କପିଳାସ ଭୂୟାଁ

ଆଜି ‘ଅଖିଳ ଦିବସ’। ପ୍ରତି ବର୍ଷ ପ୍ରଖ୍ୟାତ କଥାଶିଳ୍ପୀ ଅଖିଳ ମୋହନ ପଟ୍ଟନାୟକଙ୍କ ଶୁଭ ଜନ୍ମଦିନ ଡିସେମ୍ବର ୧୮ ତାରିଖକୁ ‘ଅଖିଳ ଦିବସ’ ରୂପେ ପାଳନ କରାଯାଏ। ଏ ବର୍ଷ ମଧ୍ୟ ସାହିତ୍ୟ ସଭା ଆୟୋଜନ କରି ‘ଅଖିଳ ଦିବସ’ ପାଳନ କରାଯାଇଥାନ୍ତା, ସେଥି ପାଇଁ ପୁରସ୍କାର ମଧ୍ୟ ଘୋଷଣା ସରିଛି, କିନ୍ତୁ କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଗଲା। ତେବେ ଏହି ପୁରସ୍କାରଗୁଡିକୁ ଆଗାମୀ କେଉଁ ଏକ ନିର୍ଦ୍ଦିଷ୍ଟ ଦିନରେ କିମ୍ବା ଆସନ୍ତା ବର୍ଷର ଉତ୍ସବ ପାଳନ ଅବସରରେ ପ୍ରଦାନ କରାଯିବ ତାହା ଅଖିଳ ମୋହନ ଫାଉଣ୍ଡେସନ ପକ୍ଷରୁ ଜଣାଇ ଦିଆଯିବ।

ପ୍ରତି ବର୍ଷ ଏହି ସଭାରେ ଅଖିଳ ମୋହନ ଓ ତାଙ୍କ ପତ୍ନୀ ଜ୍ଞାନଦାଙ୍କ ନାମରେ ନାମିତ ସାହିତ୍ୟ ପୁରସ୍କାର ପ୍ରଦାନ ମୁଖ୍ୟ ଆକର୍ଷଣ ହୋଇଥାଏ। ୨୦୨୦ ବର୍ଷରେ ସର୍ବଶ୍ରେଷ୍ଠ ସାରସ୍ଵତ ‘ଶିଖର ସମ୍ମାନ’ ପ୍ରଦାନ ପାଇଁ ବିଶିଷ୍ଟ କଥାଶିଳ୍ପୀ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ମନୋନୀତ କରାଯାଇଥିଲା ବେଳେ କଥାଶିଳ୍ପୀ ସହଦେବ ସାହୁଙ୍କୁ ‘ଅଖିଳ କଥା ସମ୍ମାନ’ ଓ କବି ପ୍ରଦୀପ କୁମାର ପଣ୍ଡାଙ୍କୁ ‘ଅଖିଳ କବିତା ସମ୍ମାନ’ ଯଥାକ୍ରମେ ଗଳ୍ପ ଓ କବିତା ପାଇଁ  ପ୍ରଦାନ କରିବାକୁ ମନୋନୀତ କରାଯାଇଛି। ସେହିଭଳି ‘ଜ୍ଞାନଦା କଥା ସମ୍ମାନ’ ଓ ‘ଜ୍ଞାନଦା କବିତା ସମ୍ମାନ’ ପ୍ରଦାନ ପାଇଁ ଯଥାକ୍ରମେ ଗାଳ୍ପିକା ସ୍ଵାଗତିକା ସ୍ଵାଇଁ ଓ କବି ଇପ୍ସିତା ଷଡଙ୍ଗୀଙ୍କୁ ମନୋନୀତ କରାଯାଇଛି।

ଶାନ୍ତନୁ କୁମାର ଆଚାର୍ଯ୍ୟ (ଶିଖର ସମ୍ମାନ), ପ୍ରଦୀପ କୁମାର ପଣ୍ଡା (ଅଖିଳ କବିତା ସମ୍ମାନ), ସହଦେବ ସାହୁ (ଅଖିଳ କଥା ସମ୍ମାନ), ଇପ୍ସିତା ଷଡ଼ଙ୍ଗୀ ( ଜ୍ଞାନଦା କବିତା ସମ୍ମାନ), ସ୍ୱାଗତିକା ସ୍ୱାଇଁ (ଜ୍ଞାନଦା କଥା ସମ୍ମାନ)

ସନ୍ଦେହାତୀତ ଭାବେ କୁହାଯାଇପାରେ ଯେ ଅଖିଳ ମୋହନ ଥିଲେ ତାଙ୍କ ସମୟର ଜଣେ ସ୍ପର୍ଦ୍ଧିତ କଥାଶିଳ୍ପୀ। ସେ ଥିଲେ ଜିଦଖୋର ଓ ଅନମନୀୟ। ବଡ଼ ଭାଇଙ୍କ ଗଳ୍ପ ତତ୍କାଳୀନ ‘ଶଙ୍ଖ’ ପତ୍ରିକାରେ ବାହାରି ତାଙ୍କୁ ଚାରି ଅଣା ପଇସା ପୁରସ୍କାର ମିଳିବା ଦେଖି ଅଖିଳ ମୋହନ ମଧ୍ୟ ଗପ ଲେଖିବାକୁ ଚାହିଁଲେ। ତାଙ୍କ ଗପଟି ମଧ୍ୟ ‘ଶଙ୍ଖ’ରେ ପ୍ରକାଶ ପାଇ ଅଖିଳ ମୋହନଙ୍କୁ ଚାରି ଅଣା ପଇସା ପୁରସ୍କାର ଆଣିଦେଇଥିଲା। “ସେହିଭଳି ରେଭେନ୍ସା କଲେଜରେ ପାଠ ପଢ଼ୁଥିବା ବେଳେ ଦିନେ ଫୁଟବଲ୍‌ ଖେଳିସାରି ସଭାଗୃହରେ ବସି ଦେହରୁ ଝାଳ ମାରୁଥିବା ବେଳେ ତାଙ୍କୁ ସେଠାରୁ ଉଠିଯିବାକୁ କୁହାଯିବାରୁ ନିଜ ଭିତରର ପ୍ରଚଣ୍ଡ ଜିଦ୍ ଯୋଗୁଁ ସେହି ସଭା ଗୃହରେ ସେଦିନ ଅନୁଷ୍ଠିତ ହେବାକୁ ଥିବା ଚାନ୍‌ସେଲର ଡିବେଟ୍‌ରେ ଭାଗ ନେଇ ସେମିତି ଫୁଟବଲ୍ ଖେଳାଳି ପୋଷାକରେ ସେ ନିଜର ତର୍କ ଉପସ୍ଥାପନ କରିଥିଲେ ଓ ଜିତିଥିଲେ ଛାତ୍ର ଜୀବନର ସର୍ବାଧିକ ସମ୍ମାନଜନକ ଚାନ୍‌ସେଲର ଡିବେଟ୍ ପୁରସ୍କାର”, କହନ୍ତି ବିଶିଷ୍ଟ ସାହିତ୍ୟିକ ଦେବଦାସ ଛୋଟରାୟ।

କହିବାର ଚାତୁର୍ଯ୍ୟରେ ଅଖିଳ ମୋହନ ଥିଲେ ସିଦ୍ଧହସ୍ତ ଏବଂ ଏକକ ଭାବେ ସେ ଥିଲେ ଅସରନ୍ତି ଗଳ୍ପର ଭଣ୍ଡାର। ତାଙ୍କ ସମ୍ପର୍କରେ କିଛି ଲେଖିବା ବେଳେ ଏହି ଲେଖକର ସ୍ମୃତିର ଚିତ୍ରପଟରେ ଉଙ୍କି ମାରେ ଏକାଧିକ ଆଖିଝଲସା ଚିତ୍ର।

ଅଖିଳ ମୋହନଙ୍କ ସାନ ପୁଅ ଫେଲୁ (ଜୀମୂତ ବରଣ) ଏହି ଲେଖକର ଘନିଷ୍ଠ ବନ୍ଧୁ। ସେହି ଘନିଷ୍ଠତା କ୍ରମେ ତାଙ୍କ ଘରେ ମୋର ଥିଲା ଅବାଧ ଚଳପ୍ରଚଳ। ସମୀହରେ ଅଖିଳ ମୋହନଙ୍କ ନିକଟତର ହେଉନଥିଲେ ବି ଜ୍ଞାନଦା ମାଉସୀଙ୍କଠାରୁ ସେମାନଙ୍କ ଜୀବନର ଏକାଧିକ ସ୍ମୃତି ବିଜଡିତ କଥା କଥନିକା ଶୁଣିବାର ଦୁର୍ଲ୍ଲଭ ସୁଯୋଗ ମୋତେ ମିଳିଛି।

ସେହି ପୃଷ୍ଠଭୂମିରେ ପଛକୁ ଫେରିଚାହିଁଲେ ସବୁକିଛି ଧୁମ୍ରାଭ ଦିଶୁଥିଲେ ମଧ୍ୟ ଯାହା ସବୁଠାରୁ ସ୍ପଷ୍ଟ ବାରିହୁଏ, ତାହା ହେଲା ଅଖିଳ ମୋହନଙ୍କ ସାହିତ୍ୟିକ ବ୍ୟକ୍ତିତ୍ୱ। ଅବଶ୍ୟ ସାହିତ୍ୟକୁ ଅଖିଳ ମୋହନ ତାଙ୍କ ‘ଦ୍ୱିତୀୟ ପତ୍ନୀ’ ବା ‘କଙ୍କୁବାଇନ୍’ ବୋଲି କହୁଥିଲେ। କାରଣ ସାହିତ୍ୟ ତାଙ୍କର ପେଶା ନଥିଲା, ଥିଲା ନିଶା। ସେ ପେଶାରେ ଓକିଲ ଥିଲେ, ତେଣୁ ସର୍ବାଧିକ ସମୟ ସେ ଓକିଲାତିରେ ବିନିଯୋଗ କରୁଥିଲେ। ଫଳରେ ସାହିତ୍ୟ ନିଶା ପାଇଁ ତାଙ୍କ ନିକଟରେ ଯଥେଷ୍ଟ ସମୟ ନଥିଲା।

ତେବେ ପେଶାରୁ ସମୟ ବାହାର କରି ସାହିତ୍ୟ ସୃଷ୍ଟି କରିବା କଷ୍ଟକର ହୋଇଥିବାରୁ ତାଙ୍କ ସମସାମୟିକ ଲେଖକମାନଙ୍କ  ଅପେକ୍ଷା ଅଖିଳ ମୋହନଙ୍କ ସାହିତ୍ୟ ସମ୍ଭାରର ପରିମାଣ ଥିଲା ବହୁତ କମ୍। କିନ୍ତୁ ଗୁଣାତ୍ମକ ମାନକୁ ବିଚାରକୁ ନେଲେ ତାଙ୍କର ସମସ୍ତ ସାହିତ୍ୟିକ ସୃଷ୍ଟି ଅତି ଉଚ୍ଚକୋଟୀର।

୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନଙ୍କ ଜନ୍ମ। ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ହାଇସ୍କୁଲର ପ୍ରଧାନ ଶିକ୍ଷକ। ତାଙ୍କୁ ରାୟବାହାଦୂର ଉପାଧିରେ ଭୂଷିତ କରାଯାଇଥିଲା। ଇଂରେଜ ଶାସନ ଅମଳରେ ଜଣେ ଶିକ୍ଷକଙ୍କୁ ରାୟବାହାଦୂର ଉପାଧି ମିଳିବା ଥିଲା ସେ ସମୟର ଏକ ବିରଳ ଘଟଣା। ବାଙ୍କବିହାରୀ ଜଣେ ଆଦର୍ଶ ଶିକ୍ଷକ ହେବା ସହ କିଛିଟା ସାହିତ୍ୟ ମଧ୍ୟ ସୃଷ୍ଟି କରିଥିଲେ, ଯାହା କି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିତ। ବାପାଙ୍କର ସାହିତ୍ୟ ସହ ସମ୍ପୃକ୍ତିର ବିଶେଷ ପ୍ରଭାବ ପଡ଼ିଥିଲା ଅଖିଳ ମୋହନଙ୍କ ଉପରେ ଓ ସାହିତ୍ୟ ସର୍ଜ୍ଜନାର ସେହି ବଂଶଜ ପରମ୍ପରାକୁ ସେ ପହଞ୍ଚାଇଥିଲେ ଶୀର୍ଷରେ।

ସମସାମୟିକ ସାହିତ୍ୟିକମାନେ ଗ୍ରାମାଞ୍ଚଳର ଜୀବନ ଆଧାରରେ ସାହିତ୍ୟ ସୃଷ୍ଟି କରୁଥିବା ବେଳେ ଅଖିଳ ମୋହନଙ୍କ ସାହିତ୍ୟର ମୁଖ୍ୟ ଉପଜୀବ୍ୟ ଥିଲା ସହରୀ ଜୀବନ। ଗଢ଼ି ଉଠୁଥିବା ସହରରେ ନିଜ ନିଜକୁ ଖାପ ଖୁଆଇବା ପାଇଁ ତାଙ୍କ ଚରିତ୍ରମାନେ ଥିଲେ ସଂଘର୍ଷରତ। ସେହି ସଂଘର୍ଷ ଭିତରେ ହିଁ ସେ ଦେଖିପାରୁଥିଲେ ପରିବର୍ତ୍ତନର ସୂତ୍ର। ସେ ବଞ୍ଚି ରହିଥିବା ଭିତରେ ତାଙ୍କର ମାତ୍ର ଦୁଇଟି ଗଳ୍ପ ସଂକଳନ ପ୍ରକାଶ ପାଇଥିଲା – ‘ଝଡ଼ର ଈଗଲ ଓ ଧରଣୀର କୃଷ୍ଣସାର’ ଏବଂ ‘ଓ ଅନ୍ଧଗଳି’।

ଅଖିଳ ମୋହନଙ୍କୁ ତାଙ୍କ ଜୀବନ କାଳ ଭିତରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ କରିପାରିଲା ନାହିଁ। ଏହା କିପରି ହେଲା ତା’କୁ ନେଇ ରହିଛି ଏକ ରୋଚକ କଥା। ୧୯୮୧ ମସିହାରେ ‘ଓ ଅନ୍ଧଗଳି’ ପାଇଁ ଅଖିଳ ମୋହନଙ୍କୁ ମିଳିଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ସେତେବେଳେ ଯାଇ ଓଡ଼ିଶା ସାହିତ୍ୟ ଏକାଡେମୀର ଚେତା ପଶିଲା ଯେ ତାଙ୍କୁ ରାଜ୍ୟ ଏକାଡେମୀ ପକ୍ଷରୁ ପୁରସ୍କାର ଦିଆଯାଇନାହିଁ। ତେଣୁ ଖୋଜା ପଡ଼ିଲା ଯେ ତାଙ୍କର କେଉଁ କେଉଁ ଅନ୍ୟ ବହି ଅଛି ଯାହାକୁ ପୁରସ୍କୃତ କରି ଓଡ଼ିଶା ସାହିତ୍ୟ ଏକାଡେମୀ ନିଜକୁ ଲୋକ ଲଜ୍ଜ୍ୟାରୁ ମୁକ୍ତ କରିପାରିବ। ଦେଖାଗଲା ଯେ ତାଙ୍କର ମାତ୍ର ଅନ୍ୟ ଗୋଟିଏ ଗଳ୍ପ ସଂକଳନ ‘ଝଡ଼ର ଈଗଲ ଓ ଧରଣୀର କୃଷ୍ଣସାର’ ରହିଛି, ଯାହାକି ବହୁ ପୂର୍ବରୁ ପ୍ରକାଶିତ। ଯେହେତୁ ବହୁ ପୂର୍ବରୁ ପ୍ରକାଶିତ ପୁସ୍ତକକୁ ଅବହେଳା କ୍ରମେ ପୁରସ୍କୃତ କରାଯାଇନାହିଁ, ତେବେ ହଠାତ୍ ତାହାକୁ ବା କେଉଁଭଳି ପୁରସ୍କାର ଦିଆଯାଇପାରିବ! ସେଭଳି କଲେ ତ ଓଡ଼ିଶା ସାହିତ୍ୟ ଏକାଡେମୀକୁ ନିଶ୍ଚୟ ଲୋକହସା ହେବାକୁ ପଡ଼ିବ। ଦୁର୍ଯୋଗକୁ ପରବର୍ତ୍ତୀ ବର୍ଷ ୧୯୮୨ ମସିହା ନଭେମ୍ବର ୨୯ ତାରିଖ ଦିନ ଅଖିଳ ମୋହନଙ୍କର ଦେହାବସାନ ହେଲା। ଫଳରେ ତାଙ୍କ ଜୀବନକାଳ ଭିତରେ ଅଖିଳ ମୋହନଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ କରି ସମ୍ମାନିତ କରିବାର ସୁଯୋଗ ହାତଛଡ଼ା କରିବାକୁ ବାଧ୍ୟ ହୋଇଥିଲା।

ଅଖିଳ ମୋହନ ବଞ୍ଚିଥିବା ବେଳେ ପ୍ରକାଶିତ ତାଙ୍କର ଅନ୍ୟ ଦୁଇଟି ପୁସ୍ତକ ହେଲା ଇଉରୋପ ଭ୍ରମଣ ବୃତ୍ତାନ୍ତ ‘ଅନ୍ୟ ଦେଶ’ ଓ ସବୁଜ ତାରୁଣ୍ୟର ପ୍ରେମପତ୍ରର ସଂକଳନ ‘ଅନାଗତ ଫାଲଗୁନ’। ପରବର୍ତ୍ତୀ ସମୟରେ ଜ୍ଞାନଦା ମାଉସୀଙ୍କ ଉଦ୍ୟମରେ ପ୍ରକାଶ ପାଇଲା ‘ନଦୀର ନାମ ଗଣତନ୍ତ୍ର’ ଗଳ୍ପ ସଂକଳନ, ‘ବାଘରାଣୀ ଖଇରୀ’ ଜୀବନୀ ଓ ‘ପ୍ରଥମ ଓ ଶେଷ’ ଗଳ୍ପ ସଂକଳନ। ‘ଅଖିଳାୟନ’ ତାଙ୍କର ଚାରିଟି ଯାକ ଗଳ୍ପ ପୁସ୍ତକର ଏକ ସାମଗ୍ରିକ ସଂକଳନ।

‘ବାଘରାଣୀ ଖଇରୀ’ର ଜୀବନୀ ରଚନା ନିଶ୍ଚିତ ରୂପେ ଅଖିଳ ମୋହନଙ୍କର ଅନ୍ୟ ଏକ ଅନବଦ୍ୟ ସୃଷ୍ଟି। ‘ଖଇରୀ’ ଥିଲା ଜ୍ଞାନଦା ମାଉସୀଙ୍କ ଭାଇ ସରୋଜରାଜ ଚୌଧୁରୀଙ୍କ ପାଳିତ କନ୍ୟା। ‘ଖଇରୀକୁ’ ନେଇ ସରୋଜ ମାମୁଁ ଭୁବନେଶ୍ବର ଆସିଲେ ଅଖିଳ ମୋହନଙ୍କ ବାଲିଘର ଠାରେ ରହୁଥିଲେ। ଖଇରୀ ଓ ସରୋଜରାଜଙ୍କ ସହ ଘନିଷ୍ଠତାରୁ ଅଖିଳ ମୋହନ ଲେଖିବା ଆରମ୍ଭ କରିଥିଲେ ଖଇରୀର ଜୀବନୀ। ପ୍ରଥମେ ଏହା ଧାରାବାହିକ ଭାବେ ‘ସମାବେଶ’ ପତ୍ରିକାରେ ପ୍ରକାଶିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହାର ଏକତ୍ର ସଂକଳନ ଜ୍ଞାନଦା ମାଉସୀଙ୍କ ଉଦ୍ୟମ କ୍ରମେ ପ୍ରକାଶ ପାଇଲା।

ବିଧିର ବିଡମ୍ବନା ଯେ ଜଳାତଙ୍କରେ ଆକ୍ରାନ୍ତ ହୋଇ ପ୍ରଥମେ ଖଇରୀ, ତା’ର ଅଳ୍ପ ଦିନର ବ୍ୟବଧାନରେ ଖଇରୀର ପାଳକ ପିତା ସରୋଜରାଜ ଚୌଧୁରୀ ଓ ତା’ ପରେ ପରେ ଖଇରୀର ଜୀବନୀ ଲେଖକ ଅଖିଳ ମୋହନ ଆଗ ପଛ ହୋଇ ଇହଧାମରୁ ବିଦାୟ ନେଲେ।

ସଫଳ ଗଳ୍ପ ଲେଖିବା ସମ୍ପର୍କରେ ଅଖିଳ ମୋହନଙ୍କ ବକ୍ତବ୍ୟ ପ୍ରଣିଧାନଯୋଗ୍ୟ। ତାଙ୍କ ମତରେ, “କ୍ଷୁଦ୍ର ଗଳ୍ପ ଏକ ଶାଣିତ ବର୍ଚ୍ଛାର ଫଳକ, ଯାହାର କ୍ଷେପଣ ଶୈଳୀ ଅପେକ୍ଷା ବିଦ୍ଧ କରିବାର କ୍ଷମତା ଅଧିକ ମହତ୍ତ୍ୱପୂର୍ଣ୍ଣ”।

ସେହି ଭଳି ‘ମୁଁ କାହିଁକି ଲେଖେ?” ସମ୍ପର୍କରେ ତାଙ୍କର ଉକ୍ତି ନୂଆପିଢିର ଲେଖକମାନେ ଜାଣିବା ଜରୁରୀ – “ମନର ଦର୍ପଣକୁ ପରିଷ୍କାର ରଖିଥିଲେ (….) ଅସଂଖ୍ୟ ପ୍ରଶ୍ନ ମନକୁ ଆସେ। ସେ ପ୍ରଶ୍ନ ସମସ୍ତଙ୍କୁ ପଚାରିବାକୁ ଇଚ୍ଛା ହୁଏ। ଏପରିକି ଭଗବାନଙ୍କୁ ମଧ୍ୟ। ଏଇ ଚିରନ୍ତନ ଜିଜ୍ଞାସା ବା ତାର ସମ୍ଭାବ୍ୟ ଉତ୍ତର ସମ୍ପର୍କରେ ଲୋକମାନଙ୍କ ସହିତ ଯୋଗାଯୋଗ ସ୍ଥାପନ କରିବାକୁ ଇଚ୍ଛା ହୁଏ। ତେଣୁ ଲେଖକ ଲେଖେ ଓ ମୁଁ ମଧ୍ୟ ଲେଖେ।

….. ଲେଖିବା ଅର୍ଥ ଦାୟିତ୍ଵ ଗ୍ରହଣ କରିବା। ତେଣୁ ମୁଁ ଲେଖେ, କାରଣ ମୁଁ ପ୍ରତିଟି ଲେଖାରେ ଫ୍ୟାକ୍ଟ ଟୁ ଆର୍ଟ କରି ଚାଲିଛି ଓ ସାହିତ୍ୟ ମୂଲ୍ୟବୋଧ ତିଆରି କରି ଚାଲିଛି। ଓଡିଆ ଭାଷା ପ୍ରତି ଓ ସାହିତ୍ୟ ପ୍ରତି ମୋର କର୍ତ୍ତବ୍ୟ ତ ରହିଛି। ତେଣୁ ମୁଁ ଲେଖେ”।

ନାଟକ ସହ ମଧ୍ୟ ଅଖିଳ ମୋହନଙ୍କର ଯଥେଷ୍ଟ ସମ୍ପୃକ୍ତି ରହିଥିଲା। ସେହି କ୍ରମରେ ତାଙ୍କ ଦ୍ୱାରା ନାମିତ ନାଟ୍ୟ ସଂସ୍ଥା ‘କଚ୍ଛପ ନାଟ୍ୟ ଆନ୍ଦୋଳନ’ ତାଙ୍କ ବଡ଼ ପୁଅ ତିମିର ବରଣଙ୍କ ନେତୃତ୍ୱରେ ଅଶି ଦଶକରେ ବେଶ୍ କିଛି ଭଲ ନାଟକ ଭୁବନେଶ୍ୱର ଓ ରାଜ୍ୟର ଅନ୍ୟ ସ୍ଥାନରେ ପ୍ରଦର୍ଶନ କରିପାରିଥିଲା।

ଚଳଚ୍ଚିତ୍ରର ସ୍କ୍ରିନ୍ ପ୍ଲେ ଲେଖିବା ପାଇଁ ସେ ବେଶ୍ ପଢ଼ାପଢ଼ି କରୁଥିଲେ। ସେ ସମ୍ପର୍କିତ ବହି ତାଙ୍କ ଲାଇବ୍ରେରୀରୁ ମିଳେ, ଯେଉଁଗୁଡ଼ିକର ପୃଷ୍ଠାରେ ସେ ଏକାଧିକ  ଟିପ୍ପଣୀ ଟିପିଥିବାର ଦେଖା ଯାଏ । ଗୋଟିଏ ସ୍କ୍ରିନ ପ୍ଲେ ମଧ୍ୟ ସେ ଲେଖିବା ଆରମ୍ଭ କରିଥିଲେ, କିନ୍ତୁ ତାହା ଅଧା ଲେଖା ହୋଇ ରହିଗଲା।

ଉଲ୍ଲେଖ ଅନାବଶ୍ୟକ କି ଯେ ଓଡ଼ିଆ ଲେଖକର ସୀମିତ କଳ୍ପନାକୁ ଅହରହ ଚ୍ୟାଲେଞ୍ଜ କରୁଥିବା ଅଖିଳ ମୋହନ ଥିଲେ ତାଙ୍କ ସମୟର ସର୍ବାଧିକ ପ୍ରତିସ୍ପର୍ଦ୍ଧା ଲେଖକ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ)

Comment