ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ଦୋଳନ କରିବା ଚାଷୀମାନଙ୍କର ଅଧିକାର, ହେଲେ ଏହାଦ୍ୱାରା କୌଣସି ବ୍ୟକ୍ତି ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ପଡ଼ିବ। ତା’ ସହିତ କୌଣସି ରାସ୍ତାକୁ ମଧ୍ୟ ଚାଷୀମାନେ ଅବରୋଧ କରିପାରିବେ ନାହିଁ। ଗୁରୁବାର ଚାଷୀ ଆନ୍ଦୋଳନକୁ ନେଇ ହୋଇଥିବା ମାମଲାର ଶୁଣାଣି କରିବା ସମୟରେ ଏପରି କହିଛନ୍ତି ସୁପ୍ରିମକୋର୍ଟ।

ଗୁରୁବାର ଚାଷୀ ଆନ୍ଦୋଳନକୁ ହୋଇଥିବା ମାମଲାର ସୁପ୍ରିମକୋର୍ଟ ଶୁଣାଣି କରିଥିଲେ। ଏହି ସମୟରେ ମୁଖ୍ୟ ବିଚାରପତି ଏସ ଏ ବୋବଡେ ଚାଷୀମାନଙ୍କର ଅଧିକାର କଥା ଉଠାଇଥିଲେ। ଚାଷୀମାନେ ଆନ୍ଦୋଳନ କରିବା ସେମାନଙ୍କର ନୈତିକ ଅଧିକାର ଅଟେ। କିନ୍ତୁ ଏହାଦ୍ୱାରା ଯେପରି କୌଣସି ବ୍ୟକ୍ତି ଅସୁବିଧାରେ ନପଡନ୍ତି ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି। ଗୁରୁବାର ଏହି ମାମଲାର ଶୁଣାଣି ହୋଇଥିଲେ ମଧ୍ୟ କୋର୍ଟ ନିଜର ଚୂଡ଼ାନ୍ତ ରାୟ ଶୁଣାଇନାହାନ୍ତି।ଏଥିସହ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ବିଚାର ବିମର୍ଶ ଜରିଆରେ ଚାଷୀମାନଙ୍କର ସମସ୍ୟା ସମାଧାନ ହୋଇପାରିବ। ଚାଷୀପକ୍ଷଙ୍କ କଥା ଶୁଣିବା ପରେ କୋର୍ଟ ନିଜର ରାୟ ଶୁଣାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ଗତକାଲି ସୁପ୍ରିମକୋର୍ଟ ଏକ ସମନ୍ୱିତ କମିଟି ଗଠନ କରି ଏଦିଗରେ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ୱାରା ଚାଷୀମାନଙ୍କର କଥା ରଖାଯିବା ସହିତ ସରକାରଙ୍କ ସହ ଆଲୋଚନା ହୋଇପାରିବ ବୋଲି କୁହାଯାଇଥିଲା।

ସୂଚନାଯୋଗ୍ୟ ଯେ, ଗତ ୨୨ ଦିନ ଧରି ନୂଆ କୃଷି ଆଇନକୁ ବିରୋଧ କରି ସିଙ୍ଘୁ ସୀମାରେ ଚାଷୀମାନେ ଆନ୍ଦୋଳନାରତ ଅଛନ୍ତି। ସରକାରଙ୍କ ସହ ଏକାଧିକ ବାର ଆଲୋଚନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରିପାରିନି। ଚାଷୀମାନେ ନୂଆ କୃଷି ଆଇନର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି କରୁଥିବାବେଳେ କେନ୍ଦ୍ର ସରକାର କେବଳ ଏଥିରେ ସଂଶୋଧନ ପାଇଁ ରାଜିଥିବା ଜଣାପଡ଼ିଛି।

Comment