ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଲି ଗ୍ରାମର ଜଣେ ୨୨ ବର୍ଷର ଦଳିତ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ଯୁବତୀଙ୍କ ମୃତ୍ୟୁକୁ ୭ ମାସ ୨୦ ଦିନ ବିତିଯାଇଥିଲେ ବି ରାଜନୈତିକ ଚାପରେ କାହାରିକୁ ଗିରଫ କରାଯାଉନଥିବା ଅଭିଯୋଗ କରି ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏହି ମାମଲା ରୁଜୁ କରିଛନ୍ତି। ସିବିଆଇ ଦ୍ଵାରା ମାମଲାର ନିରପେକ୍ଷ ତଦନ୍ତ ସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି।

ଶ୍ରୀ ପାଣିଗ୍ରାହୀ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଗତ ମେ ୧୦ ତାରିଖରେ ପୀଡ଼ିତା ଯୁବତୀ ସକାଳ ୧୦ଟା ସମୟରେ ସ୍ଥାନୀୟ କଣ୍ଟେଇଯୋଡ଼ି ନାଳକୁ ଗାଧୋଇବା ପାଇଁ ଯାଇଥିଲେ। ତାଙ୍କର ଘରକୁ ଫେରିବାରେ ବିଳମ୍ବ ହେବାରୁ ପୀଡ଼ିତାଙ୍କ ମା’ ଝିଅକୁ ଖୋଜିବାକୁ ନାଳ ପାଖକୁ ଯାଇଥିଲେ। କିନ୍ତୁ ଝିଅ ସେଠାରେ ମୃତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ।। ତାଙ୍କ ଶରୀରର ଅନେକ ସ୍ଥାନରେ କ୍ଷତବିକ୍ଷତ ହେବା ସହ କେହି ତାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡ଼ିଥିଲା।

ଏ ନେଇ ପ୍ରଥମେ କେ. ନୂଆଗାଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ମାମଲାକୁ ହତ୍ୟା ମାମଲା ଭାବେ ରୁଜୁ କରାଯାଇଥିଲା। ଏହି ଘଟଣାରେ କିଛି ବ୍ୟକ୍ତିଙ୍କ ପଲିଗ୍ରାଫ୍ ଟେଷ୍ଟ ମଧ୍ୟ କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ପୀଡ଼ିତାଙ୍କ ଶରୀରରେ କ୍ଷତବିକ୍ଷତ ଚିହ୍ନ ରହିଛି। ପେଟ ଭିତରୁ କାଦୁଅ ପାଣି ବାହାରିଛି। ଏହି ଘଟଣାରେ ଅଭିଯୁକ୍ତଙ୍କ ଗିରଫ ଦାବି କରି ଚିକିଟି ଏସ୍‌ଡିପିଓ, ଗଞ୍ଜାମ ଏସ୍‌ପି ଏବଂ ଡିଆଇଜିଙ୍କୁ ପୀଡ଼ିତାଙ୍କ ମା’ ଏବଂ ଆଉ କିଛି ସାମାଜିକ କର୍ମୀ ଭେଟିଥିଲେ।

କିନ୍ତୁ ବାରମ୍ବାର ଦାବି ସତ୍ତ୍ୱେ ଅଭିଯୁକ୍ତଙ୍କୁ ଗିରଫ କରାଯାଉନାହିଁ। ଯଦି ଏହି ଘଟଣାକୁ ଏମିତି ଚାପି ଦିଆଯାଏ ତାହେଲେ ପିପିଲି, ରାୟଗଡ଼ା, କୋରାପୁଟ ପରି ଆଉ ଏକ ଘଟଣାର ପୁନରାବୃତ୍ତି ହେବ ବୋଲି ଆବେଦନକାରୀ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହି ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ, ରାଜ୍ୟ ମୁଖ୍ୟ ଶାସନସଚିବ, ଗୃହ ବିଭାଗ ସଚିବ, ପୋଲିସ ଡିଜି, ବ୍ରହ୍ମପୁର ଏସ୍‌ପି, ଚିକିଟି ଏସ୍‌ଡିପିଓଙ୍କୁ ପକ୍ଷଭୁକ୍ତ କରାଯାଇଛି।

Comment