ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀ କାଳରେ ସବୁଠୁ ଅଧିକ ବିପର୍ଯ୍ୟସ୍ତ ହୋଇଛି ଶିକ୍ଷା ବ୍ୟବସ୍ଥା। ମାସ ମାସ ଧରି ସ୍କୁଲ ବନ୍ଦ ରହିଥିବାରୁ ପାଠପଢ଼ାରେ ପିଲାଙ୍କୁ ବେଶ ଅସୁବିଧା ହେଉଛି। କିନ୍ତୁ ଏହି ଅସୁବିଧା ସମୟରେ, ସ୍କୁଲ ଖୋଲା ନଥିଲେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଶିକ୍ଷକ କରିଛନ୍ତି ଅଭିନବ ପ୍ରୟାସ। ଗଛରେ ଭଳି କି ଭଳି ଚିତ୍ର ଆଙ୍କି ଛୋଟ ଛୋଟ ପିଲାଙ୍କୁ ଗଣିତ, ଇଂରାଜୀ ଆଦି ପାଠ ପଢ଼ାଉଛନ୍ତି ବରଗଡ଼ର ଜଣେ ଶିକ୍ଷକ।

ବରଗଡ଼ ଜିଲ୍ଲା ପଦ୍ମପୁରର ଲଖମରା ସିଆରସିସି ସୁବାସ ସାହୁ ଏହି ଚେଷ୍ଟା ଆରମ୍ଭ କରିଛନ୍ତି। ନିଜ ଗାଁ ପୂଝାରିପାଲିରେ ଖୋଲା ଆକାଶ ତଳେ ଏକ ଗଛର ସାହାଯ୍ୟ ନେଇ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଗାଁ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଗଛକୁ ରଙ୍ଗ ବେରଙ୍ଗ କରି ପାଠପଢ଼ାର ବିକଳ୍ପ ବାହାର କରିଛନ୍ତି।

‘‘କରୋନା ମହାମାରୀ ପାଇଁ ସ୍କୁଲ ବନ୍ଦ ହୋଇଗଲା। ଗାଁ ପିଲାମାନେ କିଭଳି ପାଠ ପଢ଼ିବେ ସେହି କଥା ଚିନ୍ତା କରି ମୁଁ ଏହି ବାଟ ବାହାର କଲି। ଗାଁ ରାସ୍ତାକଡ଼ରେ ଥିବା ଗଛ ସବୁରେ ଗୋଟିଏ ଗୋଟିଏ ବିଷୟ ନେଇ ଚିତ୍ର କଲି। ଗଣିତ, ଇଂରାଜୀ, ଭୂଗୋଳ, ସାହିତ୍ୟ ଆଦି ବିଷୟକୁ ନେଇ ବିଭିନ୍ନ ଗଛରେ ଚିତ୍ର କଲି। ଏମିତି ପ୍ରାୟ ୨୨ଟି ଗଛକୁ ଚିତ୍ର କରିଛି। ପ୍ରତିଦିନ ଏହି ଗଛରେ ନିକଟରେ ୨ରୁ ୩ ଘଣ୍ଟା ପିଲାଙ୍କୁ ପାଠ ପଢ଼ାଏ। ଏକ ନୂଆ ଢଙ୍ଗରେ ପାଠ ହେଉଥିବାରରୁ ପିଲାଙ୍କ ନିକଟରେ ଉତ୍ସାହ ବି ଦେଖିବାକୁ ମିଳୁଛି’’, କହିଛନ୍ତି ସୁବାସ।

କରୋନା ଥିବାରୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଇ ସେ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ସୁବାସଙ୍କର ଏହି ନିଆରା ପ୍ରୟାସ ସ୍ଥାନୀୟ ଅଞ୍ଚଳରେ ଲୋକେ ତାଙ୍କୁ ପ୍ରଂଶସା କରୁଛନ୍ତି।

Comment