ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଏସ୍‌ସିବି ସମେତ ଦେଶର ୧୪ଟି ମେଡିକାଲ କଜେଲର ୱେବସାଇଟ୍ ହ୍ୟାକ୍ ହୋଇଛି। ଦିଲ୍ଲୀର ଏମ୍ସ, କର୍ଣ୍ଣାଟକ ମେଡିକାଲ କଲେଜ ସମେତ ଦେଶର ୧୪ଟି ପ୍ରତିଷ୍ଠିତ ମେଡିକାଲ କଲେଜର ୱେବ୍‌ସାଇଟ୍‌କୁ ହ୍ୟାକ୍ କରାଯାଇଥିବା ଜଣାପଡ଼ିଛି। ଯାହାକୁ ନେଇ ପରିସ୍ଥିତି ଜଟିଳ ହୋଇଛି। ତେଣୁ ୱେବସାଇଟ୍ ପ୍ରତି ସତର୍କ ଓ ସଜାଗ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରତିଷ୍ଠିତ ମେଡିକାଲ କଲେଜଗୁଡ଼ିକୁ ଚିଠି ଲେଖାଯାଇଛି।

ସୂଚନାଯୋଗ୍ୟ, ମାତ୍ର ୫ ଦିନ ତଳେ ‌ଉଦଘାଟିତ ହୋଇଥିଲା ଏସ୍‌ସିବିର ଡାଇନାମିକ୍ ୱେବସାଇଟ୍। ୱେବ୍‌ସାଇଟ୍‌କୁ ଉଦ‌ଘାଟନ କରି ଏହା ମାଧ୍ୟମରେ ଏସ୍‌ସିବି ବିଶ୍ୱ ଦରବାରରେ ନିଜର ଉପସ୍ଥିତି ଜାହିର କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ମାତ୍ର ଉଦ‌ଘାଟନ ପରେ ପରେ ଏହାକୁ ହ୍ୟାକ୍ କରାଯାଇଛି। କେବଳ ଏସ୍‌ସିବି ନୁହେଁ, ଦିଲ୍ଲୀର ଏମ୍ସ, କର୍ଣ୍ଣାଟକ ମେଡିକାଲ କଲେଜ ସମେତ ଦେଶର ୧୪ଟି ପ୍ରତିଷ୍ଠିତ ମେଡିକାଲ କଲେଜର ୱେବସାଇଟ୍‌କୁ ହ୍ୟାକ୍ କରାଯାଇଥିବା ଜଣାପଡ଼ିଛି। ବିଦେଶୀ ହ୍ୟାକର୍‌ମାନଙ୍କ ଟାର୍ଗେଟ୍‌ରେ ଏବେ ଦେଶର ଖ୍ୟାତନାମା ମେଡିକାଲ କଲେଜର ତଥ୍ୟ ଏବଂ ଦେଶର ସ୍ୱାସ୍ଥ୍ୟସେବା ସମ୍ପର୍କିତ ସୂଚନା ରହିଛି। ତେଣୁ ୱେବସାଇଟ ପ୍ରତି ସତର୍କ ଓ ସଜାଗ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରତିଷ୍ଠିତ ମେଡିକାଲ କଲେଜଗୁଡ଼ିକୁ ଚିଠି କରାଯାଇଛି।

ଗତକାଲି ସନ୍ଧ୍ୟାରେ ଏସ୍‌ସିବିରେ ଏ ସମ୍ପର୍କିତ ଚିଠି ପହଞ୍ଚିବା ପରେ ଏହାକୁ ନେଇ ତନାଘନା ଆରମ୍ଭ ହୋଇଛି। ବିଶେଷକରି ୱେବସାଇଟ୍‌ଗୁଡ଼ିକରେ ମେଡିକାଲ କଲେଜର ସମସ୍ତ ତଥ୍ୟ ଉପଲବ୍ଧ ଥାଏ। ମେଡିକାଲ କଲେଜର ସମସ୍ତ ବିଭାଗ ସମେତ ବିଭାଗୀୟ ଡାକ୍ତରମାନଙ୍କ କାର୍ଯ୍ୟ ଥାଏ। ଏବେ କରୋନା ଟିକାକରଣ କରାଯିବ। ତେଣୁ ଏହି ତଥ୍ୟ ଅନେକ ଗୁରୁତ୍ୱ ବହନ କରୁଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ୱେବସାଇଟ୍ ହ୍ୟାକ୍ ହେବା ଚିନ୍ତାର କାରଣ ହୋଇଛି।

ଏ ସମ୍ପର୍କରେ ଏସ୍‌ସିବି ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା କହିଛନ୍ତି ଯେ, ଆମ ପାଖକୁ ଏ ସମ୍ପର୍କିତ ଏକ ଚିଠି ଆସିଛି। ସନ୍ଧ୍ୟା ହୋଇଯାଇଥିବାରୁ ତା’ ଉପରେ ବିଶେଷ କିଛି ତର୍ଜମା କରି ପଦକ୍ଷେପ ନିଆଯାଇପାରିନାହିଁ। ତେବେ ଆଜି ୱେବସାଇଟର ସ୍ଥିତି ଓ କ’ଣ ସବୁ ହ୍ୟାକ୍ ହୋଇଛି ତାହା ଉପରେ ତଦନ୍ତ କରାଯିବ।

Comment