ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ପରୀ ଅପହରଣ ଓ ହତ୍ୟା ମାମଲାରେ ଆସିବା ପରଠୁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ ଘଟଣା ସାମ୍ନାକୁ ଆସୁଛି। ନୟାଗଡ଼ର ପରୀ ପରେ ସ୍ୱାତୀ, ବାଲେଶ୍ୱର ବିଷ୍ଣୁପ୍ରିୟା, ଯାଜପୁରର ପିହୁ ପରେ ଏବେ ଗଜପତି ଜିଲ୍ଲା ଓ ଢେଙ୍କନାଳ ଜିଲ୍ଲାରୁ ସମାନ ଖବର ଆସିଛି। ଗଜପତି ଜିଲ୍ଲାରୁ ଜଣେ ଶିଶୁ ପୁତ୍ର ନିଖୋଜ ହୋଇଥିଲା ବେଳେ ଢେଙ୍କାନାଳ ଜିଲ୍ଲାରୁ ନିଖୋଜ ହେବାର ୨୪ ଘଣ୍ଟା ଭିତରେ ଏକ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି।

ଗଜପତିରେ ୭ ବର୍ଷର ଜାମି ନିଖୋଜ

ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ୭ ବର୍ଷରୁ ଜାମି ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟାରେ ଜାମି ଖେଳୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ପିଲାଟିକୁ ଉଠାଇ ନେଇଥିବା ତାଙ୍କ ପରିବାର ଲୋକ କାଶୀନଗର ଥାନାରେ ଅଭିଯୋଗ କରିଛନ୍ତି। ଜାମିଙ୍କ ବାପା କାଜୁ ବ୍ୟବସାୟୀ କରନ୍ତି। ବ୍ୟବାସାୟିକ ଶତ୍ରୁତା ରଖି କେହି ଜାମିଙ୍କୁ ଚୋରେଇ ନେଇଥିବା ସନ୍ଦେହ କରିଛନ୍ତି ପରିବାର ଲୋକ।

କୂଅରୁ ଉଦ୍ଧାର ହେଲା ୩ ବର୍ଷର ଶିଶୁପୁତ୍ର

ଢେଙ୍କାନାଳ ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗାଁର ଜୟନ୍ତ ସାହୁଙ୍କ ୩ ବର୍ଷର ନିଖୋଜ ପୁଅ ଆୟୁଷର ଗୁରୁବାର ମୃତଦେହ ଉଦ୍ଧାର ହୋଇଛି। ବୁଧବାର ସନ୍ଧ୍ୟାରେ ଆୟୁଷ ସନ୍ଧ୍ୟା ୭ଟା ଜେଜେମା ସହିତ ଦାଣ୍ଡରେ ଖେଳୁଥିବାବେଳେ ହଠାତ ଗାଏବ ହୋଇଯାଇଥିଲା। ପୁଅକୁ ନ ପାଇ ଘର ଲୋକ ବହୁ ଖୋଜାଖୋଜି କରିଥିଲେ। ଆୟୁଷ ନମିଳିବାରୁ ଥାନାରେ ଏତଲା ଦିଆଯାଇଥିଲା। ନିଖୋଜର ୨୪ ଘଣ୍ଟା ନ ପୁରୁଣୁ ଆୟୁଷର ମୃତଦେହ ଉଦ୍ଧାର ହୋଇଛି।

ରାଜ୍ୟରେ ଏମିତି ଗୋଟିଏ ପରେ ଗୋଟିଲ ମାମାଲା ଆସୁଥିବାରୁ ଏହା ଚିନ୍ତା ବଢ଼ାଇଛି।

Comment