ଓଡ଼ିଶାଲାଇଭ୍ ବ୍ୟୁରୋ

ଡ୍ରଗ୍ସ ମାମଲାରେ ଗତ ନଭେମ୍ବର ୨୨ ତାରିଖରେ ବଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିଥିଲା। କିନ୍ତୁ ଏହାର ଦିନକ ପରେ ଅର୍ଥାତ୍ ୨୩ ତାରିଖରେ ଉଭୟଙ୍କୁ କୋର୍ଟରୁ ଜାମିନ ମିଳିଯାଇଥିଲା। ଏବେ ଏହି ମାମଲାରେ ଏନସିବିର ଦୁଇ ଜଣ ଅଫିସରଙ୍କୁ ନିଲମ୍ବନ କରାଯାଇଛି। ଭାରତୀ ଓ ହର୍ଷଙ୍କୁ ଜାମିନ ମିଳିବାରେ ଉକ୍ତ ଦୁଇ ଅଧିକାରୀ ସାହାଯ୍ୟ କରିଥିବା ଅଭିଯୋଗ ହେବା ପରେ ଏନସିବି ଏଭଳି କାର୍ଯାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି।

ଅନ୍ୟପଟେ ଭାରତୀ ଓ ହର୍ଷଙ୍କ ଜାମିନକୁ ଚାଲେଞ୍ଜ କରି ଏନସିବି ପକ୍ଷରୁ ଏନଡିପିଏସ୍ କୋର୍ଟରେ ପିଟିସନ ଦାଖଲ କରାଯାଇଛି। ଭାରତୀ ଓ ହର୍ଷଙ୍କ ବ୍ୟତୀତ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଜାମିନ୍ ପ୍ରଦାନ କରିବାରେ ମଧ୍ୟ ଏହି ଦୁଇ ଅଫିସରଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। ତେଣୁ ଉଭୟ ଅଫିସରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ଏହି ମାମଲାରେ ଏନସିବିର ଓକିଲଙ୍କ ଭୂମିକାକୁ ନେଇ ମଧ୍ୟ ସନ୍ଦେହ ଘନୀଭୂତ ହେଉଛି। କାରଣ ଯେଉଁଦିନ ଭାରତୀ, ହର୍ଷ ଓ କରିସ୍ମାଙ୍କ ଜାମିନ ଆବେଦନର ଶୁଣାଣି ହେବାର ଥିଲା ସେଦିନ ଏନସିବିର ସମ୍ପୃକ୍ତ ଓକିଲ କୋର୍ଟରେ ହାଜର ହୋଇନଥିଲେ। ଫଳରେ ଏନସିବି ନିଜର ପକ୍ଷ ରଖିପାରିନଥିଲା। ଯାହାଦ୍ୱାରା ଆବେଦନକାରୀଙ୍କୁ ଖୁବ୍ କମ୍ ସମୟ ମଧ୍ୟରେ ଓ ସହଜରେ ଜାମିନ ମିଳିଯାଇଥିଲା।ଗତ ନଭେମ୍ବର ୨୧ ତାରିଖରେ ଭାରତୀ ଓ ହର୍ଷଙ୍କ ବାସଭବନ ଓ କାର୍ଯ୍ଯାଳୟ ଉପରେ ଚଢ଼ାଉ କରି ଏନସିବି ୮୬.୫ ଗ୍ରାମର ଗଞ୍ଜେଇ ଜବତ କରିଥିଲା। ଏନେଇ ଦୀର୍ଘ ୧୫ ଘଣ୍ଟା ଧରି ଜେରା କରାଯିବା ପରେ ଉଭୟଙ୍କୁ ଗିରଫ କରାଯାଇଥିଲା। ତେବେ ଗିରଫ ହେବାର ଦିନକ ପରେ ସେମାନଙ୍କୁ ଜାମିନ ମିଳିଯାଇଥିଲା।

ସେହିପରି କିଛି ଦିନ ତଳେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ଘରୁ ୧.୭ ଗ୍ରାମର ହରୀଶ ନାମକ ନିଶାଦ୍ରବ୍ୟ ଜବତ ହୋଇଥିଲା। ସେତେବେଳେ କରିସ୍ମା ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ଏହାର ଶୁଣାଣି ବେଳେ ଏନସିବି ପକ୍ଷରୁ କୌଣସି ଅଧିକାରୀ କୋର୍ଟରେ ନ ଥିବାରୁ କରିସ୍ମାଙ୍କୁ ସହଜରେ ଜାମିନ ମିଳିଯାଇଥିଲା।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ ଓ ଡ୍ରଗ୍ସ ଲିଙ୍କ୍ ମାମଲା ସାମ୍ନାକୁ ଆସିଥିଲା। ଡ୍ରଗ୍ସ କାରବାର ସହ ସମ୍ପୃକ୍ତି ଅଭିଯୋଗରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ଗିରଫ କରିଥିଲା। ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ସମେତ କେତେକ ଡ୍ରଗ୍ସ ଡିଲର ମଧ୍ୟ ଗିରଫ ହୋଇଥିଲେ। ଏଥିସହ ଗତ ସେପ୍ଟେମ୍ବର ମାସରେ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁରଙ୍କୁ ଏନସିବି ଡ୍ରଗ୍ସ ଲିଙ୍କ୍ ନେଇ ଜେରା କରିଥିଲା।

Comment