ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ନୟାଗଡ଼ର ଶିଶୁକନ୍ୟା ପରୀ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ଏସ୍‌ଆଇଟି (ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌)କୁ ନେଇ ଯେଉଁ ଅଭିଯୋଗ ଉଠାଯାଉଛି ସେସବୁକୁ ଶୁକ୍ରବାର ଓଡ଼ିଶା ପୋଲିସ ମୁଖ୍ୟାଳୟ ଖଣ୍ଡନ କରିଛି। ଏଭଳି ଅଭିଯୋଗ ତଦନ୍ତକାରୀ ଟିମ୍‌ ଓ ଅଫିସରମାନଙ୍କର ମନୋବଳ ଭାଙ୍ଗି ଦେବ ବୋଲି ରାଜ୍ୟ ପୋଲିସ ପକ୍ଷରୁ ଜାରି ହୋଇଥିବା ସ୍ପଷ୍ଟୀକରଣରେ ଦର୍ଶାଯାଇଛି। ସତ୍ୟ ଉନ୍ମୋଚନ ପାଇଁ ଏହି ଅଫିସରମାନେ ନିଷ୍ଠାପର ଭାବେ କାମ କରୁଛନ୍ତି। ଉଚ୍ଚ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ ମାମଲାର ତଦନ୍ତ ଚାଲିଛି। ତେଣୁ ଧୈର୍ଯ୍ୟ ରଖାଯାଉ। ଖୁବ୍ ଶୀଘ୍ର ତଦନ୍ତର ସୁଫଳ ମିଳିବ ଓ ପରୀ ନିଶ୍ଚିତ ନ୍ୟାୟ ପାଇବ ବୋଲି ଓଡ଼ିଶା ପୋଲିସ ପକ୍ଷରୁ କୁହାଯାଇଛି।

ବିଭିନ୍ନ ଗଣମାଧ୍ୟମରେ ପରୀ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ଏସ୍‌ଆଇଟିକୁ ନେଇ ନାନା ଖବର ପ୍ରକାଶ ପାଉଥିବା ବେଳେ ସରୋଜ ସେଠୀ ନାମକ ଜଣେ ଯୁବକ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ସମ୍ପର୍କରେ ଅଭିଯୋଗ କରି ବୟାନ ଦେଉଛନ୍ତି। ଏସ୍‌ଆଇଟିର ମୁଖ୍ୟ ସରୋଜଙ୍କୁ ଅପରାଧ ସ୍ୱୀକାର କରିବା ପାଇଁ ଚାପ ପକାଇଥିବା ଓ ଏଥିପାଇଁ ୫ ଲକ୍ଷ ଟଙ୍କା ଲାଞ୍ଚ ଯାଚିଥିବା ସେ ବିଭିନ୍ନ ଗଣମାଧ୍ୟମରେ କହିଛନ୍ତି। ଉକ୍ତ ବୟାନ ପରିପ୍ରେକ୍ଷୀରେ ଗତକାଲି ରାଜ୍ୟ ପୋଲିସ ପକ୍ଷରୁ ଏହି ବାର୍ତ୍ତା ଜାରି କରାଯାଇ ଏସବୁ ଅଭିଯୋଗକୁ ଖଣ୍ଡନ କରାଯାଇଛି। ସେହି ଯୁବକଙ୍କୁ ବ୍ୟବହାର କରାଯାଇ ତଦନ୍ତକୁ ବାଟବଣା କରିବା ପାଇଁ ଉଦ୍ୟମ ହେଉଥିବା କଥା ପ୍ରେସ୍ ବାର୍ତ୍ତାରେ ବି ଦର୍ଶାଯାଇଛି।

ଏଥିରେ କୁହାଯାଇଛି କି’ ତଦନ୍ତକୁ ଏକ ଭଲ ଦିଗ ମିଳିଛି। ପରୀର ପୈତୃକ ଗାଁ ଯଦୁପୁରର ସମସ୍ତ ଗ୍ରାମବାସୀ ତଦନ୍ତରେ ସହଯୋଗ କରୁଛନ୍ତି। ଏଭଳି ସମୟରେ ହଠାତ୍ ତଦନ୍ତକାରୀ ଦଳକୁ ନେଇ ଭିତ୍ତିହୀନ ଅଭିଯୋଗ କରାଯିବା ତଦନ୍ତକୁ ବାଟବଣା କରିପାରେ। ପରୀ ମାମଲାର ତଦନ୍ତକୁ ମାନ୍ୟବର ହାଇକୋର୍ଟ ମନିଟର୍ କରୁଛନ୍ତି। ସମୟ ସମୟରେ ଏସ୍‌ଆଇଟି ପକ୍ଷରୁ ତଦନ୍ତର ରିପୋର୍ଟ ଓ ତଦନ୍ତରେ ବାହାରୁଥିବା ତଥ୍ୟ କୋର୍ଟଙ୍କ ସମ୍ମୁଖରେ ରଖାଯାଉଛି। ତେଣୁ ସମସ୍ତେ ଧୈର୍ଯ୍ୟର ସହିତ ଏସ୍‌ଆଇଟିର ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ଦରକାର। ଖାସ୍ କରି ଗଣମାଧ୍ୟମ ତଦନ୍ତର ଶେଷକୁ ଅପେକ୍ଷା କରିବା ଆବଶ୍ୟକ। ଏହି ପ୍ରେସ୍ ବିବୃତିରେ ରାଜ୍ୟବାସୀଙ୍କୁ ଆଶ୍ୱାସନା ଦିଆଯିବା ସହ ଦୃଢ଼ୋକ୍ତି ପ୍ରକାଶ କରାଯାଇଛି ଯେ, ତଦନ୍ତ ବେଳେ କେହି ବି ଛାଡ଼ ପାଇବେ ନାହିଁ ପରୀ ନିଶ୍ଚିତ ଭାବେ ନ୍ୟାୟ ପାଇବ।

Comment