ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାରରୁ ବଲିଉଡକୁ କେମିତି ପହଞ୍ଚିଲେ ପଙ୍କଜ ତ୍ରିପାଠୀ?

ବିହାରର ନିପଟ ମଫସଲ ଅଞ୍ଚଳର ଗୋଟିଏ ପିଲା, ଯିଏ ଭଲ ଭାବେ ହିନ୍ଦୀ ମଧ୍ୟ କହି ଶିଖିନଥିଲା; ଦିନେ ସେ ବଲିଉଡର ନାମୀଦାମୀ କଳାକାର ଭାବେ ଗଣାହେବ। ବୋଧହୁଏ ଏହି କଥାକୁ ଅନେକ ବିଶ୍ୱାସ କରିବେନି। କିନ୍ତୁ କଠିନ ପରିଶ୍ରମ, ଧୈର୍ଯ୍ୟ ଓ ନିଜର ପ୍ରତିଭା ବଳରେ ଏହାକୁ ସତ କରି ଦେଖାଇଛନ୍ତି ଅଭିନେତା ପଙ୍କଜ ତ୍ରିପାଠୀ।

ମିର୍ଜାପୁର ୱେବସିରିଜର ‘କାଲୀନ ଭୈୟା’ ଭାବେ ପରିଚିତ ପଙ୍କଜ ତ୍ରିପାଠୀ ଆଜି ବଲିଉଡର ଜଣେ ଆଗାଧାଡ଼ିର କଳାକାର। ହେଲେ ପଙ୍କଜଙ୍କ ବିହାରରୁ ବଲିଉଡ ଯାତ୍ରା କେମିତି ଥିଲା ତାହା ବହୁତ କମ ଲୋକ ଜାଣିଥିବେ।ବିହାରର ଗୋପାଳଗଞ୍ଜ ଜିଲ୍ଲାର ନିପଟ ମଫସଲ ଅଞ୍ଚଳ ବେଲଷଣ୍ଡ ଗାଁରେ ଜନ୍ମଗ୍ରହଣ କରିଥିଲେ ପଙ୍କଜ ତ୍ରିପାଠୀ। ଗାଁ ପାଣିପବନ, ନଦୀ ଝରଣା ସହ ପଙ୍କଜଙ୍କ ପିଲାଦିନ କଟିଥିଲା। ସେଠାକାର ସରକାରୀ ସ୍କୁଲରୁ ହିଁ ସେ ମାଟ୍ରିକ୍ ପାସ୍ କରିଥିଲେ। ଏହି ସମୟରେ ଗାଁ ନାଟକରେ ସେ ବିଭିନ୍ନ ନାରୀ ଚରିତ୍ରରେ ନଜର ଆସୁଥିଲେ, ଯେଉଁଠୁ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ ହୋଇଥିଲା।

ପଙ୍କଜ ବାପା ତାଙ୍କ ପୁଅକୁ ଡାକ୍ତର ବନେଇବାକୁ ଚାହୁଁଥିଲେ। ତେଣୁ ମାଟ୍ରିକ୍ ପାସ କରିବା ପରେ ପଙ୍କଜ ପାଟଣା ଚାଲିଆସିଥିଲେ। ହେଲେ ସେ ହିନ୍ଦୀ ଶିଖିନଥିବା ହେତୁ ପାଟଣାରେ ତାଙ୍କୁ ବହୁ ସମସ୍ୟା ଭୋଗିବାକୁ ପଡ଼ିଥିଲା। ଏହାସତ୍ତ୍ୱେ ସେ ନିଜର ପାଠପଢ଼ା ଜାରି ରଖିଥିଲେ। ଯୁକ୍ତ ଦୁଇ ପାସ୍ କରିବା ପରେ କିନ୍ତୁ ସେ ତାଙ୍କ ସାଙ୍ଗଙ୍କ କହିବାନୁଯାୟୀ ହୋଟେଲ୍ ମ୍ୟାନେଜମେଣ୍ଟ କରିଥିଲେ।ଜେଲ ଯାଇଥିଲେ ପଙ୍କଜ

ହୋଟେଲ୍ ମ୍ୟାନେଜମେଣ୍ଟ କରୁଥିବା ସମୟରେ ପଙ୍କଜ ତ୍ରିପାଠୀ ଛାତ୍ର ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସହ ମିଶି ସେ ଅନେକ ଥର ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ। ଯେଉଁ କାରଣରୁ ତାଙ୍କୁ ୭ ଦିନ ପାଇଁ ଜେଲ୍ ଯିବାକୁ ପଡ଼ିଥିଲା।

ଜେଲ୍ ଭିତରେ ରହିଥିବା ସମୟରେ ପଙ୍କଜ ତ୍ରିପାଠୀ ବିଭିନ୍ନ ଲେଖକଙ୍କ ଉପନ୍ୟାସ ପଢ଼ିବା ଆରମ୍ଭ କରିଥିଲେ। ସେବେଠାରୁ ବହି ପ୍ରତି ତାଙ୍କର ଏକ ଭଲ ପାଇବା ହୋଇଯାଇଥିଲା। ଜେଲରୁ ବାହାରିବା ପରେ ପଙ୍କଜ ଛାତ୍ର ରାଜନୀତିରୁ ଦୂରେଇ ଯାଇଥିଲେ। ଏହାପରେ ସେ ପାଟଣାର ହୋଟେଲରେ ସେଫ୍ ଭାବେ କାମ କରିବା ଆରମ୍ଭ କରିଦେଇଥିଲେ।ରାତିରେ ହୋଟେଲ କାମ, ଦିନରେ ରଙ୍ଗମଞ୍ଚ

ହୋଟେଲରେ କାମ କରିବା ସମୟରେ ଦିନେ ପଙ୍କଜଙ୍କ ନଜର ଏକ ରଙ୍ଗମଞ୍ଚ ଉପରେ ପଡ଼ିଥିଲା। ସେ ସମୟରେ ସେ ତାଙ୍କର ଭବିଷ୍ୟତକୁ ନେଇ ସନ୍ଦିହାନ ଥିଲେ। ଏହାପରେ ସେ ନାଟକରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ। ପରେ ସେ ପାଟଣାର କାଳିଦାସ ରଙ୍ଗମଞ୍ଚ ସହ ଯୋଡ଼ି ହୋଇଯାଇଥିଲେ।

ଏହାରି ଭିତରେ ସେ ଦିଲ୍ଲୀର ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାରେ ମଧ୍ୟ ଭର୍ତ୍ତି ହେବାପାଇଁ ପରୀକ୍ଷା ଦେଉଥିଲେ। କିନ୍ତୁ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ସେ ଏଥିରେ ବିଫଳ ହୋଇଥିଲେ। ଏହି ଦୁଇ ବର୍ଷ ଭିତରେ ସେ ଲଗାତାର ରଙ୍ଗମଞ୍ଚ ସହ ଯୋଡ଼ି ହେବା ସହ ରାତିରେ ହୋଟେଲରେ କାମ କୁରଥିଲେ। ଶେଷରେ ତୃତୀୟ ଥର ପ୍ରୟାସ କରିବା ପରେ ସେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।ଅଭିନୟ ଜଗତରେ ସଂଘର୍ଷ

ଦିଲ୍ଲୀର ନ୍ୟାସନାଲ ସ୍କୁଲ୍ ଡ୍ରାମାରୁ ସେ ୨୦୦୪ ମସିହାରେ ପାସ୍ ହୋଇଥିଲେ। ଏହାପରେ ଅଭିନୟ ପାଇଁ ମୁମ୍ବାଇ ଯିବାକୁ ତାଙ୍କ ପାଖରେ ଟଙ୍କା ନଥିଲା। ତେଣୁ ବାଧ୍ୟ ହୋଇ ସେ ପାଟଣା ଫେରିଆସିଥିଲେ। ସେଠାରେ ତାଙ୍କର ବିବାହ ତାଙ୍କ ଦୀର୍ଘ ଦିନର ବାନ୍ଧବୀ ମାରିଦୁଲାଙ୍କ ସହ ହୋଇଥିଲା। ସେହିବର୍ଷ ସେ ତାଙ୍କ ସ୍ତ୍ରୀଙ୍କୁ ଧରି ମୁମ୍ବାଇ ଚାଲିଆସିଥିଲେ।

ମୁମ୍ବାଇ ଆସିବା ପରେ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ତାଙ୍କୁ କେହି ବି ନିର୍ଦ୍ଦେଶକ, ପ୍ରଯୋଜକ ନିଜ ଫିଲ୍ମରେ ନେବାକୁ ଚାହିଁନଥିଲେ। ଦୀର୍ଘ ବର୍ଷ ଧରି ସେ ନିର୍ଦ୍ଦେଶକମାନଙ୍କ ଦୁଆର ଦୁଆର ବୁଲିଥିଲେ। ଏହାପରେ ତାଙ୍କୁ ରନ୍ ଏବଂ ଓଁକାରା ଭଳି ଫିଲ୍ମରେ ବହୁତ ଛୋଟ ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା।ଗ୍ୟାଙ୍ଗ ଅଫ୍ ୱାସେପୁରରୁ ମିର୍ଜାପୁର ସବୁଠି ମିଳିଲା ସଫଳତା

ଛୋଟ ଛୋଟ ଚରିତ୍ରରେ ଅଭିନୟ ଜାରି ରଖିଥିବା ପଙ୍କଜ ତ୍ରିପାଠୀଙ୍କୁ ୨୦୧୨ ମସିହାରେ ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ଗ୍ୟାଙ୍ଗ୍ ଅଫ୍ ୱାସେପୁର’ରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ସୁଲତାନ ଚରିତ୍ରରେ ତାଙ୍କର ଜବରଦସ୍ତ ଅଭିନୟକୁ ଦର୍ଶକମାନେ ଢେରସାରା ପସନ୍ଦ କରିଥିଲେ। ଏହାପରେ ପରେ ତାଙ୍କୁ ବାହୁବଳୀ ଟିଭି ସିରିଜ୍, ଗୁଡଗାଓଁ, ବର୍ଫି, ତାସକେଣ୍ଟ ଫାଇଲ୍, ଅଂଗ୍ରେଜୀ ମିଡିୟମ, ସୁପର ୩୦ ଫିଲ୍ମ ମିଳିବା ଆରମ୍ଭ ହୋଇଯାଇଥିଲା।

ଆମାଜନ୍ ପ୍ରାଇମରେ ରିଲିଜ୍ ହୋଇଥିବା ହିନ୍ଦୀ ୱେବସିରିଜ ମିର୍ଜାପୁରରେ ପଙ୍କଜ ତ୍ରିପାଠୀଙ୍କ ରୋଲକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହୋଇଥିଲା। ଏଥିରେ ‘କାଲୀନ ଭୈୟା’ ଚରିତ୍ରକୁ ସେ ବେଶ ନିଖୁଣତାର ସହ ଅଭିନୟ କରିଥିଲେ। ଆଜି ତାଙ୍କ ହାତରେ ଆହୁରି ଅନେକ ଗୁଡିଏ ପ୍ରୋଜେକ୍ଟ ରହିଛି।

Comment