ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ସରକାର ଗଢ଼ିବାକୁ ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା।

୨୦୨୪ ଲୋକସଭା ନିର୍ବାଚନକୁ ଆହୁରି ଅନେକ ଦିନ ବାକି; ହେଲେ ଏବେଠୁ ଦେଶରେ ପୁଣିଥରେ ସରକାର ଗଢ଼ିବାକୁ ଗେମ୍ ପ୍ଲାନ୍ ପ୍ରସ୍ତୁତ କଲାଣି ଭାରତୀୟ ଜନତା ପାର୍ଟି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଡିସେମ୍ବର ମାସରୁ ୧୨୦ ଦିନ ଧରି ଭାରତ ଭ୍ରମଣ ଅଭିଯାନ ଚଳାଇବେ। ଏହି ଅଭିଯାନରେ ସେ ଦଳକୁ ଆହୁରି ମଝବୁତ୍ କରିବାକୁ ସବୁ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ଏହି କ୍ରମରେ ଜେପି ନଡ୍ଡା ଓଡ଼ିଶା ଆସିବେ ବୋଲି ମଧ୍ୟ ସୂଚନା ମିଳିଛି। କୁହାଯାଉଛି ଯେ, ନଡ୍ଡାଙ୍କ ନଜର ଏବେ ଓଡ଼ିଶା ଉପରେ ରହିଛି। ଗତ ଲୋକସଭା ନିର୍ବାଚନରେ ଦଳ ଓଡ଼ିଶାରେ ଭଲ ପ୍ରଦର୍ଶନ କରିଥିବାରୁ, ୨୦୨୪ ନିର୍ବାଚନରେ ଦଳ କିପରି ଆହୁରି ଅଧିକ ସିଟ୍ ଜିତିବ ସେନେଇ ନଡ୍ଡା ସ୍ପେଶାଲ ରଣନୀତି ପ୍ରସ୍ତୁତ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।ନଡ୍ଡାଙ୍କ ବି ଗ୍ରୁପରେ ଓଡ଼ିଶା

ଜେପି ନଡ୍ଡା ଡିସେମ୍ବର ମାସରୁ ୧୨୦ ଦିନ ଧରି ଭାରତ ଭ୍ରମଣ କରିବେ। ଏହି ଅବସରରେ ସେ ବିଭିନ୍ନ ରାଜ୍ୟରେ ବିଜେପିକୁ ସଶକ୍ତ କରିବାକୁ ଅନେକ ବୈଠକ ଓ କର୍ମୀମାନଙ୍କ ସହ ଭର୍ଚୁଆଲ୍ ବୈଠକ କରିବେ। ଏଥିପାଇଁ ବିଭିନ୍ନ ରାଜ୍ୟମାନଙ୍କୁ ବିଭିନ୍ନ ଗ୍ରୁପରେ ବିଭକ୍ତ କରାଯାଇଛି।

ଯେଉଁ ରାଜ୍ୟରେ ବିଜେପି କିମ୍ବା ଏନଡିଏ ମେଣ୍ଟ ଶାସନରେ ଅଛି, ସେହିସବୁ ରାଜ୍ୟକୁ ନଡ୍ଡା ଗ୍ରୁପ୍ ‘ଏ’ରେ ରଖିଛନ୍ତି। ସେହିପରି ଯେଉଁ ରାଜ୍ୟରେ ବିଜେପି ଶାସନରେ ନାହିଁ, ଯେପରିକି ରାଜସ୍ଥାନ, ଛତିଶଗଡ଼, ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ ଏବଂ ଓଡ଼ିଶା ଭଳି ରାଜ୍ୟକୁ ଗ୍ରୁପ୍ ‘ବି’ରେ ରଖାଯାଇଛି। ଅଣବିଜେପି ଶାସିତ ରାଜ୍ୟ ସବୁ ନଡ୍ଡାଙ୍କ ସ୍ପେଶାଲ ଫୋକସରେ ଥିବା କୁହାଯାଉଛି।

ସେହିପରି ଛୋଟ ଛୋଟ ରାଜ୍ୟ ଯେପରିକି ଲାକ୍ଷାଦ୍ୱୀପ, ମେଘାଳୟ, ମିଜୋରାମ ଭଳି ରାଜ୍ୟକୁ ଗ୍ରୁପ୍ ‘ସି’ ଏବଂ ଆଗକୁ ନିର୍ବାଚନ ହେବାକୁ ଥିବା ରାଜ୍ୟମାନଙ୍କୁ ଗ୍ରୁପ୍ ‘ଡି’ରେ ରଖାଯାଇଛି। ଛୋଟ ଛୋଟ ରାଜ୍ୟରେ ନଡ୍ଡା ୨ ଦିନ ବିତେଇବେ ବୋଲି କୁହାଯାଇଥିବାବେଳେ ବଡ଼ ରାଜ୍ୟମାନଙ୍କରେ ନଡ୍ଡା ୩ ଦିନ ଧରି ସଙ୍ଗଠନ ସଜାଡ଼ିବା କାମ କରିବେ।

୨୦୨୪ରେ ଓଡ଼ିଶାରେ ବିଜେପି ସରକାର

କିଛି ଦିନ ତଳେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶାର ୬ଟି ଜିଲ୍ଲାରେ ନୂଆ ବିଜେପି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ। ଏହି ଅବସରରେ ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ୨୦୨୪ରେ ବିଜେପି ନିଶ୍ଚିତ ଭାବେ ଓଡ଼ିଶାରେ ସରକାର ଗଢ଼ିବ। ଗତ ସାଧାରଣ ନିର୍ବାଚନରେ ବିଜେପିର ଭୋଟ୍ ପ୍ରତିଶତ ବୃଦ୍ଧି ପାଇଛି। ତେଣୁ ୨୦୨୪ରେ ମଧ୍ୟ ଦଳ ଓଡ଼ିଶାରେ ଭଲ ପ୍ରଦର୍ଶନ କରିବ ବୋଲି ସେ କହିଥିଲେ।୨୦୧୪ରେ ସାରା ଦେଶରେ ମୋଦୀ ଲହର ବୋହିବା ସହ କେନ୍ଦ୍ରରେ ସରକାର ଗଠନ କରିଥିଲା ବିଜେପି। ହେଲେ ଓଡ଼ିଶାରେ କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ିନଥିଲା। ୨୧ଟି ଲୋକସଭା ଆସନରୁ ବିଜେଡି ୨୦ଟି ଆସନ ପୋଛିନେଇଥିଲା। ଏକମାତ୍ର ବିଜେପି ନେତା ଭାବେ ସୁନ୍ଦରଗଡ଼ରୁ ଜୁଏଲ ଓରାମ୍ ନିର୍ବାଚିତ ହୋଇଥିଲେ।

ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ସେତେଟା ସଫଳତା ପାଇନଥିଲା। ୧୪୭ ଆସନରୁ ବିଜେପି ଖାତାକୁ ଯାଇଥିଲା ମାତ୍ର ୧୦ଟି ସିଟ୍। ବିଜୁ ଜନତା ଦଳ ଏହି ନିର୍ବାଚନରେ ୧୧୭ ଆସନ ଜିତିବା ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ ପଟ୍ଟନାୟକ।

ଏହାପରେ ୨୦୧୯ ନିର୍ବାଚନରେ ଦଳର ପ୍ରଦର୍ଶନରେ ଟିକେ ସୁଧାର ଆସିଛି। ଦଳ ଓଡ଼ିଶାରେ ତୃତୀୟ ସ୍ଥାନରୁ ଉଠି ଏବେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଛି। ଲୋକସଭା ନିର୍ବାଚନରେ ମଧ୍ୟ ଦଳ ୨୧ଟି ଆସନରୁ ୮ଟିରେ ବାଜିମାତ୍ କରିଛି। ତେଣୁ ୨୦୨୪ରେ ଦଳ କିପରି ଆହୁରି ଅଧିକ ସିଟ୍ ଜିତିବ ସେନେଇ ଏବେ ଅଙ୍କ କଷା ଆରମ୍ଭ ହୋଇଯାଇଛି।

Comment