ଓଡ଼ିଶାଲାଇଭ୍ ବ୍ୟୁରୋ

ଜେଲରେ ଥାଇ ମଧ୍ୟ ଚୋରା ବନ୍ଧୁକ କାରବାର ଚଳାଇଥିବା ଧଳସାମନ୍ତ ଭାଇଙ୍କୁ ରିମାଣ୍ଡରେ ନେଇପାରେ କମିସନରେଟ୍ ପୋଲିସ। ବନ୍ଧୁକ ଚୋରା ଚାଲାଣ ନେଇ ପୋଲିସ ତାଙ୍କୁ ଅଧିକ ପଚରାଉଚୁରା କରିବ ବୋଲି ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ।

ଏଥିସହିତ ପୋଲିସ କମିସନର କହିଛନ୍ତି ଯେ, ଧଳ ସାମନ୍ତଙ୍କ ଘରୁ ପୋଲିସ ୧୬ଟି ବନ୍ଧୁକ ଓ ୧୦୯୫ଟି ଗୁଳି ଜବତ କରିଛି। ତା’ ସହିତ କିଛି ମୋବାଇଲ ଫୋନ ମଧ୍ୟ ପୋଲିସ ହାତରେ ଧରାପଡ଼ିଛି। ଘରର ଇଣ୍ଟେରିୟର ଡିଜାଇନ୍ ଭିତରେ ଗୋଟିଏ ସିଲ୍ ବାକ୍ସରୁ ପୋଲିସ ଏହି ଗୁଳି ଓ ବନ୍ଧୁକ ଜବତ କରିଛି ବୋଲି କମିସନର କହିଛନ୍ତି।ଅନ୍ୟପଟେ ଧଳ ସାମନ୍ତଙ୍କ ପାଖକୁ ଏହିସବୁ ଚୋରା ବନ୍ଧୁକ ବିହାରର ମୁଙ୍ଗେର ଅଞ୍ଚଳରୁ ଆସୁଥିଲା। ପୋଲିସ ଏନେଇ ଅଧିକ ଛାନଭିନ୍ ଜାରି ରଖିଛି। ତେବେ ଜେଲରେ ଥାଇ ମଧ୍ୟ ଦୁଇ ଭାଇ କିପରି ଏହି କାରବାର ଚଳାଇଛନ୍ତି ସେନେଇ ପୋଲିସ ତଦନ୍ତ ଜାରି ରଖିବ ବୋଲି କୁହାଯାଇଛି।

ଗୁରୁବାର କମିସନରେଟ୍ ପୋଲିସର ଏକ ସ୍ପେଶାଲ୍ ଟିମ୍ କଟକ ସ୍ଥିତ ଧଳସାମନ୍ତଙ୍କ ଘର ଉପରେ ଚଢ଼ାଉ କରିଥିଲା। ଏହି ସମୟରେ ସେଠାରୁ ପୋଲିସ ଅନେକ ଚୋରା ବନ୍ଧୁକ ଜବତ କରିବା ସହିତ ଗୁଳି ମଧ୍ୟ ଜବତ କରିଥିଲା। ଏହି ଘଟଣାରେ ପୋଲିସ ବର୍ତ୍ତମାନ ୮ ଜଣଙ୍କୁ ଗିରଫ କରିଥିବା ମଧ୍ୟ ଖବର ମିଳିଛି।

୨୦୧୬ ମସିହା ଜାନୁଆରି ମାସରେ ଡି’ ସାମ୍ରାଜ୍ୟ ଉପରେ ଚଢ଼ଉବେଳେ ପୋଲିସ ସେଠାରୁ ବିପୁଳ ମାତ୍ରାରେ ବନ୍ଧୁକ, ଗୁଳି, ଲକ୍ଷ ଲକ୍ଷ ଟଙ୍କା ଓ କାର୍ବାଇନ୍ ବନ୍ଧୁକ ମଧ୍ୟ ଜବତ ହୋଇଥିଲା। ୨୦୧୮ରେ କଟକ ସିଜେଏମ କୋର୍ଟ ଡି ବ୍ରଦର୍ସଙ୍କୁ  ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ୩ ବର୍ଷ ଜେଲ ଏବଂ ଓ ପୋଲିସଙ୍କ ଉପରକୁ ଗୁଳି ଚଳାଇବା ମାମଲାରେ ୨ ବର୍ଷ ଜେଲ୍‌ ଦଣ୍ଡ ଘୋଷଣା କରିଥିଲେ। ଏହାପରେ ପୋଲିସ ପୁଣିଥରେ ତାଙ୍କ ଘରୁ ଏହି ଚୋରା ବନ୍ଧୁକ ଜବତ କରିଛି।

Comment