ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ପୋଲିସ ଓ ଆମ ଆଦମୀ ପାର୍ଟି ଭିତରେ ଆଜି ପୁଣିଥରେ ଦେଖିବାକୁ ମିଳିଛି ମୁହାଁମୁହିଁ ସ୍ଥିତି। ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନ ଆଗରେ ଧାରଣା ଦେବାକୁ ଯାଉଥିବା କିଛି ଆପ୍ ବିଧାୟକଙ୍କୁ ଦିଲ୍ଲୀ ପୋଲିସ ରାସ୍ତାରୁ ହିଁ ଉଠାଇନେଇଛି।

ଆମ ଆଦମୀ ପାର୍ଟିର କହିବା ମୁତାବକ, ଦିଲ୍ଲୀ ନଗର ନିଗମରେ କୋଟି କୋଟି ଟଙ୍କା ହେରଫେର ଘଟଣାକୁ ବିରୋଧ କରି ରବିବାର ଆପର କିଛି ବିଧାୟକ ଗୃହମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦେବାକୁ ବାହାରିଥିଲେ। ଦିଲ୍ଲୀ ପୋଲିସ କିନ୍ତୁ ସେମାନଙ୍କୁ ରାସ୍ତା ମଝିରେ ଅଟକାଇ ଥାନାକୁ ନେଇଯାଇଛି। ଏପରିକି ବିଧାୟକ ଋତୁରାଜ, ରାଘବ ଚଡ୍ଡା, କୁଲଦୀପ କୁମାର ଓ ସଞ୍ଜୀବଙ୍କୁ ପୋଲିସ ଗିରଫ କରିଥିବା ମଧ୍ୟ ଆପ ପକ୍ଷରୁ ଅଭିଯୋଗ ହୋଇଛି।

ଅନ୍ୟପଟେ ଦିଲ୍ଲୀ ପୋଲିସ ପକ୍ଷରୁ ଏହି କଥାକୁ ଖଣ୍ଡନ କରାଯାଇଛି। ବିଧାୟକମାନଙ୍କୁ ଗିରଫ କରାଯାଇନାହିଁ। ବରଂ ସେମାନଙ୍କୁ ଥାନାକୁ ଆଣି ପଚରାଉଚୁରା ପରେ ଛାଡ଼ି ଦିଆଯାଇଛି ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ନଗର ନିଗମରେ ୨୪୫୭ କୋଟି ଟଙ୍କା ହେରଫେର୍ ଘଟଣାକୁ ନେଇ ଆପ୍ ନେତାମାନେ ଗୃହମନ୍ତ୍ରୀଙ୍କ ବାସଭବନ ଘେରିବାକୁ ଅନୁମତି ମାଗିଥିଲେ। ଦିଲ୍ଲୀ ପୋଲିସ କିନ୍ତୁ ସେମାନଙ୍କୁ ଏହି ଅନୁମତି ଦେଇନଥିଲ। ରବିବାର ବିଧାୟକମାନେ ପୋଲିସର ନିୟମ ନମାନି ଗୃହମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଯାଉଥିଲେ। ତେଣୁ ପୋଲିସ ସେମାନଙ୍କୁ ଅଧାବାଟରୁ ଅଟକାଇବା ସହିତ ଥାନାକୁ ନେଇ ଛାଡ଼ିଦେଇଛି।

Comment