ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଦୁଇ ଷ୍ଟାରସନ୍ ହେଲେ ଉତ୍ତମ ମହାନ୍ତିଙ୍କ ପୁଅ ବାବୁସାନ୍‌ ଓ ମିହିର ଦାସଙ୍କ ପୁଅ ଅମ୍ଳାନ। ଏହି ବାପା-ପୁଅଙ୍କ ଯୋଡ଼ି କିଛି ଫିଲ୍ମରେ ଏକାଠି ନଜର ଆସିଥିଲେ ଯାହା, ବକ୍ସ ଅଫିସରେ ହିଟ୍‌ ହୋଇଥିଲା।

ଉତ୍ତମ- ବାବୁସାନ୍

ଓଲିଉଡର ଅଶି ଦଶକର ସୁପରଷ୍ଟାର ହେଲେ ଉତ୍ତମ ମହାନ୍ତି ଏବଂ ଏବେକାର ସୁପରଷ୍ଟାର ବାବୁସାନ୍‌ ହେଉଛନ୍ତି ତାଙ୍କ ପୁଅ। ଉତ୍ତମ ମହାନ୍ତି ଏଯାଏଁ ୧୩୫ରୁ ଅଧିକ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ ଅଭିନୟ କରି ସାରିଛନ୍ତି।

ଅନ୍ୟପକ୍ଷରେ ବାବୁସାନ୍‌ ଏଯାଏଁ ୨୦ ପାଖାପାଖି ଓଡ଼ିଆ ସିନେମାରେ ଅଭିନୟ କରି ସାରିଲେଣି। ହେଲେ ଏଥିମଧ୍ୟରୁ ମାତ୍ର ଅଳ୍ପ କେତୋଟି ସିନେମାରେ ବାବୁସାନ୍‌ ତାଙ୍କ ପିତା ଉତ୍ତମ ମହାନ୍ତିଙ୍କ ସହିତ ଏକାଠି କାମ କରିବାର ସୁଯୋଗ ପାଇଛନ୍ତି।

ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ତାଙ୍କ ପୁଅ ବାବୁସାନ୍‌ଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ‘ରୋମିଓ ଦ ଲଭର ବୟ’ରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ବାବୁସାନଙ୍କ ଅଭିନୀତ ଚରିତ୍ରଟି ଥିଲା ସଞ୍ଜୟ ଚୌଧୁରୀ। ଏଥିରେ ଉତ୍ତମ ମହାନ୍ତି ସଞ୍ଜୟଙ୍କର ବାପା ବିକାଶ ଚୌଧୁରୀ ଭୂମିକା ନିଭାଇଥିଲେ।

ଠିକ୍ ସେହିପରି ସାଇ ମା’ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ଓଡ଼ିଆ ଛବି ‘ଲଭ ମାଷ୍ଟର’ ଓ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ସୁନା ପିଲା ଟିକେ ସ୍କୃ ଢିଲା’ ଭଳି ଓଡ଼ିଆ ସିନେମାରେ ମଧ୍ୟ ଉତ୍ତମ ମହାନ୍ତି, ବାବୁସାନଙ୍କ ବାପା ଭୂମିକାରେ ଅଭିନୟ କରିଥିଲେ।

ଓସ୍କାର ମୁଭିଜ୍‌ ପ୍ରଯୋଜିତ ତଥା ଏସ୍. କେ ମୁରଲୀ ଧରନ ନିର୍ଦ୍ଦେଶିତ ‘ତୋ’ ଆଖିରେ ମୁଁ’ ସିନେମାରେ ବି ଉତ୍ତମ ମହାନ୍ତି ଓ ବାବୁସାନ୍‌ଙ୍କୁ ଏକାଠି ଦେଖିବାକୁ ପାଇଥିଲେ ସିନେପ୍ରେମୀ।

ମିହିର ଦାସ- ଅମ୍ଳାନ

ଓଲିଉଡର ଜଣେ ଭର୍ସାଟାଇଲ୍‌ ଆକ୍ଟର ହେଲେ ମିହିର ଦାସ। ତାଙ୍କ ପୁଅ ଅମ୍ଳାନ ହେଲେ ଓଡ଼ିଆ ସିନେ ଜଗତର ଜଣେ ଆଗଧାଡ଼ିର ନାୟକ। ମିହିର ବିଗତ ୩୮ ବର୍ଷର କ୍ୟାରିଅର ଭିତରେ ୧୫୦ରୁ ଅଧିକ ଓଡ଼ିଆ ସିନେମାରେ ଅଭିନୟ କରି ସାରିଲେଣି।

ଅପରପକ୍ଷରେ ଅମ୍ଳାନ ବିଗତ ପାଞ୍ଚ ବର୍ଷର କ୍ୟାରିଅର୍‌ରେ ଟାର୍ଗେଟ୍‌, ତୁ ମୋ’ ଦେହର ଛାଇ, ଗୋଲାପି ଗୋଲାପି, ପାଗଳ କରିଛି ତୁ, କଲେଜ ଟାଇମ୍, ତୁ କହିବୁ ନା ମୁଁ, ନୂଆ ନୂଆ ପ୍ରେମ, ତୋର ଦିନେକୁ ମୋର ଦିନେ, ଟାଇଗର, ଚିନି ବଜରଙ୍ଗୀ ଏବଂ ସପନର ପଥେ ପଥେ ଆଦି ଓଡ଼ିଆ ସିନେମାରେ ନାୟକ ଭାବେ ନଜର ଆସିଛନ୍ତି।

ପିତା-ପୁତ୍ର ଯୋଡ଼ି ମିହିର ଓ ଅମ୍ଳାନଙ୍କୁ ସର୍ବପ୍ରଥମେ ସୁନୀଲ ରାଉତଙ୍କ ପ୍ରଯୋଜିତ ତଥା ହିମାଂଶୁ ପରିଜା (ଚଣ୍ଡୀ)ଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ତୁ ମୋ’ ଦେହର ଛାଇ’ରେ ଏକାଠି ଦେଖିବାକୁ ମିଳିଥିଲା। ଏଥିରେ ଅମ୍ଳାନ ନାୟକ ଓ ମିହିର ଖଳନାୟକ ଭୂମିକାରେ ନଜର ଆସିଥିଲେ।

ଏହା ପରେ ପୁଣି ମିହିର ଦାସ ଓ ଅମ୍ଳାନ ଏସ୍‌ କେ ମୁରଲୀଧରନଙ୍କ ନିର୍ଦ୍ଦେଶିତ ‘ନୂଆ ନୂଆ ପ୍ରେମରେ’, ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ପାଗଳ କରିଛୁ ତୁ’ ଓ ପ୍ରଦୀପ ଭୋଳଙ୍କ ନିର୍ଦ୍ଦେଶିତ ‘ଚିନି’ରେ ବି ଦେଖିବାକୁ ମିଳିଥିଲା।

Comment