ଓଡ଼ିଶାଲାଇଭ୍ ବ୍ୟୁରୋ

ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୨୦୨୦ ବର୍ଷ ପାଇଁ ଯୁବ ଲେଖକ ପୁରସ୍କାର ଘୋଷିତ ହୋଇଛି। ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖାଲେଖି କରୁଥିବା ୪୦ ବର୍ଷରୁ କମ୍‌ ବୟସର ୧୦ ଜଣ ଯୁବ ଲେଖକଙ୍କୁ ନିଜର ଅପ୍ରକାଶିତ ପାଣ୍ଡୁଲିପି ପାଇଁ ଏହି ପୁରସ୍କାର ମିଳିବ।

ଚଳିତବର୍ଷ ଓଡ଼ିଆ ଭାଷାରେ ୬ଟି ପାଣ୍ଡୁଲିପି ଯୋଗ୍ୟ ବିବେଚିତ ହୋଇଛି। ସେହିପରି ଇଂରାଜୀ ଓ ହିନ୍ଦୀ ଭାଷାରେ ଦୁଇଟି ଲେଖାଏଁ ପାଣ୍ଡୁଲିପି ଚୟନ କରାଯାଇଛି ବୋଲି କଥାଶିଳ୍ପୀ ତଥା ପେନ୍‌ ଇନ୍‌ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି।

ଓଡ଼ିଆ ଭାଷାରେ ଗଳ୍ପ ପାଣ୍ଡୁଲିପି ‘ବଇନା ଓ ବାଣୀବିହାର’ ପାଇଁ ପ୍ରିୟରଞ୍ଜନ ପଟ୍ଟନାୟକ, ‘କରୋନା କାହାଣୀ’ ପାଇଁ ରୁଦ୍ରରଞ୍ଜନ ଶେଜପଡ଼ା, କବିତା ପାଣ୍ଡୁଲିପି ‘ଟୋପାଏ ସମୁଦ୍ର’ ପାଇଁ ହିମାଂଶୁ ଶେଖର ମିଶ୍ର, ‘ଅଶ୍ରୁ ଅଭିସାର’ ପାଇଁ ଦୀପକ କୁମାର ସ୍ୱାଇଁ, ‘ଜୀବନ ସହ ସନ୍ଧି’ ପାଇଁ ପ୍ରୀତିସୀମା ସ୍ୱାଇଁ ଏବଂ ‘କରୋନା ଓ ଅନ୍ୟାନ୍ୟ କବିତା’ ପାଇଁ ଦିନେଶ ଜେନା ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୨୦ ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି।

ଅନ୍ୟପଟେ ହିନ୍ଦୀ କବିତା ପାଣ୍ଡୁଲିପି ‘ଗୁଲାବୀ କାନ୍‌ଭାସ୍’ ପାଇଁ ତୁଳିକା ବିବିଧରଙ୍ଗ ଓ ‘ଜିନ୍ଦେଗୀ ଜୈଶେ କୋଇ ସମୁନ୍ଦର’ ପାଇଁ ନିଧି ଗର୍ଗ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେହିପରି ଇଂରାଜୀ କବିତା ପାଣ୍ଡୁଲିପି ‘ଏଣ୍ଟ୍ରୋପୀ ଅଫ୍‌ ଥଟ୍‌ସ’ ପାଇଁ ମିୟୋଗ ରଞ୍ଜନ ପାତ୍ର ଓ ‘ଏ ପଟ୍‌ପୁରି ଅଫ୍‌ ପୋଏମ୍ସ’ ପାଇଁ ଅଙ୍କିତା ସାହୁ ଏହି ପୁରସ୍କାର ଗ୍ରହଣ କରିବେ।

ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ସମସ୍ତ ଯୁବ ପ୍ରତିଭାଙ୍କୁ ଶୁଭେଚ୍ଛା ଜଣାଇ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି ଯେ, ନୂଆ ପିଢ଼ିର ଲେଖକଙ୍କୁ ଉତ୍ସାହିତ କରିବା ସାଙ୍ଗକୁ ବୃହତ୍ତର ପାଠକ ଗୋଷ୍ଠୀ ସହ ପରିଚିତ କରାଇବା ଲକ୍ଷ୍ୟରେ ୨୦୧୭ ମସିହାରୁ ପେନ୍‌ ଇନ୍‌ ବୁକ୍ସ ଏହି ଯୁବ ଲେଖକ ପୁରସ୍କାର ପ୍ରଦାନ କରି ଆସୁଛି। ୨୦୨୦ ମସିହା ପାଇଁ ଆବେଦନକାରୀ ଯୁବ ଲେଖକଙ୍କଠାରୁ ମୋଟ ୮୨ଟି ପାଣ୍ଡୁଲିପି ଆସିଥିବା ବେଳେ ବିଚାରକମଣ୍ଡଳୀ ଦ୍ୱାରା ଉପରୋକ୍ତ ୧୦ଟି ପାଣ୍ଡୁଲିପି ଯୋଗ୍ୟ ବିବେଚିତ ହୋଇଛି। ଚଳିତ ଡିସେମ୍ବର ମାସରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ଉତ୍ସବ ପରେ ସେମାନଙ୍କ ପାଣ୍ଡୁଲିପିଗୁଡ଼ିକ ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପୁସ୍ତକ ଆକାରରେ ପ୍ରକାଶ ପାଇବ।

Comment