ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପି ନେତା ସୁଶୀଲ ମୋଦୀଙ୍କୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ମିଳିବା ନେଇ ଚର୍ଚ୍ଚା ଜୋରଦାର।

ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ ମୋଦୀ। ତାଙ୍କ ବିରୋଧରେ ଅନ୍ୟ କେହି ପ୍ରାର୍ଥୀ ନହେବାରୁ ସୋମବାର ତାଙ୍କୁ ରାଜ୍ୟସଭା ନିର୍ବାଚନରେ ବିଜୟୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଅନ୍ୟପଟେ ସେ ଉଚ୍ଚ ସଦନକୁ ନିର୍ବାଚିତ ହେବାପରେ ତାଙ୍କୁ ମୋଦୀ କ୍ୟାବିନେଟରେ ମନ୍ତ୍ରୀପଦ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ବିୟୋଗ ପରେ ରାଜ୍ୟସଭାରେ ଗୋଟିଏ ଆସନ ଖାଲି ପଡ଼ିଥିଲା। ଏହାକୁ ପୂରଣ କରିବାକୁ ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଥିଲେ। ଏହାପରେ ସୁଶୀଲ ମୋଦୀ ଏହି ଆସନରୁ ଏନଡିଏ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। କିନ୍ତୁ ତାଙ୍କ ବିରୋଧରେ ଅନ୍ୟ କେହି ପ୍ରାର୍ଥୀ ନହେବାରୁ ସୋମବାର ସେ ନର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଏହାପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ବିହାରର ତମାମ ନେତାଗଣ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଏଥର ବିହାର ବିଧାନସଭା ନିର୍ବାଚନରେ ଏଥର ପୁଣି ଏନଡିଏ ମେଣ୍ଟ ବହୁମତ ହାସଲ କରିଥିଲା। ଯାହାପରେ ନୀତିଶ କୁମାର ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ, ନୀତିଶଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ହୋଇନଥିଲେ ସୁଶୀଲ ମୋଦୀ। ତାଙ୍କ ବଦଳରେ ଦଳ ତାରକିଶୋର ପ୍ରସାଦ ଓ ରେଣୁ ଦେବୀଙ୍କୁ ଉପ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲା। ଏହାପରେ ସୁଶୀଲଙ୍କ ରାଜନୈତିକ କ୍ୟାରିୟର କ’ଣ ହେବ ସେନେଇ ଅନେକ ଆଲୋଚନା ଚାଲିଥିଲା।

ରାଜନୈତିକ ପଣ୍ଡିତମାନେ କହିଥିଲେ ଯେ, ଦଳ ତାଙ୍କୁ ରାଜ୍ୟସଭାକୁ ନେଇ କେନ୍ଦ୍ରରେ ମନ୍ତ୍ରୀପଦ ଦେଇପାରେ। ରାମବିଳାସ ପାଶୱାନଙ୍କ ବିୟୋଗ ପରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାକୁ ସୁଶୀଲ ମୋଦୀ ପୂରଣ କରିବେ ବୋଲି କୁହାଯାଇଥିଲା। ଯାହା ଏବେ ସତ ହୋଇଛି।ବିହାର ରାଜନୀତିରେ ସୁଶୀଲ ମୋଦୀ ଏକ ପରିଚିତ ନାଁ। ୧୯୯୬ ମସିହାରୁ ୨୦୦୪ ପର୍ଯ୍ୟନ୍ତ ସେ ବିହାର ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ। ଏହାପରେ ସେ ୨୦୦୪ ରେ ଭାଗଲପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୫ରେ ଯେତେବେଳେ ଏନଡିଏ ମେଣ୍ଟ ବିହାରରେ ଶାସନ କ୍ଷମତାକୁ ଆସିଥିଲା, ସେତେବେଳେ ସୁଶୀଲ ମୋଦୀ ଉପ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରଠାରୁ ସେ ୨୦୨୦ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଏନଡିଏ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିଆସିଥିଲେ।

ଚଳିତ ନିର୍ବାଚନରେ ଏନଡିଏ ବହୁମତ ପାଇଥିଲେ ବି ସୁଶୀଲଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିନଥିଲା। ଏହା ବଦଳରେ ଦଳ ତାଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ୍ ପଦ ଦେବାକୁ ଚିନ୍ତା କରୁଥିବା ଚର୍ଚ୍ଚା ହୋଇଥିଲା। ତେଣୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସୁଶୀଲ ମୋଦୀଙ୍କୁ ମୋଦୀ କ୍ୟାବିନେଟରେ ମନ୍ତ୍ରୀପଦ ମିଳିବ ବୋଲି ଚର୍ଚ୍ଚା ହେଉଛି।

Comment