାଲିଥିବା ସୈନିକ ସ୍କୁଲ୍ ସିବିଏସ୍ଇ ପାଠ୍ୟକ୍ରମକୁ ନେଇ ଏକ ଆଗ ଧାଡ଼ିର ସ୍କୁଲ ଭାବେ ପରିଚିତ। ଚଳିତ ବର୍ଷଠାରୁ ଓଡ଼ିଶାର ଦ୍ୱିତୀୟ ଅନୁଷ୍ଠାନ ଭାବେ ସମ୍ବଲପୁରରେ ସୈନିକ ସ୍କୁଲ୍ ଆରମ୍ଭ ହୋଇଛି। ଏଠାରେ ଷଷ୍ଠ ଓ ନବମ ଶ୍ରେଣୀରେ ଛାତ୍ରଛାତ୍ରୀମାନେ ନାମ ଲେଖାଇପାରିବେ। ଏଥିପାଇଁ ପ୍ରଥମେ ସେମାନଙ୍କୁ ପ୍ରବେଶିକା ପରୀକ୍ଷା ଦେବାକୁ ହେବ। ଏହି ପରୀକ୍ଷା ଦେବା ପାଇଁ ସେମାନଙ୍କୁ ଡିସେମ୍ବର ୩ ସୁଦ୍ଧା ଆବେଦନ କରିବାକୁ ପଡ଼ିବ। ଆବେଦନ କରିବା ପରେ ଛାତ୍ରଛାତ୍ରୀମାନେ ଜାନୁଆରି ୧୦ରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ଦେବେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବାକୁ ସୁଯୋଗ ପାଇବେ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ଶିକ୍ଷାନୁଷ୍ଠାନରେ ଛାତ୍ରୀମାନେ ନାମଲେଖାର ସୁଯୋଗ ପାଇବେ। ଏହାକୁ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁମୋଦନ ଦେଇଛି। ଏହାପୂର୍ବରୁ ଏଠାରେ କେବଳ ଛାତ୍ରମାନେ ହିଁ ପଢୁଥିଲେ। “ଭୁବନେଶ୍ୱରରେ ଥିବା ଅନ୍ୟ ସ୍କୁଲମାନଙ୍କଠାରୁ ସୈନିକ ସ୍କୁଲ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର। ଏଠାରେ ପିଲାମାନଙ୍କର ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯାଏ। ପାଠପଢ଼ା ବ୍ୟତୀତ ପିଲାମାନଙ୍କୁ ବିଭିନ୍ନ ଖେଳକୁଦ ସହ ଶାରୀରିକ ଓ ମାନସିକ ଭାବେ ସେମାନଙ୍କୁ ସଶକ୍ତ କରାଯାଏ। ଏହାବାଦ୍ ସୈନିକ ସ୍କୁଲରେ ପିଲାମାନଙ୍କୁ ସେନାରେ ନିଯୁକ୍ତି ପାଇଁ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ସ୍କଲାରସିପ୍ ମିଳୁଥିବା କାରଣରୁ ଉପାନ୍ତ ଅଞ୍ଚଳର ପିଲାମାନେ ମଧ୍ୟ ଏଠାରେ ନାମ ଲେଖାଇବାକୁ ସୁଯୋଗ ପାଇପାରୁଛନ୍ତି”, କହିଛନ୍ତି ଭୁବନେଶ୍ୱର ସୈନିକ ସ୍କୁଲର ଅଧ୍ୟକ୍ଷ ଗ୍ରୁପ୍ କ୍ୟାପଟେନ୍ ଏସ୍ ଡୋମିନିକ୍ ରାୟନ।ଭୁବନେଶ୍ୱରର ସୈନିକ ସ୍କୁଲ ରାଜ୍ୟର ଏକ ଅଗ୍ରଣୀ ଆବାସିକ ଶିକ୍ଷାନୁଷ୍ଠାନ ଭାବେ ଜଣାଶୁଣା। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରୟାସ କ୍ରମେ ଏହାକୁ ୧୯୬୨ ମସିହାରେ ଆରମ୍ଭ କରାଯାଇଥିଲା। ଏଠାରେ ଛାତ୍ରମାନେ ପାଠ ପଢ଼ିବା ସହିତ ନିଜକୁ ଭାରତୀୟ ସେନାରେ ନିଯୁକ୍ତ କରିବା ପାଇଁ ପ୍ରସ୍ତୁତ କରିଥାନ୍ତି। ବିଶେଷକରି ୟୁପିଏସି ଦ୍ୱାରା ପରିଚାଳିତ ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ (ଏନଡିଏ)ରେ ସାମିଲ ହେବାକୁ ଶିକ୍ଷାର୍ଥୀମାନଙ୍କୁ ଏଠାରେ ତାଲିମ୍ ଦିଆଯାଏ। ଏଠାରୁ ଉତ୍ତୀର୍ଣ୍ଣ ହୋଇଥିବା ଅନେକ ଶିକ୍ଷାର୍ଥୀ ଏବେ ଭାରତୀୟ ସେନା ବାହିନୀରେ ଉଚ୍ଚପଦସ୍ଥ ଅଧିକାରୀ ଭାବେ ମଧ୍ୟ ରହିଛନ୍ତି।ଓଡ଼ିଶା ସରକାରଙ୍କ ତରଫରୁ ସୈନିକ ସ୍କୁଲର ଶିକ୍ଷାର୍ଥୀମାନଙ୍କୁ ସ୍କଲାରସିପ ମଧ୍ୟ ଯୋଗାଇ ଦିଆଯାଉଛି। ଷଷ୍ଠ ଶ୍ରେଣୀରେ ନାମ ଲେଖାଉଥିବା ଯେଉଁ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ବାର୍ଷିକ ଆୟ ୩ ଲକ୍ଷରୁ କମ ସେମାନଙ୍କୁ ଶତ ପ୍ରତିଶତ ସ୍କଲାରସିପ୍ ଯୋଗାଇ ମିଳିବ। ସେହିଭଳି ଯେଉଁ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ବାର୍ଷିକ ଆୟ ୩ରୁ ୫ ଲକ୍ଷ ଟଙ୍କା ସେମାନଙ୍କୁ ୭୫ ପ୍ରତିଶତ, ୫ ଲକ୍ଷରୁ ସାଢ଼େ ୭ ଲକ୍ଷ ଆୟ କରୁଥିବା ଅଭିଭାବକଙ୍କ ପିଲାଙ୍କୁ ୫୦ ପ୍ରତିଶତ ଏବଂ ୭.୫ରୁ ୧୦ ଲକ୍ଷ ଆୟ କରୁଥିବା ଅଭିଭାବବଙ୍କ ପିଲାଙ୍କୁ ୨୫ ପ୍ରତିଶତ ସ୍କଲାରସିପ୍ ଯୋଗାଇ ଦିଆଯାଉଛି। ଏତଦବ୍ୟତୀତ ସୈନିକ ସ୍କୁଲରେ ଡିଫେନ୍ସ ସ୍କଲାରସିପ ବ୍ୟବସ୍ଥା ମଧ୍ୟ ରହିଛି।ସୈନିକ ସ୍କୁଲରେ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖାଯାଇଥିବାବେଳେ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୭.୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖାଯାଇଛି। ଏଥିସହିତ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖାଯାଇଛି।

ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିବାକୁ କ୍ଲିକ୍ କରନ୍ତୁ।

Comment