ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ସେଠାରେ ଲାଗୁ ହୋଇପାରେ ନାଗରିକତା ସଂଶୋଧନ ଆଇନ୍। 

“ଆସନ୍ତାବର୍ଷ ଜାନୁଆରି ମାସରେ ପଶ୍ଚିମବଙ୍ଗରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ୍ (ସିଏଏ)। କେନ୍ଦ୍ର ସରକାର ସେଠାକାର ଶରଣାର୍ଥୀମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବେ”, କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ପଶ୍ଚିମବଙ୍ଗ ପ୍ରଭାରୀ କୈଳାସ ବିଜୟବର୍ଗୀୟ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୬ ମାସରୁ କମ୍ ସମୟ ବାକି। ଏଭଳି ସମୟରେ ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନ୍ ଲାଗୁ ହେଲେ, ଏହାର ପ୍ରଭାବନ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିବ। ତେଣୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର  ତୁରନ୍ତ ଏହାକୁ ସେଠାରେ ଲାଗୁ କରି ନିର୍ବାଚନ ଜିତିବାକୁ ଚିନ୍ତା କରୁଥିବା ଜଣାପଡ଼ିଛି।

ଶନିବାର ଉତ୍ତର ଚବିଶି ପ୍ରଗଣା ଅଞ୍ଚଳରେ ପାର୍ଟିର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିଜୟବର୍ଗୀୟ କହିଛନ୍ତି ଯେ, ଜାନୁଆରି ମାସରେ ପଶ୍ଚିମବଙ୍ଗରେ ସିଏଏ ଲାଗୁ ହୋଇପାରେ। କେନ୍ଦ୍ର ସରକାର ଏଠାକାର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରିବେ। ଯାହାଦ୍ୱାରା ଅନେକ ଲୋକ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।ଅନ୍ୟପଟେ ଏହାକୁ ନେଇ ଟିଏମସି ନେତା ଫିରହାଦ ହାକିମ୍ କହିଛନ୍ତି ଯେ, ବିଜେପି ପଶ୍ଚିମବଙ୍ଗର ଲୋକଙ୍କୁ ବୋକା ବନେଇବାକୁ ଚାହୁଁଛି। ନିର୍ବାଚନ ଆଗକୁ ଥିବାରୁ ଏହା ବିଜେପିର ଏକ ସୁଚିନ୍ତିତ ଯୋଜନା। ପଶ୍ଚିମବଙ୍ଗର ଲୋକଙ୍କୁ ବିଜେପି ବୋକା ବନେଇବା ବନ୍ଦ କରୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନ୍ ବଳରେ କେନ୍ଦ୍ର ସରକାର ଭାରତକୁ ଆସିଥିବା ହିନ୍ଦୁ, ଶିଖ୍, ଖୀଷ୍ଟ୍ରିୟାନ, ଜୈନ ଓ ପାର୍ଶୀ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବେ। କେବଳ ୨୦୧୪ ମସିହା ଡିସେମ୍ବର ୩୧ ତାରିଖ ପୂର୍ବରୁ ଭାରତକୁ ଆସିଥିବା ଶରଣାର୍ଥୀଙ୍କୁ ହିଁ ଏଥିରେ ସାମିଲ୍ କରାଯିବ।

ପଶ୍ଚିମବଙ୍ଗରେ ଏହି ନିୟମ ଲାଗୁ ହେବା ଦ୍ୱାରା ଅନେକ ଲୋକ ଏହାଦ୍ୱାରା ପ୍ରଭାବିତ ହେବେ ବୋଲି କୁହାଯାଉଛି। ପଶ୍ଚିମବଙ୍ଗରେ ଅନେକ ବାଂଲାଦେଶ ଶରଣାର୍ଥୀ ରହିଛନ୍ତି। ତେଣୁ ସେଠାରେ ସିଏଏ ଲାଗୁ ହେଲେ, ଏହାର ପ୍ରଭାବ ସେମାନଙ୍କ ଉପରେ ପଡ଼ିବ।

Comment