ଓଡ଼ିଶାଲାଇଭ୍‌ ବ୍ୟୁରୋ

ପେସାରେ ଜଣେ ଡାକ୍ତର, କିନ୍ତୁ ନିଶା ତାଙ୍କର ଚାଷ। ସେଥିପାଇଁ ତ ଡାକ୍ତରଖାନାରୁ ଡ୍ୟୁଟି ସାରି ଆସିବା ପରେ ସେ ଚାଷ କାମରେ ଲାଗି ପଡ଼ନ୍ତି। ନିଜ ଛାତ ଉପରେ ଜୈବିକ ପଦ୍ଧତିରେ ଚାଷ କରି ବିଭିନ୍ନ ପ୍ରକାର ପରିବା ଉତ୍ପାଦନ କରୁଛନ୍ତି। ଏଭଳି କରି ସମସ୍ତଙ୍କ ପାଇଁ ଉଦାହରଣ ସାଜି ପାରିଛନ୍ତି ବାଲେଶ୍ୱର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ଜଣାଶୁଣା ଡାକ୍ତର ରାଜେଶ କୁମାର ଆଦାକ।

ରାଜେଶ ତାଙ୍କ ଛାତ ଉପରେ ବାଇଗଣ, ଟମାଟର, କଞ୍ଚା ଲଙ୍କା, କୋବି ଏଭଳି ବିଭିନ୍ନ ପନିପରିବା ଫଳାଇ ପାରିଛନ୍ତି। ତାଙ୍କୁ ଏହି କାମରେ ତାଙ୍କ ସ୍ତ୍ରୀ ଓ ଝିଅ ସବୁ ପ୍ରକାର ସାହାଯ୍ୟ ଯୋଗାଇଛନ୍ତି।

‘‘ଡ୍ୟୁଟି ସରିବା ସମୟରେ ଯେତେବେଳେ ଖାଲି ସମୟ ମିଳେ ସେତେବେଳେ ମୁଁ କ’ଣ କରିବି ବୋଲି ଚିନ୍ତା କରେ। ତେଣୁ ଖାଲି ସମୟକୁ କିଭଳି ବ୍ୟବହାର କରି ହେବ ସେଥିପାଇଁ ଛାତ ଉପରେ ଚାଷ କରିବାକୁ ଭାବିଲି। ଧୀରେ ଧୀରେ ଛାତ ଉପରେ ଗଛ ଲଗାଇବା ଆରମ୍ଭ କଲି’’, କହିଛନ୍ତି ରାଜେଶ।

ମାର୍କେଟରେ ମିଳୁଥିବା ପରିବାରେ ଅଧିକ ରାସାୟନିକ ପଦାର୍ଥ ପଡ଼ିଥାଏ। ଏହା ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରିଥାଏ। କିନ୍ତୁ ଜୈବିକ ପଦ୍ଧତିରେ ପରିବା ଚାଷରେ ନିମ୍ବ, କମ୍ପୋଷ୍ଟ ବ୍ୟବହାର ହୋଇଥାଏ। ତେଣୁ ଏହି ପରିବା ଖାଇଲେ କୌଣସି ପ୍ରକାର ରୋଗର ଚିନ୍ତା ନଥାଏ ବୋଲି କହିଛନ୍ତି ରାଜେଶ।

ଡାକ୍ତରଙ୍କ ରାଜେଶଙ୍କ କହିବା କଥା, ମାର୍କେଟ କେମିକାଲ ଯୁକ୍ତ ପନିପରିବା ଖାଇବା ଅପେକ୍ଷା ନିଜେ ଚାଷ କରିବା ଭଲ। ଛାତ ଉପରେ ଚାଷ କରିବା ବେଶୀ କଷ୍ଟ ମଧ୍ୟ ନୁହେଁ। କାରଣ ଅତି ସହଜରେ କୁଣ୍ଡରେ ଓ ପ୍ଲାଷ୍ଟିକ ବୋତଲରେ ଗଛ ଲଗାଇ ହେବ। ବେଶୀ ଟଙ୍କା ବି ଖର୍ଚ୍ଚ ହୁଏନି। ଭଲ ଭାବେ ଏହାର ଯତ୍ନ ନେଲେ ଏଥିରୁ ଭଲ ଉପାର୍ଜନ ବି ମିଳିବ।

Comment