ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀରେ ଏବେ ହେବନି ଲକଡାଉନ୍। ଜାତୀୟ ରାଜଧାନୀରେ ଏବେ ସେଭଳି କୌଣସି ଲକଡାଉନର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୈତ୍ୟେନ୍ଦ୍ର ଜୈନ।

ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ କରୋନା ସଂକ୍ରମଣ ଶିଖର ଛୁଇଁଛି। ଶୀତଋତୁ ଓ ପ୍ରଦୁଷଣ ବଢୁଥିବାରୁ ଦିଲ୍ଲୀରେ ଏବେ ପ୍ରତିଦିନ ଶତାଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଯେଉଁ କାରଣରୁ ସେଠାରେ ପୁଣିଥରେ ଲକଡାଉନ୍ ଫେରିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏହି ଚର୍ଚ୍ଚା ଉପରେ ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୈତ୍ୟେନ୍ଦ୍ର ଜୈନ।

ସେ କହିଛନ୍ତି ଯେ, ଦିଲ୍ଲୀରେ ଲକଡାଉନ୍ ଏବେ ହେବାର ନାହିଁ। ସେଭଳି ଆବଶ୍ୟକତା ଏପର୍ଯ୍ୟନ୍ତ ପଡ଼ିନାହିଁ। ବର୍ତ୍ତମାନ ଟେଷ୍ଟିଂ ପରିମାଣ ବଢ଼ାଯିବା ସହିତ ଲୋକଙ୍କୁ ସଚେତନ କରାଯାଉଛି ବୋଲି ସେ କହିଛନ୍ତି।ଅନ୍ୟପଟେ ଦିଲ୍ଲୀରେ ପ୍ରତି ଘଣ୍ଟାରେ ୪ ଜଣ ରୋଗୀ ପ୍ରାଣ ହରାଉଥିବା ସୂଚନା ମିଳିଛି। ଏହାକୁ ଲକ୍ଷ୍ୟ କରି ଦିଲ୍ଲୀରେ ମେଡିକାଲ୍ ସୁବିଧାକୁ ବଢ଼ାଇବାକୁ ଯୋଜନା କରାଯାଉଛି। ପ୍ରତି ହସ୍ପିଟାଲରେ ଆଇସିୟୁ ବେଡ୍ ସଂଖ୍ୟା ବୃଦ୍ଧି କରିବା ସହିତ ଡାକ୍ତରଙ୍କ ଅଭାବ ଦୂର କରିବାକୁ ପ୍ରସ୍ତୁତି ଚାଲିଛି। ଏଥିସହିତ ପ୍ରତି ହସ୍ପିଟାଲରେ ୮୦ ପ୍ରତିଶତ ବେଡ୍ କରୋନା ରୋଗୀଙ୍କ ପାଇଁ ରହିବ ବୋଲି କୁହାଯାଇଛି।

ଗତ କିଛି ଦିନ ହେଲା ଦିଲ୍ଲୀରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଯାଇଛି। ଏହାସହ ମୃତ୍ୟୁସଂଖ୍ୟା ମଧ୍ୟ ଥମିବାର ନା ନେଉନି। ପରିସ୍ଥିତି ଅଣାୟତ୍ତ ହେଉଥିବାରୁ ଖୋଦ୍ ଗୃହମନ୍ତ୍ରୀ ଅମିତ ଶାହ ଏହାର ସମାଧାନ ପାଇଁ ଆଗକୁ ଆସିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟ ଏଥିପ୍ରତି ନଜର ରଖିଛନ୍ତି।

Comment