ଓଡ଼ିଶାଲାଇଭ୍ ବ୍ୟୁରୋ

କଟକର ଚକୁଳି ମାଉସୀଙ୍କ ବାମ୍ଫ ଚକୁଳି ଖାଇବାକୁ ସକାଳୁ ସକାଳୁ ଛୁଟି ଆସୁଛନ୍ତି ଗ୍ରାହକ।

(କଟକରୁ ବିଶ୍ଵଜିତ ସାହୁ): କଟକ ସହରରେ ଚକୁଳି କଥା କହିଲେ ଆପେ ଆପେ ମନକୁ ଆସିଯାଏ ଅନ୍ନପୂର୍ଣ୍ଣା ମାଉସୀଙ୍କ ନାଁ। ମାଉସୀଙ୍କ ହାତ ତିଆରି ନରମ ନରମ ବାମ୍ଫ ଚକୁଳି ସାଙ୍ଗକୁ ଲଙ୍କା, ଧନିଆ, ରସୁଣ ଚଟଣି ଯିଏ ଥରେ ଖାଇଛି, ବାରମ୍ବାର ଖାଇବାକୁ ଧାଇଁ ଆସିଛି। ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ୬୦ ବର୍ଷଧରି କଟକ ସହରରେ ଅନ୍ନପୂର୍ଣ୍ଣା ମାଉସୀଙ୍କ ଏହି ବାମ୍ଫ ଚକୁଳିର ଚାହିଦା ରହିଛି।ମାଉସୀଙ୍କ ପୂରା ନାମ ହେଉଛି ଅନ୍ନପୂର୍ଣ୍ଣା ସାହୁ। ଚୌଧୁରୀ ବଜାର ନନ୍ଦିସାହିରେ ଛୋଟିଆ ଦୋକାନଟିଏ। ଦୋକାନ ତ ନୁହେଁ ସିଡ଼ି ତଳେ ଅଣ ଓସାରିଆ ହୋଇ ଛୋଟ ଘରଟେ। ୮୩ ବର୍ଷୀୟ ଅନ୍ନପୂର୍ଣ୍ଣା ମାଉସୀ ପ୍ରତିଦିନ ଭୋର ୫ଟାରୁ ଆରମ୍ଭ କରନ୍ତି ବାମ୍ଫ ଚକୁଳିର ପ୍ରସ୍ତୁତି। ମାତ୍ର ୧୦ ଟଙ୍କାରେ କାଠ ପତ୍ର ଉପରେ ମାଉସୀ ପରସି ଦିଅନ୍ତି ଗରମ ଚକୁଳି ସାଙ୍ଗକୁ ରାଗୁଆ ରସୁଣ ଚଟଣି। ଏହି ଚକୁଳି ଖାଇବାକୁ ମାଉସୀଙ୍କ ପାଖରେ ବେଶ୍ ଭିଡ଼ ଦେଖିବାକୁ ମିଳିଥାଏ। ଘର ପାଇଁ ସକାଳର ଜଳଖିଆ ହେଉ କି ସ୍କୁଲ ପିଲାଙ୍କ ଟିଫିନ୍‌ ସବୁଠି ଲୋଡ଼ା ହୋଇଥାଏ ମାଉସୀଙ୍କ ଏହି ବାମ୍ଫ ଚକୁଳି।ଟଙ୍କାଏରେ ମିଳୁଥିଲା ୪ଟି ଚକୁଳି

୬୦ ବର୍ଷ ତଳେ ପ୍ରଥମେ ଟଙ୍କାଏରେ ୪ଟି ଚକୁଳି ବିକ୍ରି କରୁଥିଲେ ମାଉସୀ। କ୍ରମେ ଏହା ବଢ଼ି ୨ ଟଙ୍କା ହୋଇଥିଲା। ୧୯୯୯ର ମହାବାତ୍ୟା ପରେ ଚକୁଳି ଗୋଟାକ ୩ ଟଙ୍କାରେ ବିକ୍ରି କଲେ ମାଉସୀ। ଏବେ ଏହାର ଦାମ୍ ଗୋଟାକ ରହିଛି ୧୦ ଟଙ୍କା। ଦାମ୍ ବଢ଼ିଥିଲେ ବି ମାଉସୀଙ୍କ ବାମ୍ଫ ଚକୁଳି ଖାଇବାକୁ ଗ୍ରାହକଙ୍କ ଭିଡ଼ ସେମିତି ରହିଥାଏ।

“ଛୋଟବେଳେ ବାପା ମତେ ମାଉସୀଙ୍କ ପାଖକୁ ଚକୁଳି ଖୋଇବାକୁ ନେଇକି ଆସନ୍ତି। ଆମ ଘରଲୋକ ସମସ୍ତଙ୍କ ପ୍ରିୟ ଥିଲା ମାଉସୀଙ୍କ ବାମ୍ଫ ଚକୁଳି। ବାପା କୁହନ୍ତି ତାଙ୍କୁ ବି ଜେଜେ ଏହି ଦୋକାନରୁ ଚକୁଳି ଖୁଆଉଥିଲେ। ଚକୁଳି ଦାମ୍‌ ୩ ଟଙ୍କା ଥିଲାବେଳଠୁ ମୁଁ ଏଠାରେ ଖାଇ ଆସୁଛି। ଏବେ ଏହା ୧୦ ଟଙ୍କା ହେଇଯାଇଛି। ଦାମ୍‌ ସିନା ବଦଳିଛି କିନ୍ତୁ ସ୍ଵାଦରେ କାଣିଚାଏ ବି ଫରକ ଆସିନି। ଏବେବି ମାଉସୀଙ୍କ ବାମ୍ଫ ଚକୁଳି ପାଟିକୁ ନେଲେ ତାହା ସାଙ୍ଗେ ସାଙ୍ଗେ ମିଳେଇ ଯାଏ”, କହିଛନ୍ତି ଜଣେ ଗ୍ରାହକ ସୁନାମ ଦୀକ୍ଷିତ।  ଦିଲ୍ଲୀ, ବମ୍ଵେକୁ ପଠାଯାଏ ମାଉସୀଙ୍କ ଚକୁଳି

ବାମ୍ଫ ଚକୁଳିର ପରିଚୟ କେବଳ କଟକ ପରିସୀମା ଭିତରେ ହିଁ ରହିନାହିଁ। ଓଡ଼ିଶା ଡେଇଁ ସୁଦୂର ଦିଲ୍ଲୀ, ବମ୍ଵେ ପର୍ଯ୍ୟନ୍ତ ଏହାର ଚାହିଦା ରହିଛି। ପ୍ରତିଦିନ ନଗଦ ଚକୁଳି ଖାଇବାକୁ ମାଉସୀଙ୍କ ପାଖରେ ଯେତିକି ଭିଡ଼ ହୁଏ, ତାଠାରୁ ଅଧିକ ଭିଡ଼ ହୋଇଥାଏ ପାର୍ସଲ ନେବା ପାଇଁ। ଦିନକ ଆଗରୁ ଚକୁଳି ପାଇଁ ଅର୍ଡର ଦେବାକୁ ପଡ଼େ। ଅର୍ଡର ଅନୁସାରେ ମାଉସୀ ରାତି ୩ଟାରୁ ଉଠି ଚକୁଳି ତିଆରିରେ ଲାଗି ପଡ଼ନ୍ତି। ସକାଳ ୬ଟା ଭିତରେ ଅର୍ଡର କାମ ସାରି ଗରାଖଙ୍କ ଅର୍ଡର ଅନୁସାରେ ପୁଡ଼ିଆ ବାନ୍ଧି ରଖିଥାନ୍ତି ମାଉସୀ। ଏହି ଚକୁଳି ପୁଡ଼ିଆ ସବୁ ଦିଲ୍ଲୀ, କୋଲକାତା ଓ ମୁମ୍ଵାଇ ଆଦି ସ୍ଥାନକୁ ପଠାଯାଇଥାଏ ବୋଲି କହନ୍ତି ମାଉସୀ।

ଅନେକ ନେତା ମନ୍ତ୍ରୀଙ୍କୁ ଚକୁଳି ପରସିଥିଲେ ଅନ୍ନପୂର୍ଣ୍ଣା ମାଉସୀ       

ଦୀର୍ଘ ୬୦ ବର୍ଷର ଚକୁଳି ବ୍ୟବସାୟ ଭିତରେ ଅନେକ ନେତା ମନ୍ତ୍ରୀଙ୍କୁ ଚକୁଳି ଖୁଆଇଛନ୍ତି ଅନ୍ନପୂର୍ଣ୍ଣା ମାଉସୀ। ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ରଙ୍କୁ ମଧ୍ୟ ମାଉସୀ ଚକୁଳି ପରସିଛନ୍ତି। ମାଉସୀଙ୍କ କହିବା ଅନୁସାରେ, ବିରେନ ମିତ୍ରଙ୍କର ଜଣେ ଦଳୀୟ ସହଯୋଗୀ ଚକରା ମାଉସୀଙ୍କଠାରୁ ଚକୁଳି ନେଇ ବାରେନ ମିତ୍ରଙ୍କୁ ଦେଉଥିଲେ। ଚକରାକୁ ଅନ୍ନପୂର୍ଣ୍ଣା ମାଉସୀ ଅଜା ବୋଲି ଡାକୁଥିଲେ। ତେଣୁ ସେହି ସମ୍ପର୍କ ହିସାବରେ ବିରେନ ମିତ୍ର ବି ମାଉସୀଙ୍କୁ ନିଜ ନାତୁଣି ବୋଲି ସମ୍ଵୋଧନ କରୁଥିଲେ।

“କଲେଜ ଛକରେ ବିରେନ ମିତ୍ରଙ୍କର ଅଫିସ ଥିଲା। ପ୍ରତିଦିନ ସନ୍ଧ୍ୟାରେ ସେଠାକୁ ଅନେକ ନେତା ଆସୁଥିଲେ ମିଟିଂ ପାଇଁ। ଜଳଖିଆ ବାବଦକୁ ବରା, ପିଆଜି ସାଙ୍ଗରେ ସେମାନଙ୍କୁ ପରସା ଯାଉଥିଲା ବାମ୍ଫ ଚକୁଳି। ଯେତେବେଳେ ସେମାନଙ୍କର ଚକୁଲି ଖାଇବାର ମନ ହୁଏ ବୀରେନ ମିତ୍ର ଚକରା ଅଜାଙ୍କ ହାତରେ ସକାଳୁ ଚକୁଳି ନେଇ ରଖିଦେଇଥାନ୍ତି”, କହିଛନ୍ତି ଅନ୍ନପୂର୍ଣ୍ଣା ମାଉସୀ।ସଭିଁଏ ଡାକନ୍ତି ଚକୁଳି ମାଉସୀ

କଟକରେ ଅନ୍ନପୂର୍ଣ୍ଣା ମାଉସୀଙ୍କ ଚକୁଳି ଦୋକାନର ଠିକଣା ପଚାରିଲେ ଅନେକ ଲୋକ ଠିକ୍‌ ସେ କହିପାରନ୍ତି ନାହିଁ। କିନ୍ତୁ ଯାହାକୁ ବି ପଚାରିବେ ଚକୁଳି ମାଉସୀଙ୍କ ଦୋକାନ କେଉଁଠି ସେ ସଙ୍ଗେ ସଙ୍ଗେ ସଠିକ୍ ଠିକଣା କହିଦେବେ। ନିଆରା ଚକୁଳି ପାଇଁ ଅନ୍ନପୂର୍ଣ୍ଣା ମାଉସୀଙ୍କର କଟକରେ ବେଶ୍ ପ୍ରସିଦ୍ଧି ରହିଛି। ତେଣୁ ସଭିଏଁ ମାଉସୀଙ୍କୁ ତାଙ୍କ ଅସଲି ନାଁରେ ନ ଡାକି ଶ୍ରଦ୍ଧାରେ ଚକୁଳି ମାଉସୀ ବୋଲି ଡାକିଥାନ୍ତି।

ବରା, ପିଆଜି ସାଙ୍ଗକୁ ପୁର-ଗୁଲୁଗୁଲା ବି ହେଉଥିଲା

ପୂର୍ବରୁ ଚକୁଳି ସହ ବରା, ପିଆଜି ଏବଂ ପୁର ଗୁଲୁଗୁଲା ତିଆରି କରୁଥିଲେ ମାଉସୀ। ସେତେବେଳେ ମାଉସୀଙ୍କ ସ୍ଵାମୀ ତାଙ୍କୁ ଦୋକାନ କାମରେ ସାହାଯ୍ୟ କରୁଥିଲେ। ୧୯୯୯ ମସିହାରେ ସ୍ଵାମୀଙ୍କର ବିୟୋଗ ପରେ ମାଉସୀ କେବଳ ଚକୁଳିକୁ ଛାଡ଼ି ବାକି ସବୁ ଜଳଖିଆ ତିଆରି ବନ୍ଦ କରିଦେଲେ। ତେବେ ମାଉସୀଙ୍କ ହାତ ତିଆରି ପୁର ଗୁଲୁଗୁଲାର ମଧ୍ୟ ବେଶ୍ ପ୍ରସିଦ୍ଧି ଥିଲା।

“ଏବେ ଯୋଉ ଗୁଲୁଗୁଲା ହେଉଛି, ତା ଭିତରେ ଖାଲି ତେଲ ଫସ ଫସ। ଏବେକା ଦୋକାନୀମାନେ ଗୁଲୁଗୁଲା ତିଆରିର ଠିକ୍‌ ପ୍ରଣାଳୀ ଜାଣିପାରିଲେ ନାହିଁ। ମୋ ଦୋକାନ ଗୁଲୁଗୁଲା ଖାଇବାକୁ ଲୋକେ ବେଶ୍ ପସନ୍ଦ କରୁଥିଲେ। ପାଟିରେ ପକାଇଲେ ତାହା ମୁସ୍‌ମୁସ୍‌ ଲାଗେ। ମୁଗ, ଗୁଡ଼କୁ ପାଗ କରି ପୁର ବନେଇ ମୁଁ ଗୁଲୁଗୁଲା ଭିତରେ ଦେଇ ଛାଣେ”, କହିଛନ୍ତି ଅନ୍ନପୂର୍ଣ୍ଣା ମାଉସୀ।

Comment