ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ଅଷ୍ଟ୍ରେଲିଆ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ବାଜି ମାରିଛି କଙ୍ଗାରୁ ଦଳ। ଟିମ୍ ଇଣ୍ଡିଆକୁ ୧୨ ରନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ଏହାସତ୍ତ୍ୱେ ପ୍ରଥମ ଦୁଇଟି ଟି-୨୦ ମ୍ୟାଚରେ ଜବରଦସ୍ତ ବିଜୟ ହାସଲ କରିଥିବାରୁ ଭାରତୀୟ କ୍ରିକେଟ୍ ଦଳ ୨-୧ରେ ସିରିଜ୍ ହାତେଇଛି।
ମଙ୍ଗଳବାର ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ବିରାଟ କୋହଲି ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାପରେ ଅଷ୍ଟ୍ରେଲିଆ ଅଧିନାୟକ ଫିଞ୍ଚଙ୍କ ସହ ଇଂନିସ ଓପନ କରିଥିଲେ ମାଥ୍ୟୁ ୱାଦେ। ଭାରତ ପାଇଁ ଦ୍ୱିତୀୟ ଓଭର ନେଇଆସିଥିବା ୱାସିଂଟନ ସୁନ୍ଦର କିନ୍ତୁ ଚତୁର୍ଥ ବଲରେ ହିଁ ଫିଞ୍ଚଙ୍କୁ ଶିକାର କରିଥିଲେ।
ଏହାପରେ ମାକ୍ସୱେଲ ଓ ଷ୍ଟିଭ୍ ସ୍ମିଥଙ୍କ ଉପଯୋଗୀ ଇଂନିସ ଏବଂ ମାଥ୍ୟୁ ୱାଦେଙ୍କ ଅର୍ଦ୍ଧଶତକ ବଦଳରେ ଅଷ୍ଟ୍ରେଲିଆ ୨୦ ଓଭରରେ ୧୮୬ ରନ୍ କରିପାରିଥିଲା। ଭାରତ ପକ୍ଷରୁ ୱାସିଂଟନ ସୁନ୍ଦର ୫ ୱିକେଟ୍ ଅକ୍ତିଆର କରିଥିଲେ।
ଦ୍ୱିତୀୟ ଇଂନିସରେ ଟିମ୍ ଇଣ୍ଡିଆ ମଧ୍ୟ ପ୍ରାରମ୍ଭିକ ଝଟକା ଖାଇଥିଲା। ଓପନର କେଏଲ୍ ରାହୁଲ ପ୍ରଥମ ଓଭରର ଦ୍ୱିତୀୟ ବଲରେ ହିଁ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ କୋହଲି ଓ ଧାୱନ ମିଶି ଦମଦାର ୭୪ ରନର ପାର୍ଟନରସିପ କରିଥିଲେ। ଶେଷ ଆଡକୁ କିନ୍ତୁ କୌଣସି ବ୍ୟାଟ୍ସମ୍ୟାନ୍ ସଫଳ ନେହେବାରୁ ଟିମ୍ ଇଣ୍ଡିଆ ୨୦ ଓଭରରେ ୧୭୪ ରନ୍ କରିପାରିଥିଲା। ଫଳରେ ଅଷ୍ଟ୍ରେଲିଆ ତୃତୀୟ ଟି-୨୦କୁ ୧୨ ରନରେ ଜିତିନେଇଛି।
ତୃତୀୟ ମ୍ୟାଚରେ ପରାଜୟ ଭୋଗିଥିଲେ ବି ଟି-୨୦ ସିରିଜକୁ ଟିମ୍ ଇଣ୍ଡିଆ ୨-୧ରେ ଜିତିନେଇଛି।


















