ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏ ବର୍ଷ ଧନୁଯାତ୍ରା ବନ୍ଦ ହେବା ନୂଆ କଥା ନୁହେଁ। ପୂର୍ବରୁ ୧୯୬୫ ମସିହାରେ ଯୁଦ୍ଧ ଯୋଗୁଁ ଏହି ଉତ୍ସବକୁ ବନ୍ଦ କରାଯାଇଥିଲା।

ଲୋକସଂସ୍କୃତିର ଗନ୍ତାଘର ହେଉଛି ବରଗଡ଼। ବରଗଡ଼ର ବିଶେଷ ପରିଚୟ ହେଉଛି ବିଶ୍ୱପ୍ରସିଦ୍ଧ ‘ଧନୁଯାତ୍ରା’। କିନ୍ତୁ ଏଥର କରେନା ମହାମାରୀ ଯୋଗୁଁ ଧନୁଯାତ୍ରା ନକରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ତେବେ ଏହା ପ୍ରଥମ ଥର ନୁହେଁ, ଆଗରୁ ମଧ୍ୟ ଏଭଳି ଭାବେ କେତେକ ସମୟରେ ବିଭିନ୍ନ କାରଣ ଯୋଗୁଁ ଧନୁଯାତ୍ରା ବନ୍ଦ ହୋଇଥିବା କୁହାଯାଉଛି।

୧୯୪୭ରେ ସ୍ୱାଧୀନତା ପ୍ରାପ୍ତିର ଆନନ୍ଦକୁ ଉତ୍ସବରେ ପରିଣତ କରିବାର ଚିନ୍ତାଧାରାରୁ ହିଁ ଧନୁଯାତ୍ରାର ଆରମ୍ଭ ହୋଇଛି ବୋଲି କୁହାଯାଏ। ସେବେଠୁ ପ୍ରତି ବର୍ଷ ପୌଷ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରୁ ପୌଷ ପୂର୍ଣ୍ଣିମା ପର୍ଯ୍ୟନ୍ତ ୧୧ ଦିନ ବ୍ୟାପୀ ଧନୁଯାତ୍ରାର ଆୟୋଜନ ହୋଇଥାଏ। ଯଦି ଏବର୍ଷ କରୋନା ହୋଇନଥାନ୍ତା ତେବେ ତିଥି ଅନୁସାରେ ୨୦୨୧ ଜାନୁଆରି ୧୮ ତାରିଖରୁ ୧୧ ଦିନ ହୋଇଥାନ୍ତା।

ପୂର୍ବରୁ କେବେ ବନ୍ଦ ହୋଇଥିଲା ଧନୁଯାତ୍ରା?

୧୯୪୭ରୁ ୧୯୫୧ ଲଗାତର ଏହି ଉତ୍ସବ ଚାଲୁଥିବା ବେଳେ ୧୯୫୧ରୁ ୧୯୫୬ ଯାଏଁ ଏହି ଯାତ୍ରା ବନ୍ଦ ଥିଲା ବୋଲି କୁହାଯାଏ। ତେବେ କାହିଁକି  ଯାତ୍ରା ବନ୍ଦ ରହିଥିଲା ସେନେଇ କୌଣସି ପ୍ରାମାଣିକ ତଥ୍ୟ କିନ୍ତୁ ନାହିଁ। ସେହିପରି ୧୯୬୫ ମସିହାରେ ଭାରତ ପାକ୍‌ ଯୁଦ୍ଧ ବେଳେ ଗୋଟିଏ ବର୍ଷ ଧନୁଯାତ୍ରା ବନ୍ଦ ରହିଥିଲା ବୋଲି ତଥ୍ୟ ରହିଛି। କେଉଁ କେଉଁ ଅଭିନେତା ଏହି ଯାତ୍ରାରେ କଂସ ଭୂମିକା ନିଭାଇଛନ୍ତି ସେନେଇ ଥିବା ତାଲିକାରେ ଏ ବର୍ଷଗୁଡ଼ିକ ମଧ୍ୟ ବାଦ ପଡ଼ିଛି। ସେହିପରି ୨୦୨୦ରେ କରୋନା ମହାମାରୀ ଯୋଗୁଁ ଯାତ୍ରାକୁ ବନ୍ଦ କରାଯାଇଛି।

ହଜାର ହଜାର ପର୍ଯ୍ୟଟକଙ୍କୁ ଆକର୍ଷିତ କରେ ଧନୁଯାତ୍ରା

ଧନୁଯାତ୍ରା ଅବସରରେ ବରଗଡ଼ କୃଷ୍ଣମୟ। କେବଳ ନାଟକ ନୁହେଁ, ଧନୁଯାତ୍ରାର ଅବସରରେ ଅଞ୍ଚଳର ଲୋକକଳା ସହିତ ପ୍ରଦର୍ଶିତ ହୁଏ ରାଜ୍ୟ ତଥା ଜାତୀୟ ସ୍ତରର ନୃତ୍ୟ ଓ ସଙ୍ଗୀତ। ନିଜସ୍ୱ କଳା ପ୍ରଦର୍ଶନ ପାଇଁ ସବୁବର୍ଗର କଳାକାରଙ୍କୁ ସୁଯୋଗ ଦେଇଥାଏ ଧନୁଯାତ୍ରା। ଯାତ୍ରାର ଅନ୍ୟ ଏକ ଆକର୍ଷଣ ରହିଥାନ୍ତି ‘ହାତୀ’।

ଧନୁଯାତ୍ରାରେ ବରଗଡ଼ରେ ପସରା ମେଲାଇ ଦିଅନ୍ତି ଅଞ୍ଚଳ ତଥା ରାଜ୍ୟ ବାହାରର ବ୍ୟବସାୟୀମାନେ। ‘ମୀନାବଜାର’ ବିନା ଧନୁଯାତ୍ରାର ଆୟୋଜନ ଯେମିତି ସମ୍ଭବ ନୁହେଁ, ଅନ୍ୟଭାଷାରେ କହିବାକୁ ଗଲେ ‘ମୀନାବଜାର’ ବରଗଡ଼ ଧନୁଯାତ୍ରାର ଏକ ବିଶେଷ ଅଙ୍ଗ ପାଲିଟିଥାଏ। ଏହି ବିଶ୍ୱ ପ୍ରସିଦ୍ଧ ଯାତ୍ରା ଦେଖିବାକୁ ପ୍ରତିବର୍ଷ ହଜାର ହଜାର ଲୋକ ବରଗଡ଼ ଆସିଥାନ୍ତି। କରୋନା ପାଇଁ ସବୁ ଉତ୍ସବ ପରି ଏଥର ଧନୁଯାତ୍ରା ବି ବନ୍ଦ ହୋଇଛି।

Comment