ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୫ ବର୍ଷ ପରେ ଭାରତରେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ (ସିଏଏ)। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ଆଇନ ଅନୁଯାୟୀ ପଡ଼ୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ।

୨୦୧୯ ମସିହାରେ ଲୋକସଭା ଏବଂ ରାଜ୍ୟସଭାରେ ସିସିଏ ପାରିତ ହେବା ପରେ ଆଇନରେ ପରିଣତ ହୋଇଥିଲା। ତେବେ ଏହି ଆଇନକୁ ବିରୋଧ କରି ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଫଳରେ ଏହାକୁ ଲାଗୁ କରାଯାଇନଥିଲା।

ନୂଆ ଆଇନ ବଳରେ ୨୦୧୪ ମସିହା ଡିସେମ୍ବର ୩୧ ତାରିଖ ପୂର୍ବରୁ ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ଲୋକଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ। ମୁସଲମାନଙ୍କ ବ୍ୟତୀତ ହିନ୍ଦୁ, ଶିଖ, ଜୈନ,ବୌଦ୍ଧ, ପାର୍ସି ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ ନୂଆ ଆଇନ ଫଳରେ ଉପକୃତ ହେବେ।

ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ନିର୍ଯାତନା ସହିନପାରି ଭାରତରେ ଶରଣ ନେଇଥିବା ଲୋକଙ୍କୁ ଫାଷ୍ଟଟ୍ରାକ ନିୟମ ଆଧାରରେ ଭାରତର ନାଗରିକତା ପ୍ରଦାନ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏଣିକି ଦେଶର ନାଗରିକମାନଙ୍କ ପରି ସେମାନେ ମଧ୍ୟ ସମାନ ସୁବିଧା ସୁଯୋଗ ପାଇପାରିବେ।

Tags: #CitizenshipAmendmentAct #CAA #IndiaGovt #ImplementationOfCitizenshipAmendmentAct #India

Comment