ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ସେଲିବ୍ରିଟିମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ଏହି କ୍ରମରେ ବଲିଉଡର ଅନେକ କଳାକାର କରୋନାରେ ସଂକ୍ରମିତ ହୋଇସାରିଲେଣି। ଏବେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ଅଭିନେତା ବରୁଣ ଧଓ୍ୱନ। ବର୍ତ୍ତମାନ ସେ ଆଇସୋଲେସନରେ ଅଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ ବରୁଣ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ବରୁଣ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି, “ଯୁଗ ଯୁଗ ଜିୟୋ ସୁଟିଂ ସମୟରେ ମୁଁ କରୋନାରେ ସଂକ୍ରମିତ ହୋଇଛି। ସୁଟିଂ ସେଟରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କିନ୍ତୁ ଜୀବନରେ କିଛି ବି ନିଶ୍ଚିତ ନୁହେଁ, ଖାସ କରି କୋଭିଡ୍ ସମୟରେ। ତେଣୁ ଆପଣମାନେ ସମ୍ପୂର୍ଣ୍ଣ ଭାବେ ସତର୍କତା ଅବଲମ୍ବନ କରନ୍ତୁ।”

ବରୁଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜନ୍ ଆବ୍ରାହମ୍, ବିପାଶା ବସୁ, ଏକତା କପୁର, ଦିୟା ମିର୍ଜା, ଶ୍ରୁତି ହାସନ, ସୋଫି ଚୌଧୁରୀ, ବିବେକ ଓବରୟଙ୍କ ପରି ବହୁ କଳାକାର ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ନିକଟରେ ବରୁଣ ଧଓ୍ୱନ ଓ ନୀତୁ କପୁର କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ଉଭୟ ଯୁଗ ଯୁଗ ଜିୟୋ ଫିଲ୍ମର ସୁଟିଂ ସମୟରେ କରୋନା ଭୂତାଣୁ ସଂସ୍ପର୍ଶରେ ଆସିଥିବା କୁହାଯାଇଥିଲା। ତେବେ ଏହି ଫିଲ୍ମରେ ଅଭିନୟ କରୁଥିବା ଅନିଲ କପୁର ଓ କିୟାରା ଆଡଭାନୀଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡ଼ିଛି।

Comment