ଓଡ଼ିଶାଲାଇଭ୍ ବ୍ୟୁରୋ

  • ୫ଶହରୁ ଅଧିକ ଛୋଟବଡ଼ ପକ୍ଷୀ ଉଦ୍ଧାର
  • ୬୮ଟି ଧଳା ଠେକୁଆ ବି ଉଦ୍ଧାର
  • କୋଲକାତାରୁ ବସ୍‌ରେ ଭୁବନେଶ୍ୱର ଆସୁଥିଲା

କଟକ: ବସ୍ ଯୋଗେ ବେଆଇନ ଭାବେ ହେଉଥିବା ଏକ ପକ୍ଷୀ ଚାଲାଣ ‌ରାକେଟ୍‌କୁ ବାଦାମବାଡ଼ି ଥାନା ପୋଲିସ ଠାବ କରିଛି। ଏକ ବେସରକାରୀ ବସ୍‌ର ଲଗେଜ୍ କ୍ୟାବିନ୍‌ରୁ ପ୍ରାୟ ୫୨୦ଟି ଛୋଟବଡ଼ ପକ୍ଷୀ ଉଦ୍ଧାର କରାଯାଇଛି। ସେହିପରି ଧଳା ରଙ୍ଗର ୬୮ଟି ଠେକୁଆ ମଧ୍ୟ ଉଦ୍ଧାର ହୋଇଛି। ଏହି ଘଟଣାରେ ବସ୍ ଡ୍ରାଇଭର୍‌ଙ୍କ ସମ୍ପୃକ୍ତି ଥିବା ଆଶଙ୍କା କରି ବାଦାମବାଡ଼ି ଥାନା ପୋଲିସ ତାଙ୍କୁ ଅଟକ ରଖିଛି। ବସ୍‌ଟିକୁ ମଧ୍ୟ ପୋଲିସ ଜବତ କରିଛି। ତେବେ ଏହି ରାକେଟ୍‌ରେ ସମ୍ପୃକ୍ତ ବ୍ୟକ୍ତିମାନେ ବସ୍‌ରୁ ଫେରାର ହୋଇଯାଇଛନ୍ତି। ରାକେଟ୍ ନେଇ ପୋଲିସ ଅଧିକ ଖୋଳତାଡ଼ କରୁଛି।

ସୋମବାର ଅପରାହ୍ଣ ପ୍ରାୟ ୩ଟା ସମୟରେ ଏକ ବେସରକାରୀ ବସ୍‌ରେ କିଛି ଜଙ୍ଗଲୀ ପଶୁପକ୍ଷୀଙ୍କୁ ଚୋରା ଚାଲାଣ କରାଯାଉଥିବା ବାଦାମବାଡ଼ି ପୋଲିସକୁ ଖବର ମିଳିଥିଲା। ଏହି ସୂଚନା ଆଧାରରେ ଏକ ଟିମ୍ ବାଦାମବାଡ଼ି ଛକ ପାଖରେ ଛକି ରହିଲା। କୋଲକାତା ବସ୍ ଆସିବା ମାତ୍ରେ ପୋଲି ତାକୁ ଅଟକ ରଖିଲା। ପରେ ବସ୍‌ର ଲଗେଜ୍ କ୍ୟାବିନ୍ ଖୋଲାଯାଇ ଯାଞ୍ଚ୍ କରିବାରୁ ସେଥିରୁ ଏକାଧିକ ପକ୍ଷୀ ଜନ୍ତା ଓ କାର୍ଟୁନ୍ ମିଳିଥିଲା। ଏହି ସବୁ ଜନ୍ତା ଓ କାର୍ଟୁନ୍‌ରେ ବହୁ ପ୍ରଜାତିର ପକ୍ଷୀ ଓ ଠେକୁଆ ଥିବା ଦେଖିବାକୁ ମିଳିଥିଲା। ପରେ ସେହି ସବୁ ପକ୍ଷୀ ଓ ଠେକୁଆଙ୍କୁ ବସ୍ କ୍ୟାବିନ୍‌ରୁ କଢ଼ାଯାଇ ଥାନା ପାଖରେ ରଖାଯାଇଥିଲା।ବସ୍‌ରେ ଦୀର୍ଘ ବାଟ ଆସିଥିବାରୁ ବହୁ ପକ୍ଷୀ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ କାମ କରୁଥିବା ଏକ ଏନ୍‌ଜିଓ ବା ବେସରକାରୀ ସଂସ୍ଥାକୁ ତୁରନ୍ତ ଖବର ଦିଆଯାଇଥିଲା। ସେହି ସଂସ୍ଥାର ସଦସ୍ୟମାନେ ଆସିବା ପରେ ଉକ୍ତ ଜନ୍ତା ଓ କାର୍ଟୁନ୍ ଖୋଲାଯାଇ ସେଗୁଡ଼ିକ ଗଣତି କରାଯାଇଥିଲା। ଗଣତି ବେଳେ ସେଥିରୁ ୪୭୮ଟି ବଡ଼୍‌ଜି ପକ୍ଷୀ, ୧୪ଟି ଗୁନ୍‌ଟିଙ୍ଗ୍ ପକ୍ଷୀ, ୧୦ଟି ଲଭ୍ ପକ୍ଷୀ, ୧୧ଟି କୋକୋଟାଇଲ୍ ପକ୍ଷୀ ଓ ୭ଟି ଫିନ୍‌ଚ ପକ୍ଷୀ ଥିବା ଜଣାପଡ଼ିଥିଲା।

ସେହିପରି ଦୁଇଟି ଜନ୍ତାରେ ଧଳା ରଙ୍ଗର ଛୋଟ ବଡ଼ ୬୮ଟି ଠେକୁଆ ଥିବା ଗଣତିରୁ ଜଣପଡ଼ିଲା। ଏହା ପରେ ବାଦାମବାଡ଼ି ପୋଲିସ ପକ୍ଷରୁ ଆଇନଗତ କାଗଜପତ୍ର  ପ୍ରସ୍ତୁତ କରାଯାଇ ପକ୍ଷୀ ଓ ଠେକୁଆଗୁଡ଼ିକୁ ଉକ୍ତ ଏନ୍‌ଜିଓ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। ଉଦ୍ଧାର ହୋଇଥିବା ପକ୍ଷୀଗୁଡ଼ିକୁ ଚିକିତ୍ସା ପରେ ଖୋଲା ଆକାଶରେ ଛାଡ଼ିଦିଆଯିବ। ଏଥିସହିତ ବନବିଭାଗ ଗାଇଡ୍‌ଲାଇନ୍ ଅନୁସାରେ ଠେକୁଆଗୁଡ଼ିକୁ କେଉଁଠି ରଖାଯିବ ତାହା ସ୍ଥିର କରାଯିବ।

ଅନ୍ୟପଟେ ଏହି ପକ୍ଷୀ ଓ ଠେକୁଆ ଚାଲାଣ କରୁଥିବା ବେପାରୀମାନେ ସୁଯୋଗ ଦେଖି ବସ୍‌ରୁ ଖସିଯିବାରେ ସଫଳ ହୋଇଥିଲେ। ଏପରିକି ପୋଲିସକୁ ଦେଖି ବସ୍ କଣ୍ଡକ୍ଟର ଓ ହେଲ୍‌ପର ମଧ୍ୟ ଚମ୍ପଟ ମାରିଥିଲେ। ତେବେ ବସ୍‌ରେ ଥିବା ଡ୍ରାଇଭରକୁ ଏହି ପକ୍ଷୀ ଚାଲାଣ ଅଭିଯୋଗରେ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି। ପକ୍ଷୀ ଚାଲାଣ ହେଉଥିବା ମା’ଲକ୍ଷ୍ମୀ ବସ୍‌କୁ ମଧ୍ୟ ଅଟକ ରଖାଯାଇଛି। ଏହି ‌ରାକେଟ୍‌ର ଚେର ଖୋଜିବା ପାଇଁ ପୋଲିସ ଉକ୍ତ ବସ୍ ଚାଳକଙ୍କୁ ଜେରା କରୁଛି। ତେବେ ଦୀର୍ଘ ଦିନ ହେବ ଏହି ପକ୍ଷୀ ଚାଲାଣ କାମ ଚାଲିଥିବା ନେଇ ପୋଲିସ ଆଶଙ୍କା କରୁଥିବା ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।

Comment