ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆତ୍ମଜୀବନୀ ‘ଦ ପ୍ରେସିଡେନସିଆଲ୍ ଇୟର୍ସ’କୁ ନେଇ ଏବେ ଜୋର ଧରିଛି ଜାତୀୟ ରାଜନୀତି। ମୁଖ୍ୟତଃ କଂଗ୍ରେସ ଦଳରେ ଏହି ପୁସ୍ତକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିଭଳି ଭାବେ କଂଗ୍ରେସରେ ଅନ୍ତକନ୍ଦଳ ବସାବାନ୍ଧି ରହିଛି; ଯାହା ଦଳକୁ ପରାଜୟ ଭୋଗିବାକୁ ବାଧ୍ୟ କରୁଛି ତାହା ଏବେ ଏହି ପୁସ୍ତକର ଶିରୋନାମା ପାଲଟିଛି।

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଚଳିତ ବର୍ଷ ଅଗଷ୍ଟ ମାସରେ ଦେହାନ୍ତ ହୋଇଥିଲା। ଏହାପୂର୍ବରୁ କିନ୍ତୁ ସେ ତାଙ୍କର ଆତ୍ମଜୀବନୀ ‘ଦ ପ୍ରେସିଡେନସିଆଲ୍ ଇୟର୍ସ’କୁ ଲେଖିସାରିଥିଲେ। ଏହି ପୁସ୍ତକକୁ ବର୍ତ୍ତମାନ ରୂପା ପବ୍ଲିକେଶନ ଜାନୁଆରି ମାସରେ ପ୍ରକାଶ କରିବ ବୋଲି ଘୋଷଣା କରିଛି। ତେବେ ଏହି ଆତ୍ମଜୀବନୀରେ ଥିବା କଂଗ୍ରେସର କଳି ବିଷୟ ଏବେ ଏହାକୁ ଚର୍ଚ୍ଚାକୁ ଟାଣିଆଣିଛି।କଂଗ୍ରେସ ପରାଜୟ ପାଇଁ ସୋନିଆ, ମନମୋହନ ଦାୟୀ

୨୦୧୪ ନିର୍ବାଚନରେ କଂଗ୍ରେସ ଦଳର ବିଜେପିଠାରୁ ଶୋଚନୀୟ ଭାବେ ପରାଜୟ ଭୋଗିଥିଲା। ଏଥିପାଇଁ ସେତେବେଳର ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ହିଁ ଦାୟୀ ବୋଲି ନିଜ ଆତ୍ମଜୀବନୀରେ ଉଲ୍ଲେଖ କରିଛନ୍ତି ପ୍ରଣବ ମୁଖାର୍ଜୀ।

ଏଥିସହ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ହେବା ପରେ ମନମୋହନ ସବୁବେଳେ ମେଣ୍ଟକୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ। ୨୦୧୨ରେ ଯେତେବେଳେ ସେ ରାଷ୍ଟ୍ରପତି ହୋଇଥିଲେ ସେତେବେଳେ ସେ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱକୁ ଚାଲିଆସିଥିଲେ। ଏହି ସମୟରେ ହିଁ କଂଗ୍ରେସ ସଙ୍ଗଠନ ଦୁର୍ବଳ ହୋଇପଡ଼ିଥିଲା। ଯେଉଁ କାରଣରୁ ଦଳ ୨୦୧୪ ନିର୍ବାଚନରେ ଶୋଚନୀୟ ପରାଜୟ ଭୋଗିଥିଲା ବୋଲି ପ୍ରଣବ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି।

ପ୍ରଧାନମନ୍ତ୍ରୀ ହୋଇଥିଲେ ଠିକ୍ ହୋଇଥାନ୍ତା

ଏଥିସହ ପ୍ରଣବଙ୍କ ପୁସ୍ତକରେ ଥିବା ଆଉ ଏକ କଥା ମଧ୍ୟ ବେଶ ଚର୍ଚ୍ଚାରେ। ପ୍ରଣବ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ, ଯଦି ୨୦୦୪  ମସିହାରେ ସେ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ ୨୦୧୪ରେ ଦଳ ଏଭଳି ପରାଜୟ ଭୋଗିନଥାନ୍ତା। କିନ୍ତୁ ସେପରି ହେଲାନାହିଁ ଏବଂ ଯେଉଁ କାରଣରୁ ଦଳ ପରେ ଶୋଚନୀୟ ପରାଜୟ ଭୋଗିଲା ବୋଲି ପ୍ରଣବ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି।ମନମୋହନ ଏବଂ ମୋଦୀଙ୍କ ତୁଳନା

ପ୍ରଣବ ତାଙ୍କ ରାଷ୍ଟ୍ରପତି କାଳରେ ଦୁଇ ପ୍ରଧାନମନ୍ତ୍ରୀଙ୍କ ସହ କାମ କରିଛନ୍ତି। ଏହି ସମୟର ଅନୁଭୂତିକୁ ନେଇ ସେ ମନମୋହନ ସିଂହ ଏବଂ ମୋଦୀଙ୍କ ଭିତରେ ତୁଳନା କରିଛନ୍ତି।  ସେ କହିଛନ୍ତି ଯେ, ମନମୋହନ ତାଙ୍କ କାର୍ଯ୍ୟକାଳ ଭିତରେ ଅଧିକ ସମୟ ମେଣ୍ଟ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଯେଉଁ କାରଣରୁ ପ୍ରଶାସନ ଉପରେ ଖରାପ ପ୍ରଭାବ ପଡ଼ିଥିଲା।

ଅନ୍ୟପଟେ ମୋଦୀ କିନ୍ତୁ ନିଜ ଶାସନ କାଳ ମଧ୍ୟରେ ଅତ୍ୟନ୍ତ ଦାମ୍ଭିକତାର ସହ ନିଷ୍ପତ୍ତି ନେଉଥିଲେ। ଏହାର ପ୍ରଭାବ ପ୍ରଶାସନ ଉପରେ ମଧ୍ୟ ପଡ଼ିଥିଲା ବୋଲି ପ୍ରଣବ ନିଜ ଆତ୍ମଜୀବନୀରେ ଉଲ୍ଲେଖ କରିଛନ୍ତି।

Comment