ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାଲାଇଭ୍ ଫ୍ଲାସବ୍ୟାକ୍ ୨୦୨୦।

ଅଗଷ୍ଟ ୧୫ ତାରିଖ ୨୦୨୦ ସାରା ଦେଶ କରୋନା କଟକଣା ଭିତରେ ଗଣତନ୍ତ୍ର ଦିବସ ପାଳନ କରୁଥିଲା। ଦିଲ୍ଲୀର ଲାଲକିଲ୍ଲାଠାରୁ ଆରମ୍ଭ କରି ପୁରପଲ୍ଲୀ ପର୍ଯ୍ୟନ୍ତ ସବୁଠି ତ୍ରିରଙ୍ଗା ପତାକା ଫର୍ ଫର୍ ହୋଇ ଆକାଶରେ ଉଡୁଥିଲା। ହଠାତ୍ ସନ୍ଧ୍ୟାରେ କ୍ରିକେଟ୍ ପ୍ରେମୀଙ୍କୁ ଦୁଃଖ ଦେଇ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ କ୍ୟାପଟେନ୍ କୁଲ ମାହି।

ଟିମ୍ ଇଣ୍ଡିଆକୁ ତିନି ତିନୋଟି ଆଇସିସି ଟ୍ରଫି ଜିତାଇଥିବା ଏହି ଅଧିନାୟକ ସବୁଦିନ ପାଇଁ ଅନ୍ତର୍ଜାତୀୟ କ୍ରିକେଟକୁ ଗୁଡବାଏ କହିଥିଲେ। ଯାହା କ୍ରିକେଟ୍ ପ୍ରେମୀଙ୍କୁ ହତବାକ୍ କରିବା ସହ ଅନ୍ତର୍ଜାତୀୟ କ୍ରିକେଟରେ ‘ମାହି ଯୁଗ’ର ଅନ୍ତ ଲେଖିଥିଲା। ଅନ୍ତର୍ଜାତୀୟ ଦିନିକିଆ ଓ ଟି-ଟ୍ୱେଣ୍ଟିରୁ ଅବସର

ଟେଷ୍ଟ କ୍ରିକେଟରୁ ଧୋନୀ ୨୦୧୪ ମସିହାରୁ ହିଁ ଅବସର ନେଇସାରିଥିଲେ। ଏହାପରେ କିନ୍ତୁ ସେ ପୂର୍ବଭଳି ଦିନିକିଆ ଓ ଟି-୨୦ ଖେଳ ଜାରି ରଖିଥିଲେ। ଟେଷ୍ଟରୁ ଅବସର ନେବା ପରେ ମଧ୍ୟ ସେ ୨୦୧୫ ଓ ୨୦୧୯ରେ ଦିନିକିଆ ବିଶ୍ୱକପ୍ ଖେଳିଥିଲେ। ହେଲେ ଦୁଇଟି ଯାକ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ଟ୍ରଫି ଜିତିପାରିନଥିଲା।

ଶେଷଥର ପାଇଁ ଧୋନୀଙ୍କୁ ୨୦୧୯ ବିଶ୍ୱକପର ସେମିଫାଇନାଲ ମ୍ୟାଚରେ ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ଧୋନୀଙ୍କ ରନ ଆଉଟ୍ ହିଁ ନ୍ୟୁଜିଲାଣ୍ଡ ଦଳକୁ ବିଜୟ ଭେଟିଦେଇଥିଲା ବୋଲି କୁହାଯାଏ। ଧୋନୀ ଆଉଟ୍ ହେବା ପରେ ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍ ଜିତି ଫାଇନାଲ୍ ଟିକେଟ୍ ହାସଲ କରିଥିଲା। ଅବଶ୍ୟ ଫାଇନାଲରେ କିନ୍ତୁ ନ୍ୟୁଜିଲାଣ୍ଡ ଇଂଲଣ୍ଡ ଦଳଠାରୁ ହାରିଯାଇଥିଲା ଏବଂ ଇଂଲଣ୍ଡ ପ୍ରଥମ ଥର ପାଇଁ ବିଶ୍ୱକପ୍ ତୋଳିଧରିଥିଲା। ଏହାପରେ ଆଉ ଧୋନୀଙ୍କୁ କୌଣସି ଅନ୍ତର୍ଜାତୀୟ ମ୍ୟାଚରେ ଦେଖିବାକୁ ମିଳିନଥିଲା। ଏହାକୁ ନେଇ ଅନେକ ବାଦ ବିବାଦ ମଧ୍ୟ ଦେଖାଯାଇଥିଲା। ଶେଷରେ ଅଗଷ୍ଟ ୧୫ ତାରିଖ ସନ୍ଧ୍ୟାରେ ଧୋନୀ ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ।ଟିମ୍ ଇଣ୍ଡିଆର ସଫଳ ଅଧିନାୟକ ମାହି

ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନୀଙ୍କୁ ଜଣେ ସଫଳ ଅଧିନାୟକ ଭାବେ ଗଣାଯାଏ। ତାଙ୍କ ନେତୃତ୍ୱରେ ଦଳ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ୍ (୨୦୦୭ ) ଜିତିଥିଲା। ଏହାପରେ ପରେ ସେ ଦଳର ନେତୃତ୍ୱ ନେଇ ୨୦୧୦,୨୦୧୬ରେ ଏସିଆ କପ୍ ମଧ୍ୟ ବିଜୟୀ କରିଥିଲେ। ଅଧିନାୟକ ଭାବେ ଧୋନୀଙ୍କ ସବୁଠୁ ବଡ଼ ଉପଲବ୍ଧି ଥିଲା ଦିନିକିଆ ବିଶ୍ୱକପ୍ ବିଜୟ।୨୦୧୧ ମସିହାରେ ଭାରତ ମାଟିରେ ଖେଳାଯାଇଥିଲା ଦିନିକିଆ ବିଶ୍ୱକପ୍ ଫାଇନାଲ୍। ଏହି ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିଥିଲା ଟିମ୍ ଇଣ୍ଡିଆ। ଗମ୍ଭୀରଙ୍କ ଚତ୍ମକାର ଇଂନିସ ପରେ ଧୋନୀଙ୍କୁ ଧୂଆଁଧାର ବ୍ୟାଟିଂ ୨୮ ବର୍ଷ ପରେ ଭାରତୀୟ ଦଳକୁ ବିଶ୍ୱକପ୍ ଭେଟି ଦେଇଥିଲା। ଏହାପରେ ଧୋନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ବିଜୟୀ ହୋଇଥିଲା।
ବିହାରରୁ ବିଶ୍ୱକପ୍

୧୯୮୧ ମସିହାର ଜୁଲାଇ ୭ ତାରିଖରେ ବିହାରର ରାଞ୍ଚିରେ (ଏବେ ଝାଡ଼ଖଣ୍ଡ) ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଧୋନୀ। ସ୍କୁଲ ସମୟରେ ସେ ଫୁଟବଲ ଆଉ ବ୍ୟାଡମିଣ୍ଟନ ଖେଳିବାକୁ ଭଲ ପାଉଥିଲେ। ହେଲେ ଫୁଟବଲ ଖେଳର ଗୋଲ କିପିଂରୁ ସେ କ୍ରିକେଟ ଖେଳର କିପିଂ ଗ୍ଲୋବସ ପିନ୍ଧିଥିଲେ। ଯେଉଁଠାରୁ ତାଙ୍କର କ୍ରିକେଟ୍ ଜୀବନ ଆରମ୍ଭ ହୋଇଥିଲା।

୨୦୦୪ ମସିହା ଡିସେମ୍ବର ୨୩ ତାରିଖ, ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆରେ ଖେଳିବାକୁ ସୁଯୋଗ ପାଇଥିଲେ ମାହି। ହେଲେ ସେହି ମ୍ୟାଚରେ ହିଁ ସେ ଜିରୋରେ ହିଁ ରନଆଉଟ ହୋଇଯାଇଥିଲେ। ଜିରୋରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ମାହି ସମୟ ଗଡ଼ିବା ସହ ଟିମ୍ ଇଣ୍ଡିଆର ହିରୋ ହୋଇଯାଇଥିଲେ।୨୦୦୭ ମସିହାରେ ଧୋନୀଙ୍କ ନେତୃତ୍ୱରେ ଭାରତ ଟି-୨୦ ୱାର୍ଲ୍ଡକପ୍ ଖେଳିବାକୁ ସାଉଥ ଆଫ୍ରିକା ଯାଇଥିଲା। ଯେଉଁଥିରେ ଫାଇନାଲ ମ୍ୟାଚରେ ପାକିସ୍ତାନକୁ ହରାଇ ବିଶ୍ୱବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ। ପ୍ରଥମ ଥର ପାଇଁ ବିଶ୍ୱକପ୍ ଟ୍ରଫିକୁ ତୋଳି ଧରିଥିଲେ ଧୋନୀ।

୨୦୦୮ ମସିହାରେ ଧୋନୀ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ହୋଇଥିଲେ। ଟେଷ୍ଟରେ ମଧ୍ୟ ଧୋନୀଙ୍କ ଜଲୱା ଦେଖିବାକୁ ମିଳିଥିଲା। ତାଙ୍କରି କ୍ୟାପଟେନସିପରେ ଭାରତ ପ୍ରଥମ ଥର ପାଇଁ ଆଇସିସି ଟେଷ୍ଟ ରାଙ୍କିଙ୍ଗର ଟପରେ ପହଞ୍ଚିପାରିଥିଲା। ଏଥିସହ ଧୋନୀଙ୍କ ନେତୃତ୍ୱରେ ଭାରତ ୨୦୧୦ ଏସିଆ କପ୍ ଚାମ୍ପିୟନ ମଧ୍ୟ ହୋଇଥିଲା।

ଏହାପରେ ଆସିଥିଲା ୨୦୧୧ ବିଶ୍ୱକପର ସମୟ, ବୀରେନ୍ଦ୍ର ସେହ୍ୱାଗ, ସଚ୍ଚିନ ତେନ୍ଦୁଲକର୍, ଯୁବରାଜ ସିଂହ, ଗୌତମ ଗମ୍ଭୀରଙ୍କ ଭଳି ତାରକା ବ୍ୟାଟ୍ସମ୍ୟାନଙ୍କ ସହ ଘରୋଇ ମାଟିରେ ବିଶ୍ୱକପ୍ ଖେଳିଥିଲା ଭାରତ। ଯାହାର ନେତୃତ୍ୱ  ନେଉଥିଲେ କ୍ୟାପଟେନ୍ କୁଲ୍ ମାହି। ଆଉ ସେହି ବିଶ୍ୱକପରେ ଧୋନୀ ଯାହା କରିଦେଖାଇଲେ ତାକୁ ପ୍ରତ୍ୟେକଟି ଭାରତବାସୀ ଅନେଇ ବସିଥିଲେ। ୨୮ ବର୍ଷ ପରେ ଭାରତ ବିଶ୍ୱକପ୍ ଚାମ୍ପିୟନ ହୋଇଥିଲା। କପିଳ ଦେବଙ୍କ ପରେ ଭାରତ ଦ୍ୱିତୀୟ ଥର ପାଇଁ ବିଶ୍ୱବିଜୟୀ ହୋଇଥିଲା। ବିଶ୍ୱକପ୍ ବିଜୟ ପରେ ମଧ୍ୟ ଧୋନୀଙ୍କ ରେକର୍ଡ ଭରା କ୍ୟାରିୟର ଶେଷ ହୋଇନଥିଲା। ଏହାପରେ ସେ ଟିମ୍ ଇଣ୍ଡିଆକୁ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଜିତାଇଥିଲେ।

୨୦୧୭ ଜାନୁଆରୀ ମାସରେ ଧୋନୀ ଦିନିକିଆ ଓ ଟି୨୦ ଦଳର ଅଧିନାୟକ ପଦରୁ ମଧ୍ୟ ଓହରି ଯାଇଥିଲେ। ଏହାପରେ ସେ କୋହଲିଙ୍କ ନେତୃତ୍ୱରେ ଖେଳିଆସୁଥିଲେ। ତାଙ୍କ ଅବସର ପରେ କୋହଲି ଜଣେ ସାଥୀଙ୍କୁ ମଧ୍ୟ ହରେଇଛନ୍ତି ବୋଲି କହିଥିଲେ।କିଏ ପୂରଣ କରିବ ମାହିଙ୍କ ସ୍ଥାନ?

ଅନ୍ତର୍ଜାତୀୟ କ୍ରିକେଟରୁ ମାହିଙ୍କ ଅବସର ପରେ ଟିମ୍ ଇଣ୍ଡିଆରେ ତାଙ୍କ ସ୍ଥାନ କିଏ ନେବେ ତାକୁ ନେଇ ଚର୍ଚ୍ଚା। ବିସିସିଆଇ ଚୟନ କମିଟି ଏଥିପାଇଁ ଅନେକ ଖେଳାଳିଙ୍କୁ ସୁଯୋଗ ଦେଇଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ଏଥିରେ କେହି ବି ସଫଳ ହୋଇନାହାନ୍ତି। ରିଷଭ ପନ୍ଥ ୱିକେଟ୍ କିପର ବ୍ୟାଟ୍ସମ୍ୟାନ ଭାବେ ଧୋନୀଙ୍କ ଜାଗା ନେବେ ବୋଲି କୁହାଯାଉଛି କିନ୍ତୁ ତାଙ୍କର ଅସ୍ଥିର ପ୍ରଦର୍ଶନ ବିସିସିଆଇ ସିଲେକ୍ଟରମାନଙ୍କୁ ଚିନ୍ତାରେ ପକାଇଛି।

ସେହିପରି କର୍ଣ୍ଣାଟକୀ ବ୍ୟାଟ୍ସମ୍ୟାନ କେଏଲ୍ ରାହୁଲ ମଧ୍ୟ ୱିକେଟ୍ କିପିଂ ସହ ବ୍ୟାଟିଂ କରିବାର ଦକ୍ଷତା ରଖୁଛନ୍ତି। ଏହାସତ୍ତ୍ୱେ ମଧ୍ୟ ଲଗାତାର ଅସ୍ଥିର ପ୍ରଦର୍ଶନ ତାଙ୍କୁ ଟିମ୍ ଇଣ୍ଡିଆଠାରୁ ଦୂରରେ ରଖୁଛି। ଏହାସହ ରିଦ୍ଧିମାନ ଶାହ, ଶ୍ରେୟାସ ଆୟାରଙ୍କ ଭଳି ଖେଳାଳି ଧୋନୀଙ୍କ ସ୍ଥାନ ପୂରଣ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏଯାବତ ସଫଳ ହୋଇନାହାନ୍ତି।ଆଇପିଏଲ୍ ଖେଳିବା ଜାରି ରଖିବେ ମାହି

ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କହିଥିଲେ ବି ଧୋନୀ ଆଇପିଏଲ୍ ଖେଳିବା ଜାରି ରଖିଛନ୍ତି। ଆସନ୍ତାବର୍ଷ ମଧ୍ୟ ସେ ଚେନ୍ନାଇ ସୁପରକିଙ୍ଗ୍ସ ଦଳର ନେତୃତ୍ୱ ନେବେ ବୋଲି ସୂଚନା ମିଳିଛି। ଚଳିତ ସିଜିନରେ ଚେନ୍ନାଇ ସୁପରକିଙ୍ଗସର ପ୍ରଦର୍ଶନ ସେତେଟା ଭଲ ହୋଇନଥିଲେ ମଧ୍ୟ ଟିମ୍ ମ୍ୟାନେଜମେଣ୍ଟର ଭରସା ଧୋନୀଙ୍କ ପ୍ରତି ଅତୁଟ ରହିଛି। ଧୋନୀପୂର୍ବରୁ ଦଳକୁ ଅନେକ ସଫଳତା ଦେଇଥିବାରୁ ଦଳ ତାଙ୍କର ନେତୃତ୍ୱରେ ୨୦୨୧ ଆଇପିଏଲ୍ ଖେଳିବ ବୋଲି ସିଏସକେ ତରଫରୁ କୁହାଯାଇଛି।

Comment