ଓଡ଼ିଶାଲାଇଭ୍ ବ୍ୟୁରୋ

ମୁମ୍ବାଇ-ଦିଲ୍ଲୀ ଭିତରେ ଖୁବଶୀଘ୍ର ବନ୍ଦ ହୋଇପାରେ ବିମାନ ଓ ଟ୍ରେନ୍ ସେବା। ଦିଲ୍ଲୀରେ କରୋନା ସଂକ୍ରମଣ ବଢୁଥିବା ଦେଖି ମହାରାଷ୍ଟ୍ର ସରକାର ଏପରି ନିଷ୍ପତ୍ତି ନେବାକୁ ଯାଉଥିବା ଖବର ମିଳିଛି।

ଦିଲ୍ଲୀରେ ଏବେ ସଂକ୍ରମଣ ଶିଖର ଛୁଇଁଛି। ପ୍ରତିଦିନ ପାଖାପାଖି ୮ ହଜାର ନୂଆ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ପ୍ରାୟ ଶହେ ଲୋକ ପ୍ରାଣ ହରାଉଛନ୍ତି। ଦିଲ୍ଲୀରେ ସଂକ୍ରମଣ ବଢୁଥିବାବେଳେ ଏହାର ପ୍ରଭାବ ହରିୟାଣା, ଏନସିଆର୍ ଆଦି ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳୁଛି। ତେଣୁ ସଂକ୍ରମଣ ଉପରେ ବ୍ରେକ୍ ଦେବାକୁ ଯାଇ ମହାରାଷ୍ଟ୍ର ସରକାର ଦିଲ୍ଲୀରୁ ମୁମ୍ବାଇ ଟ୍ରେନ୍ ଓ ବିମାନ ସେବା ବାତିଲ୍ କରିବାକୁ ବିଚାର କରୁଛନ୍ତି।

ଲକଡାଉନ୍ ଶେଷ ହେବା ପରେ ଏହି ଦୁଇ ସହର ଭିତରେ ପୂର୍ବଭଳି ଟ୍ରେନ୍ ଓ ବିମାନସେବା ଆରମ୍ଭ ହୋଇଥିଲା। ହେଲେ ଶୀତଋତୁ ବଢ଼ିବା ସହିତ ଦିଲ୍ଲୀରେ ସଂକ୍ରମଣ ବଢ଼ୁଛି। ଏହାଦ୍ୱାରା ମହାରାଷ୍ଟ୍ରରେ ମଧ୍ୟ ସଂକ୍ରମଣ ବଢ଼ିପାରେ ବୋଲି କୁହାଯାଉଛି। ତେଣୁ ଏହାକୁ ଆୟତ୍ତ କରିବାକୁ ଉଦ୍ଧବ ସରକାର ଏପରି ନିଷ୍ପତ୍ତି ନେଇପାରେ ବୋଲି କୁହାଯାଉଛି।

ଅନ୍ୟପଟେ ମୁମ୍ବାଇ ସହରରେ ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି କୁହାଯାଇଛି। ଏହାପୂର୍ବରୁ ନଭେମ୍ବର ୨୩ରୁ ଏଠାରେ ସ୍କୁଲ୍ ଖୋଲିବା ନେଇ ସୂଚନା ଦିଆଯାଇଥିଲା। ହେଲେ ସଂକ୍ରମଣ ବଢ଼ୁଥିବାରୁ ଏବେ ଏହାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କୁହାଯାଇଛି।

Comment